ଆରପାରିରେ ବିଶିଷ୍ଟ ଶାସ୍ତ୍ରୀୟ ସଙ୍ଗୀତ ଗାୟକ ପଣ୍ଡିତ ଯଶରାଜ


ପ୍ରସିଦ୍ଧ ଶାସ୍ତ୍ରୀୟ ସଙ୍ଗୀତ ଗାୟକ ପଣ୍ଡିତ ଯଶରାଜ ଆଉ ନାହାନ୍ତି । ଆମେରିକାରେ  ୯୦ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ‘ପଣ୍ଡିତଜୀ’ ଭାବରେ ପରିଚିତ ପଣ୍ଡିତ ଯଶରାଜ ଭାରତୀୟ ସଙ୍ଗୀତ ଜଗତର ଧ୍ରୁବତାରା ରୂପେ ପରିଗଣିତ ଓ ସେ ମେୱାନୀ ଘରାନା ସହ ସମ୍ପୃକ୍ତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଣ୍ଡିତ ଯଶରାଜଙ୍କ ପରଲୋକରେ ଶୋକ ପ୍ରକାଶ କରିବା ସହ ତାଙ୍କର ବିୟୋଗ ସଙ୍ଗୀତ ଜଗତରେ ଏକ ଶୂନ୍ୟସ୍ଥାନ ସୃଷ୍ଟି କରିଛି ବୋଲି କହିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପଣ୍ଡିତ ଯଶରାଜ କେବଳ ଅସାଧାରଣ ବ୍ୟକ୍ତିତ୍ୱ ନ ଥିଲେ, ଗୁରୁ ରୂପେ ତାଙ୍କର ଭିନ୍ନ ପରିଚୟ ଥିଲା । ତାଙ୍କର ପରିବାର ଓ ସାରା ବିଶ୍ୱରେ ତାଙ୍କର ପ୍ରଶଂସକଙ୍କ ପ୍ରତି ମୋର ସମବେଦନା ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ।

ପଣ୍ଡିତ୍ ମହାରାଜଙ୍କ ଝିଅ ଦୁର୍ଗା ଯଶରାଜ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଆମେରିକୀୟ ସମୟ ସକାଳ ୫.୧୫ରେ ତାଙ୍କର ହୃଦଘାତରେ ପରଲୋକ ଘଟିଛି ବୋଲି ଦୁର୍ଗା ଯଶରାଜ କହିଛନ୍ତି । ପଣ୍ଡିତ ମହାରାଜ ନିଜ ଜୀବନ କାଳରେ ପଦ୍ମ ବିଭୂଷଣ, ପଦ୍ମଭୂଷଣ, ପଦ୍ମଶ୍ରୀ, ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର, ମାରୱାଡ଼ ସଙ୍ଗୀତ ରତ୍ନ ପୁରସ୍କାର ଆଦି ସମ୍ମାନରେ ସମ୍ମାନିତ ହୋଇଛନ୍ତି । ୧୯୩୦ ଜାନୁଆରୀ ୨୮ ତାରିଖରେ ହିସାରରେ ଜନ୍ମଗ୍ରହଣ କରିଥିବା ପଣ୍ଡିତ ଯଶରାଜ ୪ ବର୍ଷ ବୟସରେ ପିତାଙ୍କୁ ହରାଇଥିଲେ । ବଡ଼ଭାଇ ତାଙ୍କର ଲାଳନପୋଷଣ କରିଥିଲେ । ପିଲାଦିନେ ଯଶରାଜଙ୍କୁ ତାଙ୍କର ପିତା ପଣ୍ଡିତ ମୋତିରାମ ସଙ୍ଗୀତ ଶିକ୍ଷା ଦେଇଥିଲେ ଓ ପିତାଙ୍କ ପରଲୋକ ପରେ ଭାଇ ପଣ୍ଡିତ ପ୍ରତାପ ନାରାୟଣ ତବଲା ଶିକ୍ଷା ପ୍ରଦାନ କରିଥିଲେ । ୧୪ ବର୍ଷ ବୟସରେ ସେ ସଙ୍ଗୀତଗାନ ପ୍ରଶିକ୍ଷଣ ଆରମ୍ଭ କରିଥିଲେ ଓ ଏହାପୂର୍ବରୁ ତବଲା ବାଦନ ଶିକ୍ଷା ଶେଷ କରିଥିଲେ । ତାଙ୍କ ଜୀବନକାଳ ମଧ୍ୟରେ ପଣ୍ଡିତଜୀ ଭାରତ,କାନାଡ଼ା ଓ ଆମେରିକାରେ ସଙ୍ଗୀତ ଶିକ୍ଷା ଦେଇଥିଲେ ।


Share It

Comments are closed.