ବଜେଟରେ ପଡ଼ୋଶୀ ଦେଶ, ଆଫଗାନିସ୍ତାନ, ନେପାଳ ଏବଂ ଶ୍ରୀଲଙ୍କା ପାଇଁ ରାଜକୋଷ ଖୋଲିଲା ଭାରତ


ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି। ଏହି ବଜେଟରେ ଭାରତ ନିଜ ପଡ଼ୋଶୀ ଦେଶଗୁଡ଼ିକ ପାଇଁ ମଧ୍ୟ ଭଲ ରାଶି ଘୋଷଣା କରିଛି। ଆଫଗାନିସ୍ତାନର ତାଲିବାନ ଶାସନ ପାଇଁ ଚଳିତ ବଜେଟରେ ୨୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ୨୦୨୩-୨୦୨୪ ଆର୍ଥିକ ବର୍ଷରେ ଆଫଗାନିସ୍ତାନ ପାଇଁ ସମାନ ଅର୍ଥ ଆବଣ୍ଟନ କରାଯାଇଥିଲା କିନ୍ତୁ ପରେ ଏହାକୁ ୨୨୦ କୋଟିକୁ ବୃଦ୍ଧି କରାଯାଇଥିଲା। ସାମ୍ପ୍ରତିକ ସମୟରେ ଏହାକୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ସମ୍ପର୍କରେ ଉନ୍ନତି ଭାବରେ ମଧ୍ୟ ଦେଖାଯାଉଛି । ଚଳିତ ବଜେଟରେ ଭାରତର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପଡ଼ୋଶୀ ଭୁଟାନ ପାଇଁ ୨୦୬୮ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ବଜେଟରେ ବାଂଲାଦେଶ ପାଇଁ ୧୨୦ କୋଟି, ନେପାଳ ପାଇଁ ୭୦୦ କୋଟି, ଶ୍ରୀଲଙ୍କା ପାଇଁ ୨୪୫ କୋଟି, ମାଳଦ୍ୱୀପ ପାଇଁ ୪୦୦ କୋଟି, ମିଆଁମାର ପାଇଁ ୨୫୦ କୋଟି ଏବଂ ଆଫ୍ରିକୀୟ ଦେଶ ପାଇଁ ୨୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ୟୁରେସିଆନ୍ ଦେଶଗୁଡ଼ିକ ପାଇଁ ୨୦ କୋଟି, ଲାଟିନ୍ ଆମେରିକୀୟ ଦେଶଗୁଡ଼ିକ ପାଇଁ ୩୦ କୋଟି, ଅନ୍ୟ ବିକାଶଶୀଳ ଦେଶଗୁଡ଼ିକ ପାଇଁ ୧୨୫ କୋଟି ଏବଂ ମରିସସ୍ ପାଇଁ ୩୭୦ କୋଟି। ସେହିପରି ଚାବାହାର ବନ୍ଦର ପାଇଁ ୧୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।

ବଜେଟରେ ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି
ଚଳିତ ବଜେଟରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ଅନେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ବଜେଟରେ ଗ୍ରାମାଞ୍ଚଳର ବିକାଶ ପାଇଁ ୨.୬୬ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। କୃଷି କ୍ଷେତ୍ର ପାଇଁ ୧.୫୨ ଲକ୍ଷ କୋଟି ଟଙ୍କାର ବଜେଟ୍ ରହିଛି। ଏହି ବଜେଟରେ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି ଯେ ନୂତନ ଟିକସ ବ୍ୟବସ୍ଥା କୁ ପସନ୍ଦ କରୁଥିବା ଲୋକଙ୍କ ପାଇଁ ଷ୍ଟାଣ୍ଡାର୍ଡ ଡିଡକ୍ସନ କୁ ୫୦ ହଜାରରୁ ୭୫ ହଜାରକୁ ବୃଦ୍ଧି କରାଯାଇଛି । ନୂଆ ବ୍ୟବସ୍ଥାରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟିକସ ଲାଗିବ ନାହିଁ। ସୀତାରମଣ କହିଛନ୍ତି ଯେ ୬ ମାସ ମଧ୍ୟରେ ଆୟକର ଆଇନର ସମୀକ୍ଷା କରାଯିବ। ଆୟକରକୁ ସରଳ କରାଯିବ ଏବଂ ଠିକ୍ ସମୟରେ ଟିଡିଏସ୍ ପୈଠ ନକରିବା ଅପରାଧ ବୋଲି ବିବେଚନା କରାଯିବ ନାହିଁ।

ନିର୍ମଳା ସୀତାରମଣ ବଜେଟ୍ ଅଭିଭାଷଣ ଆରମ୍ଭରେ ଘୋଷଣା କରିଥିଲେ ଯେ ଶିକ୍ଷା ଓ ରୋଜଗାର ପାଇଁ ବଜେଟରେ ୧.୪୮ ଲକ୍ଷ କୋଟି ଟଙ୍କା ରଖାଯାଇଛି। ବଜେଟରେ ରୋଜଗାର, ପ୍ରଶିକ୍ଷଣ, ଏମଏସଏମଇ ଏବଂ ମଧ୍ୟବିତ୍ତ ବର୍ଗଉପରେ ଗୁରୁତ୍ୱ ଦିଆଯିବ । ବଜେଟ୍ ଅଭିଭାଷଣ ଦେଇ ସୀତାରମଣ କହିଛନ୍ତି ଯେ ଭାରତର ଅର୍ଥନୈତିକ ଅଭିବୃଦ୍ଧି କ୍ରମାଗତ ଭାବେ ବୃଦ୍ଧି ପାଉଥିବା ବେଳେ ବିଶ୍ୱ ଅର୍ଥନୀତି ଏବେ ବି ନୀତିଗତ ଅନିଶ୍ଚିତତା ମଧ୍ୟରେ ରହିଛି। ଦେଶର ମୁଦ୍ରାସ୍ଫୀତି ସ୍ଥିର ରହିଛି ଏବଂ ଏହା ୪ ପ୍ରତିଶତ ଆଡ଼କୁ ଗତି କରୁଛି ଏବଂ ମୂଳ ମୁଦ୍ରାସ୍ଫୀତି ୩.୧ ପ୍ରତିଶତ ରହିଛି।


Share It

Comments are closed.