ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ଦ୍ୱାରା ଓଡ଼ିଶାର ଗଜପତି ଜିଲ୍ଲାରେ ସ୍ମାର୍ଟଆଗ୍ରି ପ୍ରକଳ୍ପ ଓ ନୂଆ ଟେଲିକମ୍ ଟାୱାର୍ ଉଦ୍‌ଘାଟିତ


ଗଜପତି : ଇଣ୍ଡସ୍ ଟାୱାର୍‌ସ ଲିମିଟେଡ୍ ସିଏସ୍‌ଆର୍ ପ୍ରୋଗ୍ରାମ ଓ ଭୋଡାଫୋନ୍ ଆଇଡିଆ ଫାଉଣ୍ଡେଶନ ପକ୍ଷରୁ ସଲିଡାରିଡାଡ୍ ସହ ମିଳିତ ଭାବେ ଓଡିଶାର ଗଜପତି ଜିଲ୍ଲାର ଖରସଣ୍ଡାଠାରେ ‘ସ୍ମାର୍ଟଆଗ୍ରି ପ୍ରୋଜେକ୍ଟ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି । ଏହି ସ୍ମାର୍ଟଆଗ୍ରି ପ୍ରୋଜେକ୍ଟ-ଗଜପତିକୁ ସାଂସଦ ଶ୍ରୀ ଚନ୍ଦ୍ରଶେଖର ସାହୁ ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତି ଯେପରିକି ଜିଲ୍ଲା ପରିଷଦ ଅଧ୍ୟକ୍ଷ (ଗଜପତି) ଶ୍ରୀ ଜି ତିରୁପତି ରାଓ, ସିନିଅର୍ ଡିଡିଜି-ଡିଓଟି, ଶ୍ରୀ ବି କେ ନାୟକ,  ବିଧାୟକ (ପାରଳାଖେମୁଣ୍ଡି) ଶ୍ରୀ କେ ନାରାୟଣ ରାଓ, ବିଧାୟକ (ମୋହନା) ଶ୍ରୀ ଦାଶରଥି ଗମାଙ୍ଗୋ ଆଦିଙ୍କ ଉପସ୍ଥିତିରେ ଉଦ୍‌ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆଖପାଖ ଗ୍ରାମଗୁଡିକର କୃଷକମାନେ ଉପସ୍ଥିତ ଥିଲେ ଯେଉଁମାନଙ୍କୁ ପ୍ରକଳ୍ପ ସମ୍ପର୍କିତ ସୂଚନା ଓ ଏହାର ଲାଭ ସମ୍ପର୍କରେ ଅବଗତ କରାଯାଇଥିଲା । ଏହି ଅବସରରେ ଶ୍ରୀ ସାହୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ୧୮ କିମି ଦୂରରେ ଅବସ୍ଥିତ ଇଣ୍ଡସ୍ ଟାୱାର୍ସର ଖରସଣ୍ଡା ମୋବାଇଲ ଟାୱାର ସାଇଟ୍‌ର ମଧ୍ୟ ଉଦ୍‌ଘାଟନ କରିଛନ୍ତି । ଏହି ମୋବାଇଲ ଟାୱାର ଆଇଓଟି (ଇଂଟରନେଟ୍ ଅଫ୍ ଥିଙ୍ଗସ୍‌) ସକ୍ଷମ ଉପକରଣ, ସେବା ଓ ଏହି ପ୍ରକଳ୍ପ ପାଇଁ ସୂଚନା ପ୍ରବାହ ଆବଶ୍ୟକତା ଲାଗି ଇଂଟରନେଂଟ୍ ସଂଯୋଗକୁ ସକ୍ଷମ କରିବା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଏହି ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମଧ୍ୟ ଉପସ୍ଥିତ ଥିଲେ ।
ଇଣ୍ଡସ୍ ଟାୱାର୍‌ସ ଓ ଭୋଡାଫୋନ୍ ଫାଉଣ୍ଡେଶନର ଗଜପତିଠାରେ ଥିବା ଏହି ସ୍ମାର୍ଟଆଗ୍ରି ପ୍ରୋଜେକ୍ଟ ଦୁଇଟି ବ୍ଲକ୍‌- ମୋହନା ଓ ଗୁମ୍ମାଠାରେ କାର୍ଯ୍ୟକାରୀ ହେଉଛି ଯାହା ଜିଲ୍ଲାର ୨୫ଟି ଗ୍ରାମର ୫୦୦୦ ଚାଷୀଙ୍କୁ ଉପକୃତ କରିବ । ପ୍ରକଳ୍ପ ସ୍ଥାନରେ ଆଇଓଟି ଆଧାରିତ କୃଷି ଉପକରଣ ଯେପରିକି ଅଟୋମାଟିକ୍ ୱେଦର୍ ଷ୍ଟେଶନ, ସଏଲ୍ ମଏଶ୍ଚର ସେନ୍ସର ଓ ରିମୋଟ୍ ମନିଟରିଙ୍ଗ କ୍ୟାମେରା ଆଦିକୁ ଚାଷ ଜମିରେ ସ୍ଥାପନ କରାଯିବ ଯାହା ଫସଲ, ପାଣିପାଗ ,ଆର୍ଦ୍ରତା ଓ କୀଟପତଙ୍ଗ ସମ୍ବନ୍ଧିତ ସୂଚନାଗୁଡିକୁ ବାସ୍ତବ ସମୟରେ ସଂଗ୍ରହ କରିବ । ଏହି ପ୍ରକଳ୍ପରେ ସାମିଲ ହୋଇଥିବା କୃଷକମାନଙ୍କୁ ଉନ୍ନତ କୃଷି ଅଭ୍ୟାସଗୁଡିକ ଉପରେ ପ୍ରଶିକ୍ଷଣ ମାଧ୍ୟମରେ ନିୟମିତ ସହଯୋଗ ପ୍ରଦାନ କରାଯିବ । ସେମାନଙ୍କୁ କୃଷି ପରାମର୍ଶ ପାଇଁ ପହଂଚା ଦିଆଯିବ ଯାହା ଓଡିଆ ଭାଷାରେ ପ୍ରସାରିତ ହେବ ଯାହାଫଳରେ ସେମାନେ ସଠିକ୍ ପଦକ୍ଷେପଗୁଡିକର ସୂଚନା ପାଇବାକୁ ସକ୍ଷମ ହେବେ ଏବଂ ନିଜ ଚାଷଜମିରେ ସଠିକ୍ ସାମଗ୍ରୀ ପ୍ରୟୋଗ କରିବା ଲାଗି ସୁସଜ୍ଜିତ ହେବେ । ଓଡିଶାରେ ୨ୟ ଥର ପାଇଁ ଏଭଳି ଏକ ପ୍ରକଳ୍ପକୁ କାର୍ଯ୍ୟକାରୀ କରାଯାଉଛି । ପୂର୍ବରୁ କଟକରେ ଏହିଭଳି ଏକ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି ।
ଉଦ୍‌ଘାଟନୀ ଅବସରରେ ସାଂସଦ ଚନ୍ଦ୍ରଶେଖର ସାହୁ କହିଛନ୍ତି, ‘ଓଡିଶାର କୃଷି ଉପରେ ଏକ ଚିହ୍ନିତ ନିର୍ଭରଶୀଳତା ରହିଛି । ସ୍ମାର୍ଟଆଗ୍ରି ଭଳି ଏକ ପ୍ରକଳ୍ପ ଅମଳ ବୃଦ୍ଧି କରିବା ପାଇଁ ବିଭିନ୍ନ ଉପାୟ ଶିଖିବା ଲାଗି କୃଷକମାନଙ୍କୁ ସଚେତନ ଓ ସୁସଜ୍ଜିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ମୁଁ ଇଣ୍ଡସ୍ ଟାୱାର୍‌ସ, ଭୋଡାଫୋନ୍ ଆଇଡିଆ ଫାଉଣ୍ଡେଶନ ଓ ସଲିଡାରିଡାଡ୍‌କୁ ଏଭଳି ଏକ ଶକ୍ତିଶାଳୀ ପ୍ଲାଟ୍‌ଫର୍ମର ଶୁଭାରମ୍ଭ କରିଥିବାରୁ ଶୁଭେଚ୍ଛା ଜଣାଉଛି ଯାହା ଆମର କୃଷକ ସମୁଦାୟ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡିକୁ ସମାଧାନ କରିବା ଏବଂ ସେମାନଙ୍କର କୃଷି ଅଭ୍ୟାସ, ଚାଷ ଅମଳ ଓ ଜୀବନର ଗୁଣବତା ଉନ୍ନତ କରିବା ପାଇଁ ଲକ୍ଷ୍ୟ ରଖିଛି ।’ ଶ୍ରୀ ବିଜୟ ଚତୁର୍ବେଦୀ, ସର୍କଲ ସିଇଓ, ଓଡ଼ିଶା, ଇଣ୍ଡସ ଟାୱାର ଲିମିଟେଡ କହିଛନ୍ତି, “ସମ୍ମାନନୀୟ ସାଂସଦ ଶ୍ରୀ ଚନ୍ଦ୍ର ଶେଖର ସାହୁଙ୍କୁ ଆଜି ତାଙ୍କର ଯୋଗଦାନ ଏବଂ ଓଡ଼ିଶାରେ ଟେଲିକମ୍ ଭିତିଭୂମିର ବ୍ୟାପକ ବିସ୍ତାରକୁ ସମର୍ଥନ କରିଥିବାରୁ ଇଣ୍ଡସ ଟାୱାର ତରଫରୁ ମୁଁ ଧନ୍ୟବାଦ ଜଣାଇବାକୁ ଚାହୁଁଛି । ଆମେ ଭାରତର କୋଣଅନୁକୋଣରୁ ସୁମଦାୟଗୁଡ଼ିକୁ ଡିଜିଟାଲ ବଳୟ ମଧ୍ୟକୁ ଆଣିବା ଜାରି ରଖିବୁ, ଯାହା ସେମାନଙ୍କୁ ଅସଂଖ୍ୟ ଲାଭ ପ୍ରଦାନ କରିବ ।”


Share It

Comments are closed.