ଇଟାଲୀରେ ଜୀବନ ଯୁଦ୍ଧରେ ହାରିଗଲେ କରୋନା ବିରୋଧରେ ଲଢୁଥିବା ୫୧ ଡାକ୍ତର


ଇଟାଲୀରେ କରୋନା ଭାଇରସ ଦିନକୁ ଦିନ ନିଜ କାୟା ବିସ୍ତାର କରିବାକୁ ଲାଗିଥିବା ଦେଶରେ ମୋଟ ୯୭,୬୮୯ ସଂକ୍ରମିତଙ୍କ ମଧ୍ୟରୁ ୧୦,୭୭୯ ଜଣ ପ୍ରାଣ ହରାଇ ସାରିଲେଣି । ଅନ୍ୟପଟେ ଇଟାଲୀରେ ଏବେ ସୁଧା ସଂକ୍ରମିତଙ୍କୁ ଚିକିତ୍ସା କରିବା ମଧ୍ୟରେ ୫୧ ଜଣ ଡାକ୍ତର ପ୍ରାଣ ହରାଇ ସାରିଥିବାର ସୂଚନା ମିଳିଛି । କରୋନା ଭାଇରସରେ ସଂକ୍ରମିତ ହୋଇଥିବା ଆକ୍ରନ୍ତଙ୍କୁ ଚିକିତ୍ସା କରିବା ମଧ୍ୟରେ ଏମାନେ ମଧ୍ୟ କରୋନା ଦ୍ୱାରା ଆକ୍ରାନ୍ତ ହୋଇଥିବାର ଜାଣିବାକୁ ମିଳିଛି । ଫଳରେ ଏମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଚିକିତ୍ସା ଅବସ୍ଥାରେ ଏମାନଙ୍କ ମୃତ୍ୟୁ ହୋଇଥିବାର ଜାଣିବାକୁ ମିଳିଛି ।
ତେବେ ଇଟାଲୀ ଡାକ୍ତରଙ୍କ ମୃତ୍ୟୁ ପରେ ଦେଶର ପରିସ୍ଥିତି ଆହୁରୀ ଜଟିଳ ହୋଇପାରେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ଏହି ସଂପର୍କରେ ମତ ରଖି ଡାକ୍ତର ସଂଘର ସଭାପତି କହିଛନ୍ତି ଯେ, ଡାକ୍ତରଙ୍କୁ ଆହୁରୀ ଉନ୍ନତ ସୁରକ୍ଷାତ୍ମକ କିଟ ଯୋଗାଇବାକୁ ହେବ । ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀମାନଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବାକୁ ହେବ । ସେମାନେ ସୁରକ୍ଷିତ ରହିଲେ ଅନ୍ୟମାନଙ୍କୁ ସୁରକ୍ଷିତ ଭାବେ ଚିକିତ୍ସା କରିପାରିବେ । ନଚେତ ପରିସ୍ଥିତ ଆହୁରୀ ସଙ୍ଗୀନ ହେବ । ତେବେ ଦେଶରେ ୯୭, ୬୮୯ ସଂକ୍ରମିତଙ୍କ ମଧ୍ୟରୁ ୧୩,୦୩୦ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୧୦,୭୭୯ ଜଣ ଏହି ଭାଇରସ ଦ୍ୱାରା ଆଖି ବୁଜିସାରିଲେଣି ।
ଯଦି ଆମେ ସାରା ବିଶ୍ୱ କଥା କହିବା ତେବେ ଏହି ଭାଇରସ ଦ୍ୱାରା ୭୨୩,୨୭୯ ଜଣ ଆକ୍ରାନ୍ତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ୩୩, ୯୯୩ରେ ଆସି ପହଞ୍ଚିଛି ।


Share It

Comments are closed.