ଖାଉଟି ସୁରକ୍ଷା ଆଇନ-୨୦୧୯ ସଂପର୍କିତ ଜାତୀୟ ୱେବିନାର ଆୟୋଜିତ


ରାଜ୍ୟରେ ଉପଭୋକ୍ତାମାନଙ୍କ ସୁରକ୍ଷାକୁ ରାଜ୍ୟ ସରକାର ପ୍ରାଥମିକତା ପ୍ରଦାନ କରୁଛନ୍ତି । ଖାଉଟି ସୁରକ୍ଷା ଆଇନ ୨୦୧୯ ଅନ୍ତର୍ଗତ ନୂତନ ବ୍ୟବସ୍ଥାକୁ ଲାଗୁ କରିବା ସହିତ ବିଭିନ୍ନ ପ୍ରକାର ଖାଉଟି ବିବାଦ ସମାଧାନ ମଞ୍ଚ ପ୍ରତିଷ୍ଠା ଦିଗରେ ଆଶୁ ପଦକ୍ଷେପ ନିଆଯାଉଛି । ଏଥି ସହିତ ନୂତନ ଖାଉଟି ସୁରକ୍ଷା ଆଇନର ବିଭିନ୍ନ ଦିଗ ଓ ବ୍ୟବସ୍ଥା ସଂପର୍କରେ ଖାଉଟିମାନଙ୍କୁ ସଚେତନକରି ଖାଉଟି ସଶକ୍ତିକରଣ ଦିଗରେ ଉଦ୍ୟମ କରାଯାଉଛି ବୋଲି ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି । ଆଜି ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଦ୍ୱାରା ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ, ଓଡିଶା ସହଯୋଗରେ ଆୟୋଜିତ ଖାଉଟି ସୁରକ୍ଷା ଆଇନ ୨୦୧୯ ସଂପର୍କିତ ଏକ ଜାତୀୟ ସ୍ତରର ୱେବିନାରରେ ସମ୍ବୋଧିତ କରି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଲେ ସଂପ୍ରତି ଡିଜିଟାଲ ଓ ଅନଲାଇନ ବ୍ୟାପକ ଉପଯୋଗ ଦ୍ୱାରା ଅର୍ଥନୀତିରେ ବ୍ୟାପକ ପରିବର୍ତ୍ତନ ଆସିଥିବାବେଳେ ଉପଭୋକ୍ତାମାନଙ୍କ ପାଇଁ ମଧ୍ୟ ନୂତନ ପ୍ରକାରର ସମସ୍ୟା ସୃଷ୍ଟି କରିଛି । ଏହି ଦୃଷ୍ଟିରୁ ଉପଭୋକ୍ତାମାନଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ଦେବା ଓ ସେମାନଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ଖାଉଟି ଆଇନ-୨୦୧୯ ପ୍ରଣୟନ କରାଯାଇଛି । ସଚେତନ ନାଗରିକ ଏକ ସଶକ୍ତ ନାଗରିକ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିବା ସହିତ ବିଭାଗ ଦ୍ୱାରା ଏହି ଲକ୍ଷ୍ୟ ପୂରଣ ଦିଗରେ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଇଛି ବୋଲି କହିଥିଲେ । ଆଜିର ୱେବିନାରରେ ଭାଗ ନେଇଥିବା ବକ୍ତାମାନଙ୍କ ମତାମତ ଓ ପ୍ରସ୍ତାବକୁ ତର୍ଜମା କରି କାର୍ଯ୍ୟକାରୀ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ ।
ୱେବିନାରରେ ଓଡିଶା ଉଚ୍ଚନ୍ୟାୟାଳୟର ମାନ୍ୟବର ବିଚାରପତି ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀ ନକଲି ଖାଦ୍ୟ ଦ୍ରବ୍ୟର ଉତ୍ପାଦନ ଓ ବିକ୍ରିକୁ ଦୃଢ ଭାବରେ ଦମନ କରିବା ପାଇଁ କହିଥିଲେ । ଖାଉଟିମାନେ ଅର୍ଥନୀତି ନିମନ୍ତେ ଅପରିହାର୍ଯ୍ୟ ହୋଇଥିବାବେଳେ ସେମାନଙ୍କର ସୁରକ୍ଷା ନିମନ୍ତେ ଖାଉଟି ବିବାଦ ସମାଧାନ ମଞ୍ଚ ଦକ୍ଷ ଲୋକଙ୍କ ଦ୍ୱାରା ପରଚାଳିତ ହେବା ଉଚିତ ବୋଲି କହିଥିଲେ । ଏଥି ସହିତ ଜିଲ୍ଲା ସ୍ତରରେ ମଧ୍ୟସ୍ଥତା କେନ୍ଦ୍ର ଖୋଜାଯିବା ଉପରେ ସେ ମତ ଦେଇଥିଲେ ।
ୱେବିନାରରେ ଓଡିଶା ରାଜ୍ୟ ଖାଉଟି ବିବାଦ ସମାଧାନ କମିଶନର ସଭାପତି ମାନ୍ୟବର ବିଚାରପତି ଜଷ୍ଟିସ ଡ. ଡି.ପି ଚୌଧୁରୀ ଯୋଗଦେଇ ଖାଉଟି ଅଧିକାରର ଇତିହାସ ସଂପର୍କରେ ଆଲୋଚନା କରିବା ଅବସରରେ କହିଲେ, ଖାଉଟି ଜାଣିବା ଅଧିକାର, ପସନ୍ଦ କରିବାର ଅଧିକାର, ସୁରକ୍ଷା ଅଧିକାର ଏବଂ ଖାଉଟି ବ୍ୟକ୍ତ କରିବାର ଅଧିକାର ରହିଛି । ନୂତନ ଆଇନରେ କେନ୍ଦ୍ରୀୟ ଖାଉଟି ସୁରକ୍ଷା ଅଥରିଟି ଖାଉଟିଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ଦେବାରେ ସହାୟକ ହୋଇପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ ।
ଆନ୍ତର୍ଜାତୀୟ ଖାଉଟି ନୀତି ବିଶାରଦ ପ୍ରଫେସର ବେଜନ ମିଶ୍ର କହିଲେ ଖାଉଟିମାନଙ୍କ ମଧ୍ୟରେ ପର୍ଯ୍ୟାପ୍ତ ଭରସା ସୃଷ୍ଟି କରିବା ଆବଶ୍ୟକ । ଓଡିଶା ସରକାରଙ୍କ ‘ମୋ ସରକାର’ ଏବଂ ‘୫-ଟି’ଦିଗରେ ଏକ ଉଚିତ ପଦକ୍ଷେପ ବୋଲି କହିବା ସହ ଖାଉଟିମାନଙ୍କ ନିମନ୍ତେ ଓଡିଶାକୁ ଏକ ମଡେଲ ରାଜ୍ୟରେ ପରିଣତ କରିବା ପାଇଁ କହିଥିଲେ ।
ୱେବିନାର ସ୍ୱାଗତ ଅଭିଭାଷଣ ଦେବା ଅବସରରେ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ, ଓଡିଶାର କୁଳପତି ପ୍ରଫେସର ଯୋଗେଶ ପ୍ରତାପ ସିଂହ କହିଲେ ଯେ, ନୂତନ ଖାଉଟି ସୁରକ୍ଷା ଆଇନ-୨୦୧୯ରେ ଖାଉଟି ସୁରକ୍ଷା ଦିଗରେ ବିସ୍ତୃତ ଭାବରେ ବ୍ୟବସ୍ଥା ରହିଛି ଓ ଖାଉଟି ବିବାଦ ସମାଧାନ ମଞ୍ଚକୁ ଅଧିକ କ୍ଷମତା ଦିିଆଯାଇଛି ।
ଏହି ଅବସରରେ ଆୟୋଜିତ ବୈଷୟିକ ଅଧିବେଶନରେ ଶ୍ରୀମତା ମନୀଷା କାପୁର, ଶ୍ରୀ ଆଦିତ୍ୟ ରାଜ ଓ ଶ୍ରୀ କୃଷ୍ଣ ମହାଜନ ପ୍ରମୁଖ ଯୋଗଦେଇ ଖାଉଟି ସୁରକ୍ଷା ଆଇନ ୨୦୧୯ର ବିଭିନ୍ନ ଦିଗ ସଂପର୍କରେ ଆଲୋଚନା କରିବା ସହିତ ଏହାର ସଠିକ କାର୍ଯ୍ୟକାରିତା ଉପରେ ଗୁରୁତ୍ୱପ୍ରଦାନ କରିଥିଲେ । ଶେଷରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଅତିରିକ୍ତ ଶାସନ ସଚିବ ସତ୍ୟନାରାୟଣ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।


Share It

Comments are closed.