୩୦ ବର୍ଷ ପରେ ଜେଲ୍‌ରୁ ବାହାରିବେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ହତ୍ୟାକାରୀ


ଜେଲରୁ ବାହାରିବେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ୬ ହତ୍ୟାକାରୀ। ସୁପ୍ରିମକୋର୍ଟ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ୬ଜଣ ହତ୍ୟାକାରୀଙ୍କୁ ତୁରନ୍ତ ମୁକ୍ତି ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଦୋଷୀଙ୍କ ଭିତରେ ନଳିନୀ, ରବିଚନ୍ଦ୍ରନ, ମୁରୁଗନ୍, ସନ୍ଥନ, ଜୟକୁମାର ଓ ରବର୍ଟ ପାୟର୍ସ ରହିଛନ୍ତି। ଏହା ପୂର୍ବରୁ ୧୭ ମଇରେ ସୁପ୍ରିମକୋର୍ଟ ଏହି ମାମଲାରେ ଦୋଷୀ ପେରାରିଭାଲାନ୍‌ଙ୍କ ମୁକ୍ତି ନିର୍ଦେଶ ଦେଇଥିଲେ। ଅନ୍ୟ ଦୋଷୀମାନେ ମଧ୍ୟ ସେହି ନିର୍ଦେଶକୁ ଦର୍ଶାଇ କୋର୍ଟଙ୍କୁ ମୁକ୍ତି ପାଇଁ ଦାବି କରିଥିଲେ।

ଜଷ୍ଟିସ୍‌ ବିଆର ଗଭଇ ଓ ଜଷ୍ଟିସ ନାଗରତ୍ନଙ୍କ ଖଣ୍ଡପୀଠ କହିଛନ୍ତି, ତାମିଲନାଡୁ ସରକାର ଏହି ଦୋଷୀଙ୍କୁ ମୁକ୍ତ କରିବାର ସୁପାରିଶ ରାଜ୍ୟପାଳଙ୍କୁ ପଠାଇଥିଲେ। କିନ୍ତୁ ରାଜ୍ୟପାଳ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇ ନାହାନ୍ତି। ପେରାରିଭାଲାନ୍‌ଙ୍କ ମାମଲାରେ ସୁପ୍ରିମକୋର୍ଟ କହିଥିଲେ ଯେ, ରାଜ୍ୟପାଳ, ରାଜ୍ୟ ସରକାରଙ୍କ ସୁପାରିଶ ମାନିବାକୁ ବଧ୍ୟ। ରାଜ୍ୟପାଳଙ୍କ ପକ୍ଷରୁ ଦୋଷୀଙ୍କ ମୁକ୍ତି ନେଇ ନିଷ୍ପତ୍ତି ନେବାରେ ବିନା କାରଣରେ ବିଳମ୍ବ ହୋଇଛି। ତେଣୁ ସୁପ୍ରିମକୋର୍ଟ ଆର୍ଟିକିଲ ୧୪୨ ଅନୁସାରେ ମିଳିଥିବା ସ୍ବତନ୍ତ୍ର ଶକ୍ତିର ବ୍ୟବହାର କରି ପେରାରିଭାଲାନ୍‌ଙ୍କ ମାମଲାରେ ଦିଆଯାଇଥିବା ନିର୍ଦ୍ଦେଶ ଏହି ଦୋଷୀଙ୍କ ଉପରେ ମଧ୍ୟ ଲାଗୁ ହେଉଛି। ତେଣୁ ତାଙ୍କୁ ତୁରନ୍ତ ମୁକ୍ତ କରାଯାଉ।

ସୁପ୍ରିମକୋର୍ଟ କହିଛନ୍ତି, ଦୋଷୀମାନେ ୩୦ ବର୍ଷରୁ ଅଧିକ ସମୟ ଜେଲ୍‌ରେ କାଟିଛନ୍ତି ଓ ଜେଲ୍‌ରେ ତାଙ୍କ ବ୍ୟବହାର ଭଲ ରହିଛି। କେବଳ ରବର୍ଟ ପାୟର୍ସ ବହୁ ରୋଗରେ ପୀଡିତ ଥାଇ ଡିଗ୍ରୀ ହାସଲ କରିଛନ୍ତି। ଜୟକୁମାର ମଧ୍ୟ ଜେଲରେ ପାଠ ପଢିଥିଲେ। ସନ୍ଥନ ରୋଗରେ ପୀଡିତ ରହି ମଧ୍ୟ ବହୁ ପ୍ରବଦ୍ଧ ଲେଖିଛନ୍ତି, ଯେଉଁ କାରଣରୁ ତାଙ୍କୁ ବହୁ ପୁରସ୍କାର ମଧ୍ୟ ମିଳିଛି। ନଳିନୀ, ରବିଚନ୍ଦ୍ରନ, ମୁରୁଗାନ୍‌ଙ୍କ ଜେଲ୍‌ରେ ଭଲ ବ୍ୟବହାର ରହିଛି। ୩୦ ବର୍ଷରୁ ଅଧିକ ସମୟ ହେବ ସେମାନେ ଜେଲରେ ରହୁଛନ୍ତି ଓ ଏହି ସମୟରେ ସେମାନେ ଶିକ୍ଷା ଗ୍ରହଣ ମଧ୍ୟ କରିଛନ୍ତି। ଉଲ୍ଲେଖନୀୟ ଯେ, ୧୯୯୧ ମସିହା ମେ’ ୨୧ ତାରିଖରେ ରାଜୀବ ଗାନ୍ଧିଙ୍କୁ ଜଣେ ମହିଳା ଆତ୍ମଘାତୀ ବିସ୍ଫୋରଣରେ ହତ୍ୟା କରିଥିଲେ। ଏଥିରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧି ଓ ଅନ୍ୟ ୨୧ ଜଣଙ୍କ ମୃତ୍ୟୁ ଘଟିଥିଲା।


Share It

Comments are closed.