କୋଭିଡ୍ ସମୟରେ ପେଟ୍ରୋଲିୟମ ଓ ଗ୍ୟାସ ଶିଳ୍ପସଂସ୍ଥାର କାର୍ଯ୍ୟ ପ୍ରଶଂସନୀୟ – ଧର୍ମେନ୍ଦ୍ର ପ୍ରଧାନ


ନୂଆଦିଲ୍ଲୀ/ଭୁବନେଶ୍ୱର, – କୋଭିଡ୍ ଭଳି ଆହ୍ୱାନମୂଳକ ସମୟରେ ପେଟ୍ରୋଲିୟମ ଓ ଗ୍ୟାସ ଶିଳ୍ପ ସଂସ୍ଥାମାନେ ରାଷ୍ଟ୍ର ନିର୍ମାଣ, ନାଗରିକଙ୍କ ଇଜ୍ ଅଫ୍ ଲିଭିଂକୁ ସୁଗମ କରିବା ଓ ନିରନ୍ତର ଉର୍ଜା ଯୋଗାଇବା ଦିଗରେ କରିଥିବା କାର୍ଯ୍ୟ ପ୍ରଂଶସନୀୟ ବୋଲି ବୁଧବାର ନୂଆଦିଲ୍ଲୀ ଠାରେ ଭାରତୀୟ ପେଟ୍ରୋଲିୟମ ଶିଳ୍ପ ସଂଘ(ଫିପି)ର ତୈଳ ଓ ଗ୍ୟାସ ପୁରସ୍କାର-୨୦୨୦ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ଶ୍ରୀ ପ୍ରଧାନ ପେଟ୍ରୋଲିୟମ ଓ ଗ୍ୟାସ କମ୍ପାନୀର ବିଜେତାଙ୍କୁ ପୁରସ୍କାର ବିତରଣ କରିଥିଲେ ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଦେଶର ତୈଳ ଓ ଗାସ କ୍ଷେତ୍ର ଜଳବାୟୁ ପରିବର୍ତନ ଏଜେଣ୍ଡାର ନେତୃତ୍ୱ ନେଇ କାର୍ଯ୍ୟ କରୁଛନ୍ତି । ତୈଳ ଓ ଗ୍ୟାସ କ୍ଷେତ୍ରର କର୍ମଚାରୀମାନେ ନବଉନ୍ମେଷ, କୌଶଳ ଓ ବିତରଣ ସେବା ମାଧ୍ୟମରେ ଭାରତରେ ଏଲପିଜି ସଂଯୋଗକୁ ବୃଦ୍ଧି କରିବା ସହ ସ୍ୱଚ୍ଛ ଇନ୍ଧନ ବି-୬ ଗ୍ରେଡ୍‌ର ପେଟ୍ରୋଲ ଓ ଡିଜେଲକୁ ଭାରତରେ ପ୍ରଦାନ କରିବା ଦିଗରେ ଭୂମିକା ନିର୍ବାହ କରିଛନ୍ତି । ଏହି ଦୁଇ ପଦକ୍ଷେପ ଭାରତର ଜଳବାୟୁ ପରିବର୍ତନ ଲକ୍ଷ୍ୟକୁ ସାକାର କରିବା ଦିଗରେ ବୃହତ ପଦକ୍ଷେପ ।
ଆମ ସାମୂହିକ ପ୍ରଚେଷ୍ଟାରେ ଉର୍ଜା କ୍ଷେତ୍ରରେ ଏକ ବିଶ୍ୱସ୍ତରୀୟ ମଡେଲ ପ୍ରତିଷ୍ଠା କରିପାରିବା । ଏହାସହ ଶ୍ରୀ ପ୍ରଧାନ ଉର୍ଜା ଶିଳ୍ପର ନେତୃତ୍ୱଙ୍କୁ ଭାରତର ଉର୍ଜା ଚାହିଦାକୁ ସ୍ୱଚ୍ଛ ଇନ୍ଧନ ବିଶେଷ ଭାବରେ ଜୈବ ଉର୍ଜା ଦ୍ୱାରା ପୂରଣ କରିବା ତଥା ଭାରତକୁ ସବୁଜ ଉର୍ଜା ଓ ଜୈବ ଅର୍ଥନୀତି ଭାବରେ ସ୍ଥାପିତ କରିବା ପାଇଁ ଉତ୍ସାହିତ କରିଛନ୍ତି ।
ସମସ୍ତଙ୍କ ପାଖରେ ସୁଲଭ ମୂଲ୍ୟରେ ଉର୍ଜା ପହଁଚାଇ ଗରିବ ଲୋକଙ୍କର ଜୀବନରେ ଅଭୁତପୂର୍ବ ପରିବର୍ତନ ଆଣିବାର କ୍ଷମତା ପେଟ୍ରୋଲିୟମ ଶିଳ୍ପ ପାଖରେ ରହିଛି । ଭାରତୀୟ ତୈଳ ବିପଣନ କମ୍ପାନୀମାନେ ଦ୍ରୁତ ଗତିରେ ଆଗକୁ ବଢୁଛନ୍ତି । ସମୟ ବଦଳିବା ସହ କେନ୍ଦ୍ର ସରକାର ବିଗତ ଦିନ ମାନଙ୍କରେ ଏହି କ୍ଷେତ୍ରରେ ସଂସ୍କାରରେ ଅନେକ ସୁଧାର ଆଣିଛନ୍ତି । ତେବେ ପେଟ୍ରୋଲିୟମ ଶିଳ୍ପର ଦ୍ରୁତ ଅଭିବୃଦ୍ଧି ସମସ୍ତଙ୍କ ଉଦ୍ୟମ ଫଳରେ ସମ୍ଭବ ହୋଇପାରିଛି । ଅପରପକ୍ଷରେ ତୈଳ ଓ ଗ୍ୟାସ କ୍ଷେତ୍ରରେ ବିଶ୍ୱ ପୁଞ୍ଜିନିବେଶକାରୀଙ୍କୁ ଆକୃଷ୍ଟ କରିବା ଆମର ଲକ୍ଷ୍ୟ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।


Share It

Comments are closed.