୩୩ତମ ଜାତୀୟ ଉପକନିଷ୍ଠ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟର ପ୍ରସ୍ତୁତି ଅନ୍ତିମ ସୋପନରେ


ଭୁବନେଶ୍ୱର: ଚଳିତ ମାସ ୧୭ ରୁ ୨୨ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଛି ୩୩ ତମ ଜାତୀୟ ଉପକନିଷ୍ଠ ବ୍ୟାଡ଼ମିଣ୍ଟନ (୧୫ ଏବଂ ୧୭ ବର୍ଷରୁ କମ୍) ଟୁର୍ଣ୍ଣାମେଣ୍ଟ । ଉକ୍ତ ଟୁର୍ଣ୍ଣାମେଣ୍ଟରେ ସମ୍ପୁର୍ଣ୍ଣ ଦେଶରୁ ୩୩ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ୬୦୦ରୁ ଉର୍ଦ୍ଧ ପ୍ରତିଯୋଗୀ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଥିବାବେଳେ ଏହାର ମ୍ୟାଚ ଗୁଡ଼ିକ ଚନ୍ଦ୍ରଶେଖରପୁରସ୍ଥିତ ରେଲୱେ ଷ୍ଟାଡ଼ିୟମ୍ ଏବଂ ସହିଦ ନଗରରେଥିବା ପୂର୍ବାଞ୍ଚଳ ସାଇ (ସ୍ପୋର୍ଟସ ଅଥରିଟି ଅଫ୍ ଇଣ୍ଡିଆ)ଏକାଡ଼େମିଠାରେ ଅନୁଷ୍ଠିତ ହେବାକୁ ଯାଉଛି । ଏଥି ପାଇଁ ବର୍ତ୍ତମାନ ସମସ୍ତ ପ୍ରସ୍ତୁତି ଅନ୍ତିମ ସୋପନରେ ରହିଛି, ଯାହାକୁକି ଓଡ଼ିଶା ରାଜ୍ୟ ବ୍ୟାଡ଼ମିଣ୍ଟନ ସଂଘର ସଭାପତି ରୋହିତ୍ ପୁଜାରୀ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନ କରୁଥିବାବେଳେ ନିଲୀନ୍ କୁମାର ସଂପାଦକ ପଦ ତୁଲାଉଛନ୍ତି । ସାଇ ପକ୍ଷରୁ ଉକ୍ତ ଟୁର୍ଣ୍ଣାମେଣ୍ଟ ପାଇଁ ସମସ୍ତ ବର୍ଗରୁ ମୋଟ୍ ୧୯ ଜଣ ଖେଳାଳୀ ଚୟନ ହୋଇଛନ୍ତି ।


ଆଜି ପୂର୍ବାଞ୍ଚଳ ସାଇ ଏକାଡ଼େମିଠାରେ ରୋହିତ୍ ପୂଜାରୀ ଗଣମାଧ୍ୟମକୁ ସୂଚନାଦେଇ କହିଛନ୍ତିଯେ, “ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ ଓଡ଼ିଶା ତଥା ଭୁବନେଶ୍ୱରକୁ କ୍ରୀଡ଼ା ରାଜଧାନୀରୂପେ ପରିଣତ କରିବାର ସ୍ୱପ୍ନ ଦ୍ୱାରା ପ୍ରେରିତହୋଇ ଆମ୍ଭେମାନେ ଏହି ଜାତୀୟ ସ୍ତରୀୟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ଯାଉଛୁ । ଦେଶରେ ବ୍ୟାଡ଼ମିଣ୍ଟନକୁନେଇ ଯେଉଁଭଳି ଆଗ୍ରହ ରହିଛି, ଆମେ ଚାହୁଁକି ଓଡ଼ିଶାର ଖେଳାଳୀମାନେ ମଧ୍ୟ ଏହା ଦ୍ୱାରା ଅନେକ ମାତ୍ରାରେ ପ୍ରୋତ୍ସାହିତ ହୋଇପାରିବେ । ଆମର ସାଇ ଇନଷ୍ଟିଚ୍ୟୁଟରୁ ମଧ୍ୟ ଖୁବ୍ ପ୍ରତିଭାବାନ୍ ଖେଳାଳୀ ଯେପରିକି ପାରା ବ୍ୟାଡ଼ମିଣ୍ଟନ କ୍ଷେତ୍ରରେ ପ୍ରମୋଦ୍ ଭଗତ୍ ଏବଂ ଋତୁପର୍ଣ୍ଣା ପଣ୍ଡାଙ୍କଭଳି ଆନ୍ତର୍ଜାତୀକ ଖେଳାଳୀ ବାହାରି ପାରିଛନ୍ତି । ଏହି ଧାରା ଆଗକୁ ମଧ୍ୟ ବଜାୟ ରହିବ । ଆନ୍ତର୍ଜାତୀୟ ସ୍ତରର ବ୍ୟାଡ଼ମିଣ୍ଟନ ପାଇଁ ଆମ ପାଖେ ବର୍ତ୍ତମାନ ଉପଯୁକ୍ତ ଭିତ୍ତିଭୂମିର ଅଭାବ ରହିଛି, ଯାହାକି ଆଗାମୀ କିଛି ଦିନ ମଧ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହଯୋଗରେ ପୂରଣହୋଇ ଗୋପିଚାନ୍ଦ ଇନଷ୍ଟିଚ୍ୟୁଟ୍ ଶୁଭାରମ୍ଭ ହେବାକୁ ଯାଉଛି । ଏହି ୩୩ତମ ଜାତୀୟ ଉପକନିଷ୍ଠ ବ୍ୟାଡ଼ମିଣ୍ଟନ ଏକ ଷ୍ଟେପିଙ୍ଗ ଷ୍ଟୋନ୍ ପରି କାର୍ଯ୍ୟକରିବବୋଲି ଆମର ବିଶ୍ୱାସ ।
ଉକ୍ତ ଟୁର୍ଣ୍ଣାମେଣ୍ଟ ସମ୍ପର୍କରେ ସାଇ ପକ୍ଷରୁ ଭୁବନେଶ୍ୱରରେ ନିଯୁକ୍ତ ହୋଇଥିବା ପ୍ରଶିକ୍ଷକ, କିରଣ ତିରୁପତି କହିଛନ୍ତିଯେ, “ମୁଁ ସମସ୍ତ ଦିଗରୁ ଯେପରିକି ଶାରିରୀକରୂପେ, ଟେକ୍ନିକାଲି ଏବଂ ମାନସିକରୂପେ ଖେଳାଳୀ ମାନଙ୍କୁ ପ୍ରଶିକ୍ଷଣ ଦେଇଥାଏ । ଜାତୀୟ ସ୍ତରୀୟ ମ୍ୟାଚ୍ ପାଇଁ ଓଡ଼ିଶାରେଥିବା ଖେଳାଳୀ ମାନଙ୍କର ମଧ୍ୟ ଅନେକ ପ୍ରତିଭା ରହିଛି । ତଥାପି ସେମାନଙ୍କୁ ଆହୁରି ଦକ୍ଷ କରିବା ପାଇଁ ଅନେକ ଗୁଡ଼ିଏ ପ୍ରାକ୍ଟିସ୍ ଟୁର୍ଣ୍ଣାମେଣ୍ଟ କରାଯାଉଛି ।
ଏହି ଅବସରରେ ଅଭ୍ୟାସରତ ପ୍ରତିଯୋଗୀଙ୍କ ମଧ୍ୟରୁ କଟକର ଶୃତି ସ୍ୱାଇଁ କହିଛନ୍ତିଯେ, “ମୁଁ ଗତ ଦୁଇ ବର୍ଷହେଲା ଏହି ସାଇ ଅନୁଷ୍ଠାନରେ ପ୍ରଶିକ୍ଷଣ ନେଉଛନ୍ତି । ପୂର୍ବରୁ ଅନେକ କୋଚ୍ଆସି ଆମକୁ ଟ୍ରେନିଂ ଦେଇଥିଲେ ମଧ୍ୟ କିରନ୍ ସାରଙ୍କର ଟ୍ରେନିଂ ବହୁତ ଉଚ୍ଚମାନର । ଏହି ଜାତୀୟ ଟୁର୍ଣ୍ଣାମେଣ୍ଟ ଓଡ଼ିଶାରେ ହେଉଥିବାରୁ ମୁଁ ବହୁତ ଉତ୍ସାହିତ ଏବଂ ଭବିଷ୍ୟତରେ ଅଲମ୍ପିଆନ୍ ପି.ଭି ସିନ୍ଧୁଙ୍କଭଳି ଖେଳିବା ପାଇଁ ଲକ୍ଷ୍ୟ ରଖିଛି । ଏହି କ୍ରମରେ ଅନ୍ୟ ଏକ ପ୍ରତିଯୋଗୀ ଆୟୁଶ ଦାଶ କହିଛନ୍ତିଯେ, “ଏହି ଟୁର୍ଣ୍ଣାମେଣ୍ଟକୁନେଇ ମୁଁ ଖୁବ୍ ଉତ୍ସାହିତ । ଏଥର ଆମ କୋଚ୍ ଆମକୁ ଖୁବ୍ ଭଲରେ ପ୍ରଶିକ୍ଷଣ ଦେଇଛନ୍ତି । କ୍ୱାଟର ଫାଇନାଲ କିମ୍ବା ସେମିଫାଇନାଲ୍ ପର୍ଯ୍ୟନ୍ତ ଯିବା ପାଇଁ ମୁଁ ଲକ୍ଷ୍ୟ ରଖିଛି । ଯେହେତୁ ମ୍ୟାଚ୍ ଭୁବନେଶ୍ୱରରେ ହେଉଛି ସେଥିପାଇଁ ମୁଁ ମୋର ଶତ ପ୍ରତିଶତ ଦେବିବୋଲି ଆଶା ରଖିଛି ।


Share It

Comments are closed.