ସମସ୍ତ ରେକର୍ଡ ଭାଙ୍ଗିଲା ନେଟଫ୍ଲିକ୍ସ ସିରିଜ୍ Squid Game, ମାତ୍ର ମାସକ ଭିତରେ କମେଇଲା ୯୦୦ ମିଲିୟନ୍ ଡଲାର୍


ନେଟଫ୍ଲିକ୍ସର ସିରିଜ୍ ‘ସ୍କ୍ୱିଡ୍ ଗେମ୍’ ସମସ୍ତ ରେକର୍ଡ ଭାଙ୍ଗିଛି। ଏହା କେବଳ OTT ରେ ସର୍ବାଧିକ ଦେଖାଯାଉଥିବା ସିରିଜ୍ ହୋଇନାହିଁ, ବରଂ ଗତ ଏକ ମାସ ମଧ୍ୟରେ ସର୍ବାଧିକ ରୋଜଗାର କରିଛି। ଏହି ସିରିଜ୍ ୯୦୦ ମିଲିୟନ୍ ଡଲାର ରୋଜଗାର କରି କମାଲ କରିଛି। କମ୍ପାନୀ ଏହାର ନିର୍ମାଣ ବେଳେ ମାତ୍ର ୨୧.୪ ମିଲିୟନ ଡ଼ଲାର୍ ଖର୍ଚ୍ଚ କରିଥିଲା, ଯାହା ଅନ୍ୟାନ୍ୟ ବଡ ସୋ ତୁଳନାରେ ବହୁତ କମ୍ ଅଟେ।

ସାଉଥ କୋରିଆର ଏହି ସିରିଜ୍ “ସ୍କ୍ୱିଡ୍ ଗେମ୍”କୁ ସମଗ୍ର ବିଶ୍ୱରେ ପସନ୍ଦ କରାଯାଉଛି। ଏହାକୁ ନିର୍ଦ୍ଦେଶନା ଦେଇଛନ୍ତି ହ୍ୱାଙ୍ଗ ଡୋଙ୍ଗ-ହୁକ। ନେଟଫ୍ଲିକ୍ସରେ ଆଜି ପର୍ଯ୍ୟନ୍ତ ଏହା ସର୍ବାଧିକ ଦେଖାଯାଇଥିବା ଶୋ’ରେ ପରିଣତ ହୋଇଛି। ଗୋଟିଏ ମାସରେ, ୧୩୨ ନିୟୁତ ଲୋକ ଅତି କମରେ ୨ ମିନିଟ୍ ପାଇଁ ଏହି ସୋ ଦେଖିଛନ୍ତି। ଏହି ୱେବ୍ ସିରିଜ୍ ସେପ୍ଟେମ୍ବର ୧୭, ୨୦୨୧ ରେ ଆରମ୍ଭ କରାଯାଇଥିଲା। ଏହାପୂର୍ବରୁ ଏହି ରେକର୍ଡ ବ୍ରିଜର୍ଟନ ନାମରେ ଥିଲା, ଯାହା ରିଲିଜ୍ ହେବାର ପ୍ରଥମ ୨୮ ଦିନରେ ପ୍ରାୟ ୮୨ ନିୟୁତ ଲୋକ ଦେଖିଥିଲେ। ବ୍ଲୁମବର୍ଗ ଅନୁଯାୟୀ, ଯେଉଁମାନେ “ସ୍କ୍ୱିଡ୍ ଗେମ୍” ଆରମ୍ଭ କରିଥିଲେ ସେମାନଙ୍କ ମଧ୍ୟରୁ ୮୯% ଏହାକୁ ଅତି କମରେ ୭୫ ମିନିଟ୍ ପର୍ଯ୍ୟନ୍ତ ଦେଖିଥିବାବେଳେ ୬୬% ଦର୍ଶକ ଅନଲାଇନ୍ ହେବାର ପ୍ରଥମ ୨୩ ଦିନ ମଧ୍ୟରେ ସିରିଜ୍ ଶେଷ କରିଥିଲେ।

“ସ୍କ୍ୱିଡ୍ ଗେମ୍” ର ୯ ଟି ଏପିସୋଡ୍ ଅଛି। ଏହି ସିରିଜର କାହାଣୀ ଏପରି ଲୋକଙ୍କ ଉପରେ ଆଧାରିତ ଯେଉଁମାନେ ଋଣରେ ବୁଡି ରହିଛନ୍ତି। ୪୫୬ ଜଣଙ୍କୁ ଏହି ସିରିଜର କାହାଣୀରେ ଦର୍ଶାଯାଇଛି ଯେଉଁମାନେ ଋଣର ଜାଲରେ ଫସି ରହିଛନ୍ତି। ଏହି ଲୋକଙ୍କୁ ଟଙ୍କା ଦେଇ ପ୍ରଲୋଭିତ କରି ଖେଳରେ ଭାଗ ନେବାକୁ କୁହାଯାଏ। ଏହି ଖେଳରେ ସମସ୍ତ ଲୋକଙ୍କୁ ଗୋଟିଏ ପରେ ଗୋଟିଏ ହତ୍ୟା କରାଯାଏ। ଶେଷରେ, ବଞ୍ଚିଥିବା ବ୍ୟକ୍ତି ଏହାର ବିଜେତା ହୁଏ, ତାଙ୍କୁ ପୁରସ୍କାର ଭାବରେ ୩୮.୭ ମିଲିୟନ୍ ଡଲାର୍ ଦିଆଯାଏ।


Share It

Comments are closed.