ଦୀପାବଳି ଯାଏଁ କମିବନି ପିଆଜ ଦର, ନୂଆ ଅମଳକୁ କରିବାକୁ ପଡିବ ଅପେକ୍ଷା


ପିଆଜ ଦର ହୁ ହୁ ହୋଇ ବଢିଚାଲିଛି । ଦୁଇ ସପ୍ତାହ ଭିତରେ ମୂଲ୍ୟ କିଲୋ ପିଛା ପ୍ରାୟ ୩୦ଟଙ୍କା ବଢିଗଲାଣି । ଆଗକୁ ମାସେ ପର୍ଯ୍ୟନ୍ତ ଦର କମିବାର ସମ୍ଭାବନା କ୍ଷୀଣ । ପ୍ରବଳ ବର୍ଷା ଏବଂ ବନ୍ୟା ଯୋଗୁଁ ସାରା ଭାରତରେ ପିଆଜ ଅଭାବ ପରିଲକ୍ଷିତ ହେଲାଣି । ଏହାର ପ୍ରଭାବ ଓଡ଼ିଶାରେ ମଧ୍ୟ ପଡିଛି । ଯେଉଁଠି ଗତ ସପ୍ତାହରେ ପିଆଜ କିଲୋ ପିଛା ୬୦ ଟଙ୍କାରେ ବିକ୍ରି ହେଉଥିଲା ସେଠି ଏବେ ଲୋକେ ୮୦ ଟଙ୍କା ଦେଇ କିଣିଲେଣି । ଏଣେ ହୋଲସେଲ୍‌ ବଜାରରେ ଷ୍ଟକ୍‌ ବି କମି କମି ଯାଉଛି ।

ଅନ୍ୟାନ୍ୟ ଦ୍ରବ୍ୟ ଭଳି ପିଆଜ କ୍ଷେତ୍ରରେ ମଧ୍ୟ ଓଡ଼ିଶା ଆମଦାନୀ ରାଜ୍ୟ ଭାବେ ପରିଗଣିତ । ଅନୁଗୁଳ, ଟିଟିଲାଗଡ, କୋରାପୁଟ, ଭବାନୀପାଟଣା ଆଦି ଅଳ୍ପ କେତୋଟି ଅଞ୍ଚଳକୁ ଛାଡିଲେ ରାଜ୍ୟରେ ଅନ୍ୟ କେଉଁଠି ପିଆଜ ଉତ୍ପାଦନ ହୋଇନଥାଏ । ଏସବୁ ଅଞ୍ଚଳରେ ବି ଋତୁକାଳୀନ ଅମଳ ହୁଏ । ଏପ୍ରିଲ୍‌ରୁ ଜୁନ୍‌ ଯାଏ ଏଠାରୁ ବଜାରକୁ ପିଆଜ ଆସିଥାଏ । କିନ୍ତୁ ଜୁନ୍‌ ପରେ ବଜାରରେ ଆଉ ଦେଶୀ ପିଆଜର ଷ୍ଟକ୍‌ ରହିନଥାଏ । ପରେ ବର୍ଷ ତମାମ୍‌ ରାଜ୍ୟ ବାହାରୁ ହେଉଥିବା ଆମଦାନୀ ପିଆଜ ଉପରେ ରାଜ୍ୟବାସୀଙ୍କୁ ନିର୍ଭର କରିବାକୁ ପଡେ । ବିଶେଷ କରି ନାସିକ୍‌, ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଆଦି ଅଞ୍ଚଳରୁ ଓଡ଼ିଶା ବଜାରକୁ ପିଆଜ ଆସିଥାଏ । ଏଥିରୁ ମାତ୍ରାଧିକ ଷ୍ଟକ୍‌ ମଗାଇଥାଏ କଟକ ଛତ୍ରବଜାର । କିନ୍ତୁ ଚଳିତବର୍ଷ ତାମିଲନାଡୁ,ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷା ଯୋଗୁଁ ପିଆଜ ଫସଲହାନି ହୋଇଥିବାରୁ ତା’ର ପ୍ରଭାବ ସାରା ଭାରତରେ ପଡିଛି । ସେଥିରେ ଓଡ଼ିଶା ବି କାନ୍ଦୁଛି । ମାସେ ପରେ ଅର୍ଥାତ୍‌ ନଭେମ୍ବର ଶେଷ ଆଡକୁ ନୂଆ ଅମଳ ବାହାରିଲେ ପରିସ୍ଥିତି ଆୟତ୍ତକୁ ଆସିବ । ଏହା ପୂର୍ବରୁ ଯଦି ଆସନ୍ତା ୧୫ଦିନ ଭିତରେ ଆଫଗାନିସ୍ତାନରୁ ପିଆଜ ଆସିଯାଏ ତାହେଲେ କିଛି ମାତ୍ରାରେ ଲୋକଙ୍କ କଷ୍ଟ କମିବାର ସମ୍ଭାବନା ରହିଛି । ଦର ମଧ୍ୟ ଖସିବାର ସମ୍ଭାବନା ରହିଛି । ନଚେତ ଆସନ୍ତା ମାସେ ଧରି ପିଆଜ ବଜାରଦର ଚଢା ରହିବା ନିଶ୍ଚିତ ବୋଲି ବ୍ୟବସାୟୀମାନେ ମତ ଦେଉଛନ୍ତି ।

କାରଣ, ନାସିକ୍‌ରୁ ଯାହା ଯେମିତି ଆମଦାନୀ ଆସୁଛି ତାହା ଏବେ ବଜାର ଚାହିଦାକୁ ଭେଟାଉନାହିଁ । ସାରା ରାଜ୍ୟକୁ ଦିନକୁ ପ୍ରାୟ ୬୦ ଟ୍ରକ୍‌ ପିଆଜ ରାଜ୍ୟ ବାହାରୁ ଆସିଥାଏ । ଯଦି କେବଳ ଛତ୍ରବଜାର କଥା ଦେଖାଯାଏ, ଦୈନିକ ଏଠାରେ ପ୍ରାୟ ୭ ଟ୍ରକ୍‌ ପିଆଜର ଆବଶ୍ୟକତା ରହିଥାଏ । ଗୋଟିଏ ଟ୍ରକ୍‌ରେ ୧୬ ରୁ ୨୦ ଟନ୍‌ ପିଆଜ ଆସୁଥିବା ବେଳେ ଏହି ଆଧାରରେ ସବୁଦିନ ଛତ୍ରବଜାରରେ ୧୨୦ଟନ୍‌ ପିଆଜ ବିକ୍ରି ହୁଏ । କାରଣ ଏଠାରୁ ପିଆଜ ରାଜ୍ୟର ବିଭିନ୍ନ ବଜାରକୁ ଯାଏ । ବିଶେଷକରି ଭୁବନେଶ୍ୱର, ସମ୍ୱଲପୁର, ବାରିପଦା ଭଳି ଅଞ୍ଚଳରେ ଅଧିକ ମାତ୍ରାରେ ପିଆଜ ଆବଶ୍ୟକ ଥାଏ । କିନ୍ତୁ ବର୍ତ୍ତମାନ ପରିସ୍ଥିତି ଯାହା ଛତ୍ରବଜାରକୁ ବି ପିଆଜ ନିଅଣ୍ଟ ହେଉଛି । କେବଳ ନାସିକ୍‌ରୁ ପ୍ରତିଦିନ ମାତ୍ର ଦୁଇ ଗାଡ଼ି ଆସୁଛି, ଯାହା ଆବଶ୍ୟକତା ଠାରୁ ଢେର କମ୍‌ । ଅଧିକ ଆମଦାନୀ କରିବାକୁ ବ୍ୟବସାୟୀ ଇଛା ପ୍ରକାଶ କରୁଥିଲେ ବି ନାସିକ୍‌ ବ୍ୟବସାୟୀ ପଠାଉନାହାନ୍ତି । ଦେଶ ବାହାରକୁ ରପ୍ତାନୀ ଦିଗରେ ଗୁରୁତ୍ୱ ଦେଇ ଅଧିକ ଲାଭ ପାଉଥିବାରୁ ଘରୋଇ ରପ୍ତାନୀ ପାଇଁ ବିଶେଷ ଆଗ୍ରହ ଦେଖାଉନାହାନ୍ତି ।

କୃଷକ ବଜାର ବ୍ୟବସାୟୀ ସଂଘର ସମ୍ପାଦକ ନିରେନ୍ଦ୍ର ସେଠୀ କହିଛନ୍ତି, ଯେଉଁଠି ଜଣେ ଜଣେ ବ୍ୟବସାୟୀ ଦିନକୁ ୨ରୁ ୩ବସ୍ତା ପିଆଜ ବିକୁଥିଲେ ସେଠି ଏବେ ଅଧାବସ୍ତା ବି ବିକ୍ରି ହେଉନାହିଁ । ୮୦ ଟଙ୍କାରେ ପିଆଜ ବିକିବା ଏତେ ସହଜ ନୁହେଁ । ସରକାର ଏ ଦିଗରେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି । ମୋଟାମୋଟି, ପିଆର ଦରକୁ ନେଇ ଏବେ ଖାଉଟିଙ୍କଠାରୁ ବ୍ୟବସାୟୀଙ୍କଯାଏ ସମସ୍ତଙ୍କର ଚିନ୍ତା ।


Share It

Comments are closed.