ଗୁରୁଡିଝାଟିଆ ସେବା ସମବାୟ ସମିତିରେ ଆର୍ଥିକ ଅନିୟମିତତା ଅଭିଯୋଗରେ ୯ ଜଣ କର୍ମଚାରୀ ନିଲମ୍ବିତ


କଟକ : କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ଆଠଗଡ ଶାଖା ଅଧିନରେ ଥିବା ଗୁରୁଡିଝାଟିଆ ସେବା ସମବାୟ ସମିତିରେ ହୋଇଥିବା ଆର୍ଥିକ ଅନିୟମିତତା ଓ ବେଆଇନ କାରବାର ଅଭିଯୋଗର ତଦନ୍ତ କରାଯାଇ ୯ ଜଣ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । ଏଥି ସହିତ ଅଧିକ ତଦନ୍ତ ଓ ବିହିତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସିଆଇଡି, କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା, ଭୁବନେଶ୍ୱରର ଆରକ୍ଷୀ ଅଧୀକ୍ଷକଙ୍କୁ ଅନୁରୋଧ କରାଯାଇଛି ଏବଂ ତଦନ୍ତ ପ୍ରକ୍ରିୟା ଜାରି ରହିଛି ।
କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ଆଠଗଡ ଶାଖା ଅଧିନରେ ଥିବା ଗୁରୁଡିଝାଟିଆ ସେବା ସମବାୟ ସମିତିରେ ହୋଇଥିବା ଆର୍ଥିକ ଅନିୟମିତତା ଓ ବେଆଇନ କାରବାର ବିଷୟରେ ଗଣାମାଧ୍ୟମରେ ପ୍ରକାଶିତ ହେବା ପରେ ତୁରନ୍ତ ନିବନ୍ଧକ, ସମବାୟ ସମିତି ସମୂହ ଓ ମହାସମୀକ୍ଷକ, ସମବାୟ ସମିତି ସମୂହ ୨୦୨୦ ମାର୍ଚ୍ଚ ୧୨ରେ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ନିର୍ଦ୍ଦେଶକ୍ରମେ ଉପନିବନ୍ଧକ, ସମବାୟ ସମିତି କଟକ, ସହକାରୀ ମହାସମୀକ୍ଷକ, କଟକ, କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଓ ନିବନ୍ଧକ ସମବାୟ ସମିତି ସମୂହଙ୍କ ପ୍ରତିନିଧି ନେଇ ଏକ ୧୧ ଜଣିଆ ତଦନ୍ତକାରୀ ଦଳ ଗଠନ କରାଯାଇଥିଲା । ୨୦୨୦ ଜୁନ ୩ ତାରିଖରେ ତଦନ୍ତକାରୀ ଦଳ ସମିତିରେ ହୋଇଥିବା ଧାନ କ୍ରୟ ତଥା ଫସଲ ଋଣ କାରବାରରେ ୧,୦୯,୫୦,୨୯୦ ଟଙ୍କାର ଆର୍ଥିକ ହେରଫେର ଓ ଅନିୟମିତତା ହୋଇଥିବା ଦର୍ଶାଇଥିଲେ । ଉକ୍ତ ତଦନ୍ତ ରିପୋର୍ଟରେ ଦର୍ଶାଯାଇଥିବା ଅଭିଯୁକ୍ତ କର୍ମଚାରୀ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଆଠଗଡ ଶାଖାର ୬ ଜଣ କର୍ମଚାରୀ ଯଥା- ଶାଖା ପରିଚାଳକ ପ୍ରମୋଦ କୁମାର ଦାଶ, ସହ ପରିଚାଳକ ନଳିନୀକାନ୍ତ ଆଚାର୍ଯ୍ୟ, ସହ ପରିଚାଳକ ଚିତାନନ୍ଦ ଜେନା, ସହ ପରିଚାଳକ ବାବାଜୀ ପ୍ରଧାନ, ବ୍ୟାଙ୍କ ସହାୟକ ନିରଞ୍ଜନ ପରିଡା ଓ ଚୌଦ୍ୱାର ବ୍ୟାଙ୍କ ଶାଖାର ସହ ପରିଚାଳକ ଜିତେନ୍ଦ୍ର ମହାନ୍ତିଙ୍କ ସହିତ ସହିତ ଗୁରୁଡିଝାଟିଆ ସେବା ସମିତିରେ କାର୍ଯ୍ୟରତ ଥିବା ୩ ଜଣ କର୍ମଚାରୀ ଯଥା- ସଂଯୋଜକ ବିଜୟ କୁମାର ଦାଶ, ସହ ସଂପାଦକ ସଂଗ୍ରାନ କେଶରୀ ସାହୁ ଓ ପିଅନ ପ୍ରବୋଧ ରଞ୍ଜନ ପ୍ରଧାନଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି ଏବଂ ଆଇନ ମୁତାବକ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି ।
ଗୁରୁଡିଝାଟିଆ ସେବା ସମବାୟ ସମିତିରେ ହୋଇଥିବା ଆର୍ଥିକ ଅନିୟମିତତା ଓ ହେରଫେରର ଉପଯୁକ୍ତ ତଦନ୍ତ ଓ ବିହୀତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଭୁବନେଶ୍ୱରସ୍ଥ ସିଆଇଡି, କ୍ରାଇମ ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖାର ଆରକ୍ଷୀ ଅଧୀକ୍ଷକଙ୍କୁ ନିବନ୍ଧକ ସମବାୟ ସମିତି ସମୂହ, ଓଡିଶା ଗତ ୨୦୨୦ ଜୁନ ୧୦ ତାରିଖରେ ଅନୁରୋଧ କରିଥିଲେ ଏବଂ ତଦନ୍ତ ପ୍ରକ୍ରିୟା ବର୍ତ୍ତମାନ ଜାରି ରହିଛି । ତଦନ୍ତ ପ୍ରକ୍ରିୟାକୁ ଶୀଘ୍ର ସାରି ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ରେଜିଷ୍ଟାର, କୋଅପରେଟିଭ ସୋସାଇଟିଙ୍କ ପକ୍ଷରୁ ୨୦୨୦ ଅକ୍ଟୋବର ୬ ତାରିଖରେ ସିଆଇଡି, କ୍ରାଇମ ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା, ଭୁବନେଶ୍ୱରର ଆରକ୍ଷୀ ଅଧୀକ୍ଷକଙ୍କ ନିକଟକୁ ପତ୍ର ଲେଖାଯାଇଛି । ଏହି ତଦନ୍ତ ଆଧାରରେ ଯେଉଁ ଚାଷୀ ସଭ୍ୟା/ସଭ୍ୟମାନଙ୍କର ଋଣ ଅର୍ଥ ପ୍ରଦାନରେ ହେରଫେର ପ୍ରମାଣିତ ହେବ, ଉକ୍ତ ଅର୍ଥ ସେଥିପାଇଁ ଦାୟୀ କର୍ମଚାରୀମାନଙ୍କଠାରୁ ଆଦାୟ କରାଯିବ । ଅଡିଟ ରିପୋର୍ଟକୁ ଆଧାର କରି ଅନିୟମିତତାରେ ସଂପୃକ୍ତ ଥିବା ପଦାଧିକାରୀଙ୍କଠାରୁ ସରଚାର୍ଜ ପ୍ରୋସିଡିଂ ମାଧ୍ୟମରେ କାର୍ଯ୍ୟାନୁଷ୍ଠାନ ନିଆଯିବ ଏବଂ ଉକ୍ତ ଅନିୟମିତତାରେ ସଂପୃକ୍ତ ପ୍ରତ୍ୟେକ ବ୍ୟକ୍ତିମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ଏବଂ ଆର୍ଥିକ ଅନିୟମିତତା ଓ ହେରଫେରରେ କ୍ଷତିଗ୍ରସ୍ତ ଋଣୀ ଚାଷୀମାନଙ୍କର ସ୍ୱାର୍ଥକୁ ଆଇନ ମତେ ସୁରକ୍ଷା ପ୍ରଦାନ କରାଯିବ ବୋଲି ନିବନ୍ଧକ, ସମବାୟ ସମିତି ସମୂହଙ୍କ ସୂତ୍ରରୁ ପ୍ରକାଶ


Share It

Comments are closed.