ଆଜି ଦେଶବ୍ୟାପୀ ଦ୍ବିତୀୟ ପର୍ଯ୍ୟାୟ କରୋନା ଟିକାର ଡ୍ରାଏ ରନ୍


ଦେଶବ୍ୟାପୀ ଟିକାକରଣ ଆଗରୁ ଶୁକ୍ରବାର ସାରା ଦେଶରେ ପୁଣିଥରେ କରୋନା ଟିକାର ଡ଼୍ରାଏ ରନ୍ ହେବ। ଏଥିଲାଗି ଦିନ ୧୦ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ, ଦୁଇ ଘଣ୍ଟା ସ୍ଥିର କରାଯାଇଛି । ୩୩ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଡ଼୍ରାଏ ରନ୍ ହେବ । ଉତ୍ତରପ୍ରଦେଶ ଏବଂ ହରିୟାଣାରେ ଦ୍ବିତୀୟ ଡ୍ରାଏ ରନ୍ ଶେଷ ହୋଇଛି । ଖୁବଶୀଘ୍ର ମଞ୍ଜୁରୀ ମିଳିଥିବା ଦୁଇଟି ଭାକସିନ୍ କୋଭାସିଲଡ୍ ଏବଂ କୋଭାକ୍ସିନ୍ ଉପଲବ୍ଧ ହେବ ।

ଏଥର ୩ ପ୍ରକାର ସ୍ବାସ୍ଥ୍ୟକେନ୍ଦ୍ରରେ ଡ୍ରାଏରନ୍ ହେବ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବା ମେଡିକାଲ କଲେଜ ସହ ଘରୋଇ ସ୍ବାସ୍ଥ୍ୟସେବା କେନ୍ଦ୍ର ଏବଂ ସହରାଞ୍ଚଳ କିମ୍ବା ଗ୍ରାମାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ରରେ ଡ୍ରାଏ ରନ୍ କରାଯିବ । ଡ୍ରାଏ ରନ୍ ସମୟରେ ଟିକାକରଣ କେନ୍ଦ୍ରର ବ୍ୟବସ୍ଥା, ଟିକା ଯୋଗାଣ ଲାଗି କୋଲ୍ଡଚେନ୍ ସିଷ୍ଟମ, ବାୟୋ ମେଡିକାଲ୍ ୱେଷ୍ଟ ମ୍ୟାନେଜମେଣ୍ଟ ଏବଂ କୋ-ୱିନ ସଫ୍ଟୱେରରେ ରିପୋର୍ଟିଂ ଭଳି ପ୍ରକ୍ରିୟା ସହ ଭାକସିନେସନ୍ ଟିମ୍ କୁ ପରିଚିତ କରିବା ଲକ୍ଷ୍ୟ ରହିଛି ।

ଆଜି ସବୁ ଜିଲ୍ଲା ଏବଂ ପୌର ନିଗମରେ କରୋନା ଟିକାର ଡ୍ରାଏରନ୍ କରାଯିବ । ପ୍ରତି ଜିଲ୍ଲାର ୩ଟି କେନ୍ଦ୍ର- ଗୋଟିଏ PHC, CHC ଏବଂ ମେଡିକାଲ କଲେଜରେ ଡ୍ରାଏ ରନ୍ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଟିକାକରଣ ସମୟରେ ଯଦି କାହା ଶରୀରରେ କିଛି ପାର୍ଶ୍ବ ପ୍ରତିକ୍ରିୟା ଦେଖାଦିଏ ତେବେ କଣ କରିବାକୁ ହେବ ସେନେଇ ଆଲୋଚନା କରାଯାଇଛି । ଟିକାକରଣ ପରେ ଭାକସିନ୍ କେନ୍ଦ୍ରରେ ଥିବା ପ୍ରତିକ୍ଷାଳୟରେ ଅଧଘଣ୍ଟା ଅବଜରଭେସନରେ ରହିବେ । ସେଠାରେ ସ୍ବତନ୍ତ୍ର FFI କିଟ୍ ରହିବ ।


Share It

Comments are closed.