ଏନଏମଏ ଦ୍ୱାରା ପ୍ରକାଶିତ ଚିଠା ଉପନିୟମ ଗୁଡ଼ିକର ସଠିକ୍ ଭାବରେ ଅଧ୍ୟୟନ କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ମୁଖ୍ୟମନ୍ତ୍ରୀ – ଧର୍ମେନ୍ଦ୍ର ପ୍ରଧାନ


ନୂଆଦିଲ୍ଲୀ/ଭୁବନେଶ୍ୱର, – ଭୁବନେଶ୍ୱରର ଅନନ୍ତ ବାସୁଦେବ ଏବଂ ବ୍ରହ୍ମେଶ୍ୱର ମନ୍ଦିରରେ ଜାତୀୟ ଐତିହ୍ୟ ପ୍ରାଧିକରଣ(ଏନଏମଏ) ଦ୍ୱାରା ପ୍ରକାଶିତ ଚିଠା ଉପନିୟମ ଗୁଡ଼ିକର ସଠିକ୍ ଭାବରେ ଅଧ୍ୟୟନ କରିବା ସହ ଏ ନେଇ ଯଦି ରାଜ୍ୟ ସରକାରଙ୍କର କିଛି ଆପତି ଓ ଅଭିଯୋଗ ରହିଛି ତେବେ ଏହାର ତାଲିକା ପ୍ରସ୍ତୁତ କରି ଏହାକୁ ଭାରତ ସରକାରଙ୍କ ସଂସ୍କୃତି ବିଭାଗର ସଚିବଙ୍କୁ ଲିଖିତ ଭାବରେ ଅବଗତ କରିବା ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଆଶ୍ୱସ୍ତ କରୁଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଓଡ଼ିଶା ଜନସାଧାରଣଙ୍କର ସଂସ୍କୃତି, ଗୌରବ ଏବଂ ଭାବାବେଗକୁ ସମ୍ମାନ ଦେବାରେ ତିଳେମାତ୍ର ଅବହେଳା କରିବେ ନାହିଁ । ରାଜ୍ୟ ସରକାରଙ୍କ ଥିବା ସମସ୍ତ ଅଭିଯୋଗକୁ କଥାବାର୍ତା ମାଧ୍ୟମରେ ସମାଧାନ କରିବା ପାଇଁ ଭାରତ ସରକାର ପ୍ରତିଶ୍ରୁତିବଦ୍ଧ ।
ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ଓଡ଼ିଶାର ସମୃଦ୍ଧ ଐତିହ୍ୟର ସୁରକ୍ଷା ଏବଂ ଭୁବନେଶ୍ୱର ଏକାମ୍ର କ୍ଷେତ୍ରର ଶ୍ରଦ୍ଧାଳୁ, ସେବାୟତ ଏବଂ ଜନସାଧାରଣଙ୍କ ଭାବାବେଗକୁ ସମ୍ମାନ ଦେବା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗଭୀର ଚିନ୍ତା ସ୍ୱାଗତଯୋଗ୍ୟ । ସାଂସ୍କୃତିକ ଓ ଐତିହାସିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଦେଶର ଐତିହ୍ୟ ଗୁଡ଼ିକର ସୁରକ୍ଷା ଆମ ସମସ୍ତଙ୍କର ମିଳିତ ଦାୟିତ୍ୱ । ଇନଟାକର ପ୍ରତିଷ୍ଠାତା ସଦସ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଏହା ବିଷୟରେ ଜାଣିବା ଉଚିତ୍ ଯେ ସମସ୍ତ ବିଜ୍ଞାପିତ ଐତିହ୍ୟର ସୁରକ୍ଷା ଏମସର୍ ଆଇନ, ୧୯୫୮ ସଂସଦରେ ଗୃହୀତ ହୋଇଛି ।
ଏହି ପୁରାତନ କୀର୍ତିରାଜିର ରକ୍ଷଣାବେକ୍ଷଣ, ସୁରକ୍ଷା ଏବଂ ସଂରକ୍ଷଣ ପାଇଁ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଜାତୀୟ ଐତିହ୍ୟ ପ୍ରାଧିକରଣ (ଏନଏମଏ) ଗଠନ କରାଯାଇଛି, ଯାହା ସାଂସ୍କୃତିକ ଓ ଐତିହାସିକ ଗୁରୁତ୍ୱପୂର୍ଣ୍ଣ ସ୍ମାରକୀ ଗୁଡ଼ିକର ସଂରକ୍ଷଣ ଉପରେ ଅଧିକ ଉନ୍ନତି ଆଣିବା ପାଇଁ ଉତମ ନୀତି ଓ ଆଇନଗତ ଢାଂଚା ପ୍ରଦାନ କରିବ ।
ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଦକ୍ଷ କର୍ତୃପକ୍ଷ ହୋଇଥିବାରୁ ଓଡିଶାର ବିଜ୍ଞପ୍ତି ସ୍ମାରକୀ ଚତଃପାଶ୍ୱର୍ରେ ଯେକୌଣସି ପ୍ରକାରର ନିର୍ମାଣ ଏବଂ ବିକାଶ କାର୍ଯ୍ୟ ପାଇଁ ଆବଶ୍ୟକ ଅନୁମତି ପ୍ରଦାନ କରିଆସୁଛନ୍ତି । ଏଥିରୁ ଜଣାପଡୁଛି ଯେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟ ସରକାରଙ୍କ ଅଧିକାରୀମାନେ ବୋଧହୁଏ ଭୁବନେଶ୍ୱରର ଅନନ୍ତ ବାସୁଦେବ ଏବଂ ବ୍ରହ୍ମଶ୍ୱର ମନ୍ଦିରରେ ଏନଏମଏ ଦ୍ୱାରା ପ୍ରକାଶିତ ଚିଠା ଉପନିୟମ ସମ୍ବନ୍ଧରେ ସଠିକ୍ ଭାବରେ ଅବଗତ କରିନାହାନ୍ତି ।
ମୋର ଅନୁରୋଧ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ଯେ ଏହି ସଦ୍ୟତମ ଉପନିୟମ ଗୁଡ଼ିକର ସଠିକ ଭାବରେ ଅଧ୍ୟୟନ କରନ୍ତୁ । ଏହି ଚିଠା ଉପନିୟମ ନେଇ ରାଜ୍ୟ ସରକାରଙ୍କ ଯାହା ଆପତି ରହିଛି ତାହାର ତାଲିକା ପ୍ରସ୍ତୁତ କରିବା ସହ ଏହାକୁ ଭାରତ ସରକାରଙ୍କ ସଂସ୍କୃତି ବିଭାଗର ସଚିବଙ୍କୁ ଲିଖିତ ଭାବରେ ଅବଗତ କରାଇଲେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ଏହାର ସମାଧାନ ବାହାର କରିବେ ବୋଲି ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ଆଶ୍ୱସ୍ତ କରିଛନ୍ତି ।


Share It

Comments are closed.