ଟି-୨୦ ବିଶ୍ୱକପ ସେମିଫାଇନାଲ କଥା ମନେ ପକାଇ ପୁରୁଣା ଦିନର ସ୍ମୃତି ବଖାଣିଲେ କୋହଲି


ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ନିଜ ଟ୍ୱିଟ ଏବଂ ଫେସବୁକ ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ଭୂମିରେ ଆଣ୍ଠେଇ ବସି ବ୍ୟାଟକୁ ନିଜ ମୁଣ୍ଡରେ ଲଗାଇଥିବାବେଳେ ଅନ୍ୟପଟେ ଧୋନି ତାଙ୍କୁ ଆଡକୁ ଅଗ୍ରସର ହେବାର ଦେଖିବାକୁ ମିଳୁଛି । ବିରାଟ ଏହି ଫଟୋକୁ ସେୟାର କରିବା ସହ ନିଜ ଅତୀତର ସ୍ମୃତିକୁ ମନେ ପକାଇ ଲେଖିଛନ୍ତି ଯେ, “ଏକ ଏଭଳି ଖେଳ ଯାହାକୁ ମୁଁ କେବେବି ଭୁଲି ପାରିବି ନାହିଁ, ବହୁତ ମହତ୍ତ୍ୱପୂର୍ଣ୍ଣ ରାତି, ଏହି ବ୍ୟକ୍ତି ଜଣକ ମୋତେ ଏଭଳି ଦୌଡାଇଥିଲେ ଯେପରି ସେ ମୋର ଫେଟିନେଓ ଟେଷ୍ଟ ନେଉଛନ୍ତି ।


ପ୍ରକାଶ ଥାଉକି, ଏହି ଫଟୋଟି ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲୁଥିବା ୨୦୧୬ ଟି-୨୦ ବିଶ୍ୱକପ ସେମିଫାଇନାଲର ଅଟେ । ମୋହାଲିରେ ଖେଳାଯାଉଥିବା ଏହି ମ୍ୟାଚରେ ଭାରତୀୟ ଦଳ ୧୬୧ ରନର ଲକ୍ଷ୍ୟକୁ ଫିଛା କରୁଥିଲେ । ଏହି ସେମିଫାଇନାଲ ମ୍ୟାଚରେ ୧୪ ଓଭରରେ ଯୁବରାଜ ଆଉଟ ହେବା ପରେ ଭାରତର ସ୍ଥିତ ଖୁବ ଜଟିଳ ହୋଇପଡିଥିଲା ।ଭାରତ ଶେଷ ୬ ଓଭରରେ ୬୭ ରନର ଆବଶ୍ୟକତା ଥିବାବେଳେ ବିରାଟ ଏବଂ ଧୋନି ଏହି ମ୍ୟାଚର ଡୋରି ସମ୍ଭାଳିଥିଲେ । ଉଭୟ ଛକା, ଚୌକା ମାରିବା ସହ ସିଙ୍ଗଲ, ଡବଲ ଏବଂ ଟ୍ରିପଲ କରି ଭାରତକୁ ବିଜୟର ଦ୍ୱାର ମଧ୍ୟ ଦେଖାଇଥିଲେ । ଏହି ମ୍ୟାଚରେ ଧୋନି ଖୁବ ସହଜରେ ସିଙ୍ଗଲ, ଡବଲ ଏବଂ ଟ୍ରିପଲ କରି ରନ ସଂଗ୍ରହ କରିନେଉଥିବାବେଳେ ଅନ୍ୟପଟେ ବିରାଟ ଧଇଁସଇଁ ହୋଇପଡିଥିଲେ । ସେଥିପାଇଁ ସେ ଟିକେ ନିଶ୍ୱାସ ନେବା ପାଇଁ ଭୂମିରେ ବସି ପଡିଥିଲେ ।


Share It

Comments are closed.