ପାଭୋ ନୁରମି ଗେମ୍ସରେ ଭାଗ ନେବା ପାଇଁ ଫିନଲାଣ୍ଡରେ ପ୍ରଶିକ୍ଷଣ ନେବେ ନୀରଜ


ଟୋକିଓ ଅଲିମ୍ପିକ୍‌ ସ୍ୱର୍ଣ୍ଣ ପଦକ ବିଜେତା ତଥା ଭାରତର ଜାଭେଲିନ୍‌ ତାରକା ନୀରଜ ଚୋପ୍ରା ଆଗାମୀ ଡାଇମଣ୍ଡ ଲିଗ୍‌ ପୂର୍ବରୁ ଫିନଲାଣ୍ଡ୍‌ରେ ପ୍ରଶିକ୍ଷଣ ନେବେ । ଭାରତୀୟ ଖେଳ ପ୍ରାଧିକରଣ (ସାଇ) ପକ୍ଷରୁ ଏ ବିଷୟ ସ୍ପଷ୍ଟ କରାଯାଇଛି । ନୀରଜ ଏବେ ତୁର୍କୀରେ ରହି ଗ୍ଲୋରିୟା ସ୍ପୋର୍ଟ୍ସ ଏରିନାରେ ପ୍ରଶିକ୍ଷଣ ନେଉଛନ୍ତି । ଆଜି ସେ ଫିନଲାଣ୍ଡରେ ଥିବା କୋଓର୍ଟେନ ଅଲିମ୍ପିକ୍‌ ଟ୍ରେନିଂ ସେଣ୍ଟର ଅଭିମୁଖେ ଯାତ୍ରା କରିବେ । ସେଠାରେ ସେ ୨୮ ଦିନ ପର୍ଯ୍ୟନ୍ତ ପ୍ରଶିକ୍ଷଣ ନେବେ । ତାଙ୍କ ପ୍ରଶିକ୍ଷଣ ପାଇଁ ଭାରତ ସରକାରଙ୍କ ଟାର୍ଗେଟ ଅଲିମ୍ପିକ୍‌ ପୋଡିୟମ ସ୍କିମ୍‌ (ଟପ୍‌) ପକ୍ଷରୁ ୯.୮ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି ।

ଫିନଲାଣ୍ଡ୍‌ରେ ପ୍ରଶିକ୍ଷଣ ନେବା ସହ ନୀରଜ ଆସନ୍ତା ଜୁନ ୧୪ ତାରିଖରେ ପାଭୋ ନୁରମି ଗେମ୍ସରେ ଭାଗ ନେବେ । ଏହି କ୍ରୀଡ଼ାରେ ଜର୍ମାନୀର ଜାଭେଲିନ୍‌ ତାରକା ଜୋହାନିସ୍‌ ଭେଟର ମଧ୍ୟ ଅଂଶଗ୍ରହଣ କରିବେ । ଏହାପରେ ସେ କୋଓର୍ଟେନ ଗେମ୍ସ (ଜୁନ ୧୮)ରେ ଭାଗ ନେବେ । ଗତବର୍ଷ ଏହି କ୍ରୀଡ଼ାରେ ନୀରଜ ତୃତୀୟ ସ୍ଥାନ ଅଧିକାର କରିଥିଲେ । ପରେ ସେ ଷ୍ଟକ୍‌ହୋଲ୍ମରେ ଡାଏମଣ୍ଡ୍‌ ଲିଗ୍‌ରେ ପ୍ରତିଦ୍ୱନ୍ଦ୍ୱିତା କରିବେ । ଏହା ଜୁନ ୩୦ ତାରିଖ ଅନୁଷ୍ଠିତ ହେବ । ଫିନଲାଣ୍ଡ୍‌ରେ ପ୍ରଶିକ୍ଷଣ ଅବଧି ଶେଷ ହେବା ପରେ ସେ ବିଶ୍ୱ ଚାମ୍ପିଅନସିପ୍‌ (ଜୁଲାଇ ୧୫ରୁ ୨୪)ରେ ଭାଗ ନେବାକୁ ଆମେରିକା ଯାତ୍ରା କରିବେ ।

ସୂଚନାଯୋଗ୍ୟ, ନୀରଜ ଟୋକିଓ ଅଲିମ୍ପିକ୍‌ର ଜାଭେଲିନ୍‌ ଇଭେଣ୍ଟରେ ୮୭.୫୮ମିଟର ସହ ଐତିହାସିକ ସ୍ୱର୍ଣ୍ଣ ପଦକ ଜିତିଥିଲେ ।


Share It

Comments are closed.