ଆସନ୍ତା ଜାନୁଆରୀରେ ଭାରତ ଗସ୍ତରେ ଆସିବ ଇଂଲଣ୍ଡ ଟିମ


ଆସନ୍ତା ଜାନୁଆରୀ ମାସରେ ଇଂଲଣ୍ଡ ଦଳ ଭାରତ ଗସ୍ତରେ ଆସିବ । ଏହି ଗସ୍ତରେ ୫ଟି ଟେଷ୍ଟ ସହ ଦିନିକିଆ ଓ ଟି-ଟ୍ୱେଣ୍ଟି ସିରିଜ ଖେଳିବ । ଟେଷ୍ଟ ସିରିଜର ଗୋଟିଏ ମ୍ୟାଚ୍ ଦିବାରାତ୍ର ହେବ ଏବଂ ଏହି ମ୍ୟାଚ୍ ଅହମ୍ମଦାବାଦରେ ଖେଳାଯିବ । କୋଲକାତା ପ୍ରେସ୍ କ୍ଲବରେ ଆଜି ଏକ ପୁସ୍ତକ ଉନ୍ମୋଚନ ଉତ୍ସବରେ ଯୋଗ ଦେଇ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ।

ଦେଶରେ କରୋନା ସଂକ୍ରମଣ ଯୋଗୁ ଆଇପିଏଲ୍‌-୧୩ ସଂସ୍କରଣ ଆୟୋଜନ ସମ୍ଭବ ହୋଇ ପାରିଲା ନାହିଁ । ତେଣୁ ଏହା ୟୁଏଇରେ ଖେଳାଯାଉଛି । ସେମିତି ଏବେବି ଦେଶରେ ସଂକ୍ରମଣ ନିୟନ୍ତ୍ରଣାଧୀନ ନୁହଁ । ମାତ୍ର ଆଗାମୀ ଇଂଲଣ୍ଡ ବିପକ୍ଷ ଘରୋଇ ସିରିଜ୍ ଭାରତରେ ଆୟୋଜନ କରିବା ନେଇ ଗତ ବିସିସିଆଇର ଆପେକ୍ସ କାଉନସିଲ୍ ବୈଠକରେ ନିଷ୍ପତ୍ତି ହୋଇଛି । ଯଦି ପରିସ୍ଥିତି ଅଧିକ ଅଣାୟତ୍ତ ହୁଏ ତେବେ ୟୁଏଇ କଥା ବିଚାରକୁ ନିଆଯିବ ।

ଆଜି ସୌରଭ କହିଛନ୍ତି, ଜାନୁଆରୀରେ ଭାରତ ଗସ୍ତରେ ଆସିବ ଇଂଲଣ୍ଡ । ଏହି ଗସ୍ତରେ ଦଳ ୫ଟି ଟେଷ୍ଟ ସହ ସୀମିତ ଓଭର ସିରିଜ ମଧ୍ୟ ଖେଳିବ । ତେବେ ଅହମ୍ମଦାବାଦରେ ଦିବାରାତ୍ର ଟେଷ୍ଟ ଖେଳାଯିବ ।’ ଇଂଲଣ୍ଡ ବିପକ୍ଷ ସିରିଜ୍ ଅହମ୍ମଦାବାଦ, ଧର୍ମଶାଳା ଓ କୋଲକାତା ଖେଳାଯିବାର ଯୋଜନା କରିଛି ବିସିସିଆଇ । ଏ ବିଷୟରେ ସୌରଭ କହିଥିଲେ, ସିରିଜ୍‌କୁ ଆହୁରି ୪ ମାସ ରହିଛି । ତେଣୁ ଏବେ କିଛି ନିଷ୍ପତ୍ତି ଚୂଡ଼ାନ୍ତ ହୋଇ ନାହିଁ । ଆଗକୁ ଭାରତୀୟ ଦଳର ଅଷ୍ଟ୍ରେଲିଆ ଗସ୍ତ । କିଛି ଦିନ ମଧ୍ୟରେ ଦଳ ଚୟନ କରାଯିବ ।’

ଗତ କାଉନସିଲ୍ ବୈଠକ ଶେଷ ହେବା ପରେ ସୌରଭ କହିଥିଲେ, ଆସନ୍ତା ଜାନୁଆରୀ ୧ ତାରିଖରୁ ଘରୋଇ ସିଜନ୍ ଆରମ୍ଭ ହେବ । ରଣଜୀ ଟ୍ରଫିର ସଂପୂର୍ଣ୍ଣ ସୂଚୀ ଖେଳାଯିବ । କରୋନା ସଂକ୍ରମଣ ଯୋଗୁ ସମ୍ପୂର୍ଣ୍ଣ ଘରୋଇ ସିଜନ ଖେଳାଯିବା ସମ୍ଭବ ହେବ ନାହିଁ । ପ୍ରଥମେ ରଣଜୀ ଟ୍ରଫି ଆରମ୍ଭ ହେବ । ଏହାପରେ ବିଭିନ୍ନ ବୟସ ବର୍ଗ ଏବଂ ମହିଳା କ୍ରିକେଟ୍ ମାର୍ଚ୍ଚରୁ ଏପ୍ରିଲ୍ ମଧ୍ୟରେ ଖେଳାଯିବ ।’ କିନ୍ତୁ ଆଜି ପୁଣି ସେ କହିଛନ୍ତି, ଆସନ୍ତା ଜାନୁଆରୀ ୧ରୁ ଘରୋଇ ସିଜନ୍ ଆରମ୍ଭ କରିବାର ଯୋଜନା କରିଛୁ । ମାତ୍ର ଆଗାମୀ ବାର୍ଷିକ ସାଧାରଣ ବୈଠକ (ଏଜିଏମ୍‌)ରେ ହିଁ ଏ ବିଷୟରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ । ଖୁବ୍ ଶୀଘ୍ର ଏଜିଏମ୍ ବସିବାକୁ ଯାଉଛି ।’

ଏବେ ଆଇପିଏଲ୍ ଚାଲିଛି । ଏହାପରେ ଖେଳାଳିମାନେ ସିଧା ଅଷ୍ଟ୍ରେଲିଆ ଗସ୍ତ କରି ଟେଷ୍ଟ ସିରିଜ୍ ଖେଳିବେ । ଏହା କିପରି ସିରିଜ ପାଇଁ ସହାୟ ହେବ ବୋଲି ପ୍ରଶ୍ନର ଉତ୍ତରରେ ସୌରଭ କହିଥିଲେ, ଖେଳାଳିମାନଙ୍କୁ ଏହା ପ୍ରଭାବିତ କରିବ ନାହିଁ । ଦଳର ସମସ୍ତ ଖେଳାଳି ଅଭିଜ୍ଞ । ତେଣୁ ଫର୍ମାଟ୍ ବଦଳିଲେ କିଛି ଅସୁବିଧା ନାହିଁ ।’


Share It

Comments are closed.