ଏବେ ଆମନାସାମନି ହେବେ ଦୁଇ ବନ୍ଧୁ, ମଧ୍ୟ ପ୍ରଦେଶ ଉପ-ନିର୍ବାଚନରେ ସିନ୍ଧିଆଙ୍କ ବିରୋଧରେ ପ୍ରଚାର କରିବେ ପାଇଲଟ


ମଧ୍ୟ ପ୍ରଦେଶ ଉପନିର୍ବାଚନ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଉପନିର୍ବାଚନ ପ୍ରଚାରରେ ଦୁଇ ଘନିଷ୍ଠ ବନ୍ଧୁ ମୁହାଁମୁହିଁ ହୋଇଛନ୍ତି । ଗ୍ୱାଲିୟରରେ ବିଜେପି ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ମାତ ଦେବାକୁ କଂଗ୍ରେସ ସିନ୍ଧିଆଙ୍କ ଘନିଷ୍ଠ ବନ୍ଧୁ ସଚିନ ପାଇଲଟଙ୍କ ସାହାରା ନେଇଛି । ସଚିନ ପାଇଲଟଙ୍କୁ ସିନ୍ଧିଆ ଗଡ ଗ୍ୱାଲିୟର ଚମ୍ବଲରେ ଓହ୍ଲାଇବାକୁ କଂଗ୍ରେସ ଯୋଜନା କରିଛି । ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ଗ୍ୱାଲିୟର ଚମ୍ବଲରେ ନିର୍ବାଚନ ପ୍ରଚାର ପାଇଁ ପାଇଲଟଙ୍କ ସହମତି ନେଇଛନ୍ତି ବୋଲି ଦାବି କରାଯାଇଛି । ମଧ୍ୟ ପ୍ରଦେଶ ଉପ ନିର୍ବାଚନରେ ଭଲ ପ୍ରଦର୍ଶନ ହିଁ କଂଗ୍ରେସକୁ ପୁଣିଥରେ ଶାସନକୁ ଆଣିପାରିବ । ଏଥିପାଇଁ ଚମ୍ବଲ ଅଞ୍ଚଳର ୧୬ଟି ଆସନ ବହୁତ ମହତ୍ଵପୁର୍ଣ । ଏହିସବୁ ଅଞ୍ଚଳରେ ସିନ୍ଧିଆଙ୍କ ପ୍ରଭୃତ୍ୱ ବହୁତ ମଜବୁତ । ସିନ୍ଧିଆଙ୍କ ପ୍ରଭାବକୁ କମ କରିବାକୁ କଂଗ୍ରେସ ନୂଆ ସମୀକରଣ ଅନୁଯାୟୀ ସଚିନ ପାଇଲଟଙ୍କୁ ନିର୍ବାଚନ ପ୍ରଚାର ପାଇଁ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତି କରୁଛି । ବର୍ତ୍ତମାନ ସିନ୍ଧିଆଙ୍କ ବିପକ୍ଷରେ ପାଇଲଟ ନିର୍ବାଚନ ପ୍ରଚାର କରିବେ । ସଚିନ ପାଇଲଟ କଂଗ୍ରେସର ଷ୍ଟାର ପ୍ରଚାରକ ଏବଂ ଯୁବପିଢୀଙ୍କ ମଧ୍ୟରେ ତାଙ୍କର ସ୍ଥିତି ମଜବୁତ ରହିଛି । ଗ୍ୱାଲିୟରରେ ଉପନିର୍ବାଚନ ପ୍ରଚାର ପାଇଁ ସଚିନ ପାଇଲଟ ମଧ୍ୟ ସହମତି ଦେଇଛନ୍ତି । ଏନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିସିସି ମୁଖ୍ୟ କମଲନାଥ ତାଙ୍କ ସହ ଫୋନରେ କଥାବାର୍ତ୍ତା କରିଛନ୍ତି । ଗ୍ୱାଲିୟର ଚମ୍ବଲର ୧୬ ଆସନ ଗୁର୍ଜର ଭୋଟ ବ୍ୟାଙ୍କ ଓ ଯୁବପିଢୀଙ୍କୁ ହାତେଇବା ପାଇଁ କଂଗ୍ରେସ ଏହି ଯୋଜନା କରିଛି । ଏହା ପୂର୍ବରୁ ମଧ୍ୟ ପାଇଲଟ ମଧ୍ୟ ପ୍ରଦେଶରେ ନିର୍ବାଚନ ପ୍ରଚାର କରିଛନ୍ତି ।


Share It

Comments are closed.