ଲକ୍ଷେ ଶିଶୁକନ୍ୟା ଯୌନ ଶୋଷଣର ଶିକାର


ଯୁବ ସମୟ- ଦେଶରେ ଶିଶୁ କନ୍ୟାଙ୍କ ପ୍ରତି ଯୌନ ନିର୍ଯାତନା ବୃଦ୍ଧି ପାଇବାରେ ଲାଗିଛି । ୨୦୧୬ ସୁଦ୍ଧା ଏହାର ଶିକାର ହୋଇଥିବା ପିଲାଙ୍କ ସଂଖ୍ୟା ୧ ଲକ୍ଷ ଛୁଇଁଥିଲା । ଏତେ ସଂଖ୍ୟକ ମାମଲା ମଧ୍ୟରୁ ମାତ୍ର ୨୨୯ ଜଣ ଶିଶୁ ତଳ କୋର୍ଟଙ୍କ ଦ୍ୱାରା ନ୍ୟାୟ ପାଇଥିଲେ ବୋଲି ସୁପ୍ରିମ୍କୋର୍ଟ କହିଛନ୍ତି । କୋମଳମତି ଶିଶୁଙ୍କୁ ଯୌନ ଶୋଷଣ ଏକ ବର୍ବର କାଣ୍ଡ । ଏହା ସେମାନଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ଢ଼େର ପ୍ରଭାବ ପକାଇଥାଏ । ଏନେଇ ଚିନ୍ତାବ୍ୟକ୍ତ କରିଛନ୍ତି ସର୍ବୋଚ୍ଚ ଅଦାଲତ । ନିକଟରେ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠଙ୍କ ଆଗରେ ଶିଶୁକନ୍ୟାଙ୍କୁ ଯୌନ ଶୋଷଣ ଘଟଣାର ଏକ ତଥ୍ୟ ସମ୍ବଳିତ ଦସ୍ତାବିଜ୍ ଉପସ୍ଥାପନା କରାଯାଇଥିଲା । ଶିଶୁକନ୍ୟାଙ୍କୁ ଯୌନ ନିର୍ଯାତନା ଭଳି କେତୋଟି ମାମଲା ପଡ଼ିରହିଛି, ତାହାର ହିସାବ ୪ ସପ୍ତାହ ମଧ୍ୟରେ ଦେବାକୁ ଦେଶର ବିଭିନ୍ନ ହାଇକୋର୍ଟର ରେଜିଷ୍ଟ୍ରାର୍ ଜେନେରାଲ୍ଙ୍କୁ ଖଣ୍ଡପୀଠ କହିଛନ୍ତି । ଯୌନ ଅପରାଧରୁ ଶିଶୁଙ୍କ ସୁରକ୍ଷା (ପୋକ୍ସୋ) ଆଇନ୍ ଆଧାରରେ ମାମଲାଗୁଡ଼ିକର ବିଚାର କେତେ ଦୂର ଆଗେଇଛି, ସେସବୁ ବିଷୟରେ ଅଦାଲତ ରିପୋର୍ଟ ଲୋଡ଼ିଛନ୍ତି ।

ଜଣେ ଆଠମାସର ଝିଅକୁ ତା’ର ଜଣେ ସମ୍ପର୍କକୀୟ ବଡ଼ଭାଇ ବଳାତ୍କର କରିବା ଘଟଣା ନେଇ ଆଇନଜୀବୀ ଅଲେଖ ଅଲୋକ ଶ୍ରୀବାସ୍ତବ ଏକ ଜନସ୍ୱାର୍ଥ ଆବେଦନ କରିଥିଲେ । ସେଥିରେ ସେ ନ୍ୟାସନାଲ୍ କ୍ରାଇମ୍ ରେକର୍ଡ୍ସ୍ ବ୍ୟୁରୋ (ଏନ୍ସିଆର୍ବି) ପକ୍ଷରୁ ୨୦୧୬ରେ ପ୍ରଦତ୍ତ ରିପୋର୍ଟ ବିଷୟରେ ଦର୍ଶାଇଥିଲେ । ସେହି ବର୍ଷ ସୁଦ୍ଧା ମୋଟ୍ ୧,୦୧,୩୨୬ ପୋକ୍ସୋ ମାମଲା ଦାଏର ହୋଇଥିଲା । ସେଥିମଧ୍ୟରୁ ମାତ୍ର ୨୨୯ ମାମଲାର ବିଚାର ତଳକୋର୍ଟ ଶେଷ କରିଥିଲେ । ୨୦୧୬ ପର୍ଯ୍ୟନ୍ତ ୭୦,୪୩୫ ପୋକ୍ସୋ ମାମଲା କୋର୍ଟ ପର୍ଯ୍ୟନ୍ତ ଯାଇଥିଲା । ସେହିବର୍ଷ ସାନି ୩୦,୮୯୧ ମାମଲା ତଳକୋର୍ଟକୁ ଗଲା । ତେବେ ଏସବୁ ମାମଲାର ତ୍ୱରିତ ବିଚାର ଏପରେ ଗୁରୁତ୍ୱ ଦେବା ସହ ଏହି ସମସ୍ୟାର ସମାଧାନର ବାଟ ବାହର କରାଯିବ ବୋଲି ଜଷ୍ଟିସ୍ ଏ.ଏମ୍.ଖାନ୍ୱିଲ୍କର୍ ଓ ଡି.ୱାଇ. ଚନ୍ଦ୍ରଦୂଡ଼ ସଦସ୍ୟ ଥିବା ଖଣ୍ଡପୀଠ କହିଛନ୍ତି ।


Share It

Comments are closed.