ପବିତ୍ର ରଥଯାତ୍ରା: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ


ସମୟ ଗଡ଼ୁଛି ଉତ୍କଣ୍ଠା ଗଡ଼ୁଛି ରଥରେ ବିଶ୍ୱ ନିୟନ୍ତାଙ୍କୁ ଦେଖିବାକୁ ମନ ଆତୁର ହେଉଛି । ଆଜି ପବିତ୍ର ରଥଯାତ୍ରା ବା ଶ୍ରୀଗୁଣ୍ଡିଚା ଯାତ୍ରା । ରତ୍ନ ସିଂହସନ ଛାଡ଼ି ବଡ଼ଦାଣ୍ଡକୁ ଓହ୍ଲାଇବେ ଶ୍ରୀଜିଉ । ତିନି ରଥରେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯିବେ ତିନି ଠାକୁର । ପବିତ୍ର ଘୋଷଯାତ୍ରା ଅବସରରେ ରାଷ୍ଟ୍ରପତି ଦ୍ରୌପତୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ପବିତ୍ର ରଥଯାତ୍ରା ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଟ୍ବିଟ କରି ରାଷ୍ଟ୍ରପତି କହିଛନ୍ତି, ”ପ୍ରଭୁ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରାରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ । ଭକ୍ତି ଓ ସମର୍ପଣର ଏହି ପର୍ବରେ ମହାପ୍ରଭୁ ଜଗତର ନାଥ ଜଗନ୍ନାଥ ସମସ୍ତଙ୍କୁ ସୁଖ, ସୁସ୍ଥ ଓ ସମୃଦ୍ଧି ଦିଅନ୍ତୁ ଏତିକି କାମନା ।”
ସେହିପରି ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରାର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ଟ୍ବିଟ କରି କହିଛନ୍ତି, ”ପବିତ୍ର ରଥଯାତ୍ରାର ଶୁଭେଚ୍ଛା । ସମଗ୍ର ବିଶ୍ବରେ ରଥଯାତ୍ରାର ଏକ ସ୍ବତନ୍ତ୍ର ପରିଚୟ ରହିଛି । ଦେଶର ଅଲଗା ଅଲଗା ରାଜ୍ୟରେ ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ଧୁମଧାମରେ ପାଳନ ହୋଇଥାଏ । ଓଡିଶା ପୁରୀର ରଥଯାତ୍ରା ଅଦ୍ଭୂତ । ଏହି ରଥଯାତ୍ରା ଏକ ଭାରତ ଓ ଶ୍ରେଷ୍ଠ ଭାରତର ପ୍ରତୀକ । ମହାପ୍ରଭୁ ଜଗନ୍ନାଥ ସମସ୍ତଙ୍କୁ ସୁସ୍ଥ, ସୁଖ ଓ ସମୃଦ୍ଧି ଆଣି ଦିଅନ୍ତୁ ଏତିକି କାମନା ।”
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶ୍ୱ ନିୟନ୍ତା ବଡ ଠାକୁରଙ୍କ ରଥଯାତ୍ରା ଶୁଭେଚ୍ଛା ଜଣାଇଛନ୍ତି । ସେ ଟ୍ବିଟ୍‌ କରି ଲେଖିଛନ୍ତି, ”ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଶ୍ରୀଗୁଣ୍ଡିଚା ଅବସରରେ ସମସ୍ତଙ୍କୁ ମୋର ଶୁଭେଚ୍ଛା । ଓଡ଼ିଶା ତଥା ଓଡିଶାବାସୀଙ୍କ ସୁଖ ଓ ସମୃଦ୍ଧି ପାଇଁ ମହାପ୍ରଭୁଙ୍କ ଆଶୀର୍ବାଦ କାମନା କରୁଛି ।”
ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମଧ୍ୟ ପବିତ୍ର ରଥଯାତ୍ରା ଶୁଭେଚ୍ଛା ଜଣାଇଛନ୍ତି । ସେ ଟ୍ବିଟ୍‌ କରି ଲେଖିଛନ୍ତି, ”ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ୨୦୨୩ ଅବସରରେ ମୁଁ ବିଶ୍ୱ ର କୋଣ ଅନୁକୋଣରେ ଥିବା ଶ୍ରୀଜଗନ୍ନାଥପ୍ରେମୀ ଭକ୍ତଜନଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଉଛି । ଶ୍ରୀଜଗନ୍ନାଥ ଚେତନା ଓ ଦର୍ଶନ ରହିଛି ମାନବଜାତିର ଉତ୍ତରଣ ଓ ଆଧ୍ୟତ୍ମ ଅନ୍ବେଷଣର ମାର୍ଗ । ସମାଜର ଏହା ଶାନ୍ତି, ମୈତ୍ରୀ, ପ୍ରେମ ଓ ଭ୍ରାତୃଭାବର ପ୍ରତିଷ୍ଠାରେ ସହାୟକ ହେଉ ବୋଲି କାମନା କରୁଛି ।”
ପବିତ୍ର ଘୋଷଯାତ୍ରା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ କରି ଶୁଭେଚ୍ଛ ଜଣାଇଛନ୍ତି । ଟ୍ବିଟ୍‌ କରି ସେ ଲେଖିଛନ୍ତି, ”ପବିତ୍ର ରଥଯାତ୍ରାର ହାର୍ଦ୍ଦିକ ଶୁଭକାମନା । ମହାପ୍ରଭୁ ଜଗନ୍ନାଥ ସମସ୍ତଙ୍କୁ ସୁସ୍ଥ, ସୁଖ ଆଉ ସମୃଦ୍ଧି ଦିଅନ୍ତୁ । ଜୟ ଜଗନ୍ନାଥ ।” ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା ନେଇ ବଡଦାଣ୍ଡରେ ତିନିଠାକୁରଙ୍କ ଅପେକ୍ଷାରେ ରହିଛି ତିନିରଥ ନନ୍ଦିଘୋଷ, ତାଳଧ୍ବଜ ଓ ଦର୍ପଦଳନ । କେତେବେଳେ କାଳିଆ ସାଆନ୍ତେ ଝୁଲିଝୁଲି ଆସିବେ ରଥରେ ବିରାଜିବେ । ରଥ ପଥ ପ୍ରସ୍ତୁତ ଅପେକ୍ଷା କେବଳ ସେ ଦିବ୍ୟ ମୁହୂର୍ତ୍ତକୁ । ସକାଳ ସାଢେ 9ଟାରେ ପହଣ୍ଡି ଅପରାହ୍ନ 4ଟାରୁ ରଥରଣା ଆରମ୍ଭ ପାଇଁ ନୀତି ନିର୍ଘଣ୍ଟ ହୋଇଛି ।


Share It

Comments are closed.