ଜାତୀୟ ମିଡ଼ିଆ ମହାକୁମ୍ଭ ଉଦ୍‌ଯାପିତ


ଭୁବନେଶ୍ୱର : ଗଣମାଧ୍ୟମ ହେଉଛି ଧ୍ୟାନ ବା ସାଧନା ସଦୃଶ । ତଥ୍ୟ ପାଇବା ପାଇଁ ଅନ୍ତହୀନ ଭାବରେ ବୌଦ୍ଧିକ ଅନୁସଂଧାନ, ଉଦ୍‌ଭାବନ ଏବଂ ଧ୍ୟାନର ପରିଣାମ ହେଉଛି ‘ଡିଜିଟାଲ ଟେକ୍ନୋଲୋଜି’ର ଆବିଷ୍କାର । ବାଲ୍ମିକୀ ଓ ବ୍ୟାସ ଦେବଙ୍କ ଭଳି ମହାପୁରୁଷମାନଙ୍କର ରଚିତ ରାମାୟଣ ଓ ମହାଭାରତ ଆଦି ଗ୍ରନ୍ଥରେ ପଶୁ, ପକ୍ଷୀ, ଗଛ ଓ ପଥର ଇତ୍ୟାଦିଙ୍କ ମନର କଥାକୁ ଆଧ୍ୟାତ୍ମିକ ବଳରେ ଜାଣିପାରିବା କଥା ହେଉଛି ବର୍ତମାନର ଡିଜିଟାଲ ଟେକ୍ନୋଲୋଜି ସଦୃଶ । ମାତ୍ର ଆର୍ଟିଫିସିଆଲ ଇଣ୍‌ଟେଲିଜେନ୍‌ସ୍ (ଏ.ଆଇ.) ତଥା କୃତ୍ରିମ ବୌଦ୍ଧିକତା କେବେବି ମାନବୀୟ ବୌଦ୍ଧିକତାର ବିକଳ୍ପ ନୁହେଁ ବୋଲି ଓଡ଼ିଶାର ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମତବ୍ୟକ୍ତ କରିିଥିଲେ ।
ଅନଲାଇନ୍‌ରେ ଗତ ତିନିଦିନ ଧରି ଚାଲିଥିବା ମିଡ଼ିଆ ମହାକୁମ୍ଭର ପଂଚମ ସଂସ୍କରଣର ଆଜି ଉଦ୍‌ଯାପିତ ସମାରୋହରେ ଯୋଗଦେଇ ସେ ସମ୍ମିଳନୀର ଶୀର୍ଷକ “ଗଣମାଧ୍ୟମ ଓ ଡିଜିଟାଲ ଟେକ୍ନୋଲୋଜି” ନିଜର ମତବ୍ୟକ୍ତକରି ଗଣମାଧ୍ୟମର ନୂତନ ସଂଜ୍ଞା ନିରୂପଣ କରିଥିଲେ ।
ମୁଖ୍ୟ ବ୍ୟକ୍ତା ତଥା ପ୍ରଖ୍ୟାତ ସାମ୍ବାଦିକ ଓ ପରୀର ସଂସ୍ଥାପକ ସଂପାଦକ ପି. ସାଇନାଥ ଯୋଗଦେଇ ବର୍ତମାନ ଜାତୀୟ ସାମ୍ବାଦିକତାରେ ନୈତିକ ମୂଲ୍ୟବୋଧର ଅଭାବ ଉପରେ ନିଜର ମନ୍ତବ୍ୟ ରଖିଥିଲେ । ମିଡିଆ ଓ ସାମ୍ବାଦିକତାର ଅର୍ଥ ଏକ ହୋଇଥିଲେ ମଧ୍ୟ ତାହା ଆଜି ଭିନ୍ନ ଅର୍ଥରେ ପରିଲଖିତ ହେଉଅଛି । ମିଡିଆର ଅର୍ଥ ବେପାରରେ ପରିଣତ ହୋଇଥିବା ବେଳେ ସାମ୍ବାଦିକତାର ଅର୍ଥ ଆବେଗାତ୍ମକ ସେବା ବୋଲି ସେ କହିଥିଲେ । କିଛି ମୁଷ୍ଟିମେୟ ବ୍ୟକ୍ତିଙ୍କ ହାତରେ ଜାତୀୟ ଗଣମାଧ୍ୟମ ପରିଚାଳିତ ହେଉଛି । ଫଳରେ ଲୋକଙ୍କ ପ୍ରକୃତ ସମସ୍ୟା ସେଥିରେ ସ୍ଥାନ ପାଇବାରେ ବଂଚିତ ହେଉଛି ବୋଲି ସେ କ୍ଷୋଭ ପ୍ରକାଶ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଏମ.ଜି.ଏମ୍‌. ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ସୁଧିର ଗାଭାନେ, ତେଜପୁର ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର ସୁନିଲ କାନ୍ତ ବେହେରା, ମଣିପାଲ ଇନିଷ୍ଟିଚ୍ୟୁଟ୍ ଅଫ୍ କମ୍ୟୁନିକେଶନର ପ୍ରଫେସର ବି. ପି. ସଂଜୟ ପ୍ରମୁଖ ଯୋଗଦେଇ ଗଣମାଧ୍ୟମ ଏବଂ ଡିଜିଟାଲ ଟେକ୍ନୋଲୋଜିର ଭୂମିକା ଉପରେ ବିଷଦ ଆଲୋଚନା କେରିଥିଲେ । ପଣ୍ଡିତ ଦିନଦୟାଲ ଶକ୍ତି ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ଡଃ ଅମ୍ରିତା ଚକ୍ରବର୍ତୀ ଉଦ୍‌ଯାପନୀ ସଭାକୁ ପରିଚାଳନା କରିଥିଲେ ।
ଦିବସର ପ୍ରଥମ ଭାଗରେ ଷଷ୍ଠତମ ପ୍ଲେନାରୀ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ଏଥିରେ ହାଇଦରାବାଦ୍ ବିଶ୍ୱବିଦ୍ୟାଳୟର ପ୍ରଫେସର ବିନୋଦ ପାବରାଲା, ଚିତଗଙ୍ଗ ବିଶ୍ୱବିଦ୍ୟାଳୟର ପ୍ରଫେସର ମହମଦ୍ ସହିଦ୍ ଉଲ୍ଲାହ, କାଠମାଣ୍ଡୁ ବିଶ୍ୱବିଦ୍ୟାଳୟର ପ୍ରଫେସର ଡଃ ସୁଧାଂଶୁ ଦାହାଲ, ହାଇଦରାବାଦ୍ ବିଶ୍ୱବିଦ୍ୟାଳୟର ପ୍ରଫେସର କାଂଚନ କେ ମଲିକ ଏବଂ ରେଡିଓ ନମସ୍କାରର ମୁଖ୍ୟ ଏନ୍‌.ଏ. ସାହା ଅନସାରି ପ୍ରମୁଖ ଯୋଗଦେଇ “ଗୋଷ୍ଠୀ ଗଣମାଧ୍ୟମ, ନାଗରିକ ସମାଜ ଓ ସାମାଜିକ ସଶକ୍ତିକରଣ” ବିଷୟବସ୍ତୁ ଉପରେ ଆଲୋଚନା କରିଥିଲେ ।
ମିଡ଼ିଆ ମହାକୁମ୍ଭର ଦ୍ୱିତୀୟ ଦିବସରେ “ଭାରତରେ ୧୦୦ ବର୍ଷର ଗଣମାଧ୍ୟମ ଶିକ୍ଷା: ଏହାର ଇତିହାସ ଓ ଭବିଷ୍ୟତ ମାର୍ଗ” ଓ “କୁଶଳୀ, ପୁନଃକୁଶଳୀ ଓ ବୃତିଭିତିକ ଗଣମାଧ୍ୟମ ଦକ୍ଷତା” ଶୀର୍ଷକ ଦୁଇଟି ଅଧିବେଶନ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଭିନ୍ନ ବିଶ୍ୱବିଦ୍ୟାଳୟର ପ୍ରଫେସର ଓ ସାମ୍ବାଦିକ ଯୋଗ ଦେଇ ଏହି ବିଷୟବସ୍ତୁ ଉପରେ ଆଲୋକପାତ କରିଥିଲେ । ପାଂଚଗୋଟି ସମାନ୍ତରାଳ ଅଧିବେଶନରେ ପ୍ରାୟ ୮୦ ଜଣ ଶିକ୍ଷାବିତ୍‌, ଗବେଷକ ଓ ଛାତ୍ରଛାତ୍ରୀ ସେମାନଙ୍କର ଗବେଷଣାତ୍ମକ ସନ୍ଦର୍ଭ ପାଠ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ସମ୍ମିଳନୀର ଅଧ୍ୟକ୍ଷ ଏବଂ ଆଇ.ଏମ୍‌.ଏସ୍‌.ର ନିର୍ଦ୍ଦେଶକ ପ୍ରଫେସର ଉପେନ୍ଦ୍ର ପାଢୀ ଅତିଥିମାନଙ୍କର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବାବେଳେ, ଗଣମାଧ୍ୟମ ବିଭାଗର ମୁଖ୍ୟ ତଥା ସମ୍ମିଳନୀର ଆବାହକ ମନୋରଂଜନ ପଣ୍ଡା ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବଭିନ୍ନ ବିଶ୍ୱବିଦ୍ୟାଳୟର ଗଣମାଧ୍ୟମ ବିଭାଗ ଯଥା ବିର୍ଲା ଗ୍ଲୋବାଲ ବିଶ୍ୱବିଦ୍ୟାଳୟର ଡଃ ଜ୍ଞାନରଂଜନ ମିଶ୍ର, ରେଭେନ୍‌ସା ବିଶ୍ୱବିଦ୍ୟାଳୟର ଡଃ ଜୟନ୍ତ ସ୍ୱାଇଁ, ସେଂଚୁରିଅନ୍ ବିଶ୍ୱବିଦ୍ୟାଳୟର ଡଃ ଅମ୍ବିକା ଶଙ୍କର ମିଶ୍ର, କିଟ୍ ବିଶ୍ୱବିଦ୍ୟାଳୟର ଡଃ ଅନୁରାଗ ସାହୁ, ପ୍ରମୁଖ ଯୋଗଦେଇ ସମ୍ମିଳନିକୁ ସାଫଲ୍ୟ ମଣ୍ଡିତ କରିଥିଲେ । ଏହି ସମ୍ମିଳନୀଟି ଇନିଷ୍ଟିଚ୍ୟୁଟ୍ ଅଫ୍ ମିଡିଆ ଷ୍ଟଡିଜ୍ (ଆଇ.ଏମ୍‌.ଏସ), ଉତ୍କଳ ବିଶ୍ୱବିଦ୍ୟାଳୟ ଓ ନୂଆଦିଲ୍ଲୀସ୍ଥିତ ମିଡିଆ ଏଣ୍ଡ ଏଣ୍‌ଟରଟେନମେଣ୍‌ଟ ସ୍କିଲ୍ କାଉନ୍‌ସିଲ (ଏମ୍‌.ଇ.ଏସ୍‌.ସି)ର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିଲା ।


Share It

Comments are closed.