ନବରାତ୍ରିର ସପ୍ତମୀ ଦିନରେ କରନ୍ତୁ ମା’ କାଳରାତ୍ରୀଙ୍କ ପୂଜା, ଦୂର ହେବ ଆପଣଙ୍କ ଶନିଦଶା


ନବରାତ୍ରୀର ସପ୍ତମୀ ତିଥିରେ ମା’ ଦୁର୍ଗା କାଳରାତ୍ରୀ ରୂପ ଧାରଣ କରନ୍ତି । ବିଶ୍ୱାସ ରହିଛି, ଏହି ତିଥିରେ ବିଶ୍ୱର ସମସ୍ତ ଶକ୍ତି ମା’ଙ୍କ ପାଖରେ ଠୁଳ ହୋଇଥାଏ । ବିଧି ଅନୁସାରେ ମା’ଙ୍କୁ ଏହି ‘କାଳରାତ୍ରୀ’ ବେଶରେ ପୂଜା କଲେ ସିଦ୍ଧି ପ୍ରାପ୍ତ ହୋଇଥାଏ ।

ମା’ ‘କାଳରାତ୍ରୀ’ଙ୍କ ତିନୋଟି ଆଖି ରହିଥାଏ । ଏହି ବେଶରେ ମା’ଙ୍କ ରୂପ ଅତ୍ୟନ୍ତ ଭୟଙ୍କର ହୋଇଥାଏ। ପୌରାଣିକ ତଥ୍ୟ ଅନୁସାରେ- ଚଣ୍ଡ, ମୁଣ୍ଡ ଓ ରକ୍ତବୀର୍ଯ୍ୟ ନାମଧାରୀ ତିନି ରାକ୍ଷସ ଲୋକଙ୍କ ଉପରେ ବହୁ ଅତ୍ୟାଚାର କରୁଥିଲେ। ମର୍ତ୍ତ୍ୟବାସୀଙ୍କୁ ଏହି ଅତ୍ୟାଚାରରୁ ମୁକ୍ତି ଦେବା ପାଇଁ ମା’ ଦୁର୍ଗା ଚଣ୍ଡ-ମୁଣ୍ଡଙ୍କୁ ଅନାୟାସରେ ସଂହାର କରିଥିଲେ । ତେବେ ରକ୍ତବୀର୍ଯ୍ୟକୁ ମା’ ସଂହାର କରିବା ମାତ୍ରେ ଏହାର ରକ୍ତ ଭୂମିରେ ପଡ଼ି ସେଥିରୁ ସହସ୍ର ରକ୍ତବୀର୍ଯ୍ୟ ରାକ୍ଷସ ଉତ୍ପନ୍ନ ହୋଇଥିଲେ। ଏଣୁ ରକ୍ତବୀର୍ଯ୍ୟର ଏହି ଅଲୌକିକ ଶକ୍ତିକୁ ନିପାତ କରିବା ପାଇଁ ମା’ ଦୁର୍ଗା କାଳରାତ୍ରୀ ରୂପ ଧାରଣ କରିଥିଲେ। କାଳରାତ୍ରୀ ହେଉଛନ୍ତି କାଳର ଦେବୀ। ଯିଏ ଭୂମିରେ ପଡ଼ୁଥିବା ରକ୍ତବୀର୍ଯ୍ୟର ରକ୍ତକୁ ପାନ କରି ସେଥିରୁ ସୃଷ୍ଟି ହେଉଥିବା ସହସ୍ର ରକ୍ତବୀର୍ଯ୍ୟଙ୍କୁ ସମୂହ ସଂହାର କରିବାରେ ସଫଳ ହୋଇଥିଲେ ।

ମା’ କାଳୀ କାଳରଦେବୀ ଥିଲେ ଏବଂ ଶନିଦେବଙ୍କୁ ମଧ୍ୟ କାଳପୁରୁଷ କୁହାଯାଏ । ଯଦି କୁଣ୍ଡଳିରେ ଶନି ଦଶାଜନିତ ଦୋଷ ଥାଏ, ତେବେ କାଳରାତ୍ରୀଙ୍କୁ ବିଧିବଦ୍ଧ ପୂଜା କଲେ, ଏହା ଦୂର ହୋଇଥାଏ । ଯେଉଁ ଲୋକଙ୍କ କୁଣ୍ଡଳୀରେ ମୃତ୍ୟୁର ଭୟ ଥାଏ, ସେ ନିଜର କିମ୍ବା ନିଜ ସମ୍ପର୍କୀୟଙ୍କ ଦୀର୍ଘଜୀବନ କାମନା କରି ମା’ଙ୍କର ପୂଜା କରନ୍ତି । ଏହା କରିବା ଦ୍ୱାରା ମୃତ୍ୟୁର ଭୟ ଦୂର ହୋଇଥାଏ ।


Share It

Comments are closed.