ନୂଆ ସଂସଦ ଭବନ ଭାରତୀୟଙ୍କ ମଧ୍ୟରେ ସାମ୍ବିଧାନିକ ମୂଲ୍ୟବୋଧର ଗୁଞ୍ଜରଣ ସୃଷ୍ଟି କରିବ – ଧର୍ମେନ୍ଦ୍ର ପ୍ରଧାନ


ନୂଆଦିଲ୍ଲୀ/ଭୁବନେଶ୍ୱର – ସ୍ୱାଧୀନତୋର ଭାରତର ୭୫ ବର୍ଷ ପରେ ନିର୍ମାଣ ହେବାକୁ ଥିବା ନୂଆ ସଂସଦ ଭବନ ଭାରତୀୟଙ୍କ ମଧ୍ୟରେ ସାମ୍ବିଧାନିକ ମୂଲ୍ୟବୋଧର ଗୁଞ୍ଜରଣ ସୃଷ୍ଟି କରିବ ବୋଲି ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ହୋଇଯାଇଥିବା ନୂଆ ସଂସଦ ଭବନର ଶିଳାନ୍ୟାସ ହେବା ଅବସରରେ ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଭାରତର ବିଚାରଧାରାରେ ପ୍ରେରିତ ଏବଂ ଭାରତୀୟତା ସହ ଓତଃପ୍ରୋତ ଭାବେ ଜଡ଼ିତ ନୂଆ ସଂସଦ ଭବନ ନିର୍ମାଣର ଶୁଭାରମ୍ଭ ହେବା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଶ୍ରୀ ପ୍ରଧାନ । ସେ କହିଛନ୍ତି ଭାରତର ଗଣତନ୍ତ୍ର ଇତିହାସରେ ଆଜିର ଦିନ ଚିରସ୍ମରଣୀୟ ହୋଇ ରହିବ । ଏକବିଂଶ ଶତାବ୍ଦୀର ନୂଆ ଭାରତରେ ନୂଆ ସଂସଦ ଦେଶର ନାଗରିକଙ୍କ ଆକାଂକ୍ଷା ସହିତ ଜଡ଼ିତ ଏବଂ ଏଥିପାଇଁ ଆମେ ଗର୍ବିତ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଗଣତନ୍ତ୍ରର ଜନନୀ ହେଉଛି ଭାରତ । ଭାରତୀୟ ଗଣତନ୍ତ୍ରର ନୂଆ ମନ୍ଦିରରେ ଭାରତୀୟଙ୍କ ସ୍ୱର ଗୁଞ୍ଜରିତ ହେବ । ଯେଉଁଠାରେ ସମସ୍ତ ବିବିଧତାର ମିଶ୍ରଣ ହେବ ଓ ସମସ୍ତ ବିଚ୍ଛିନ୍ନତା ଦୂର ହେବ ।
ନୂଆ ସଂସଦ ଭବନରେ ଅନେକ ଅତ୍ୟାଧୁନିକ ସୁବିଧା ଉବଲବ୍ଧ କରାଯିବ । ଯଦ୍ୱାରା ସାଂସଦଙ୍କ ଦକ୍ଷତା ବଢ଼ିବା ସଙ୍ଗେସଙ୍ଗେ ସଂସଦର କାର୍ଯ୍ୟଦକ୍ଷତା ମଧ୍ୟ ଉନ୍ନତ ହେବ । ପୁରୁଣା ସଂସଦ ଭବନ ଯେଭଳି ଭାବେ ଦେଶର ମାର୍ଗ ନିର୍ଦ୍ଧାରଣରେ କାର୍ଯ୍ୟବାହକ ହୋଇଥିଲା ସେଭଳି ନିର୍ମାଣ ହେବାକୁ ଥିବା ନୂଆ ସଂସଦ ଭବନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏକ ସଶକ୍ତ ଏବଂ ଆତ୍ମଭାରତ ନିର୍ମାଣରେ ସାକ୍ଷୀ ହେବ ଓ ୧୩୦ କୋଟି ଭାରତୀୟଙ୍କ ଆକାଂକ୍ଷାକୁ ପୂରଣ କରିବ ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ।


Share It

Comments are closed.