ନିର୍ବାଚନ ପୂର୍ବରୁ ରାଜ୍ୟରେ ନିଶା ନିବାରଣ ଦାବୀ ନେଇ ମୋନା ପକ୍ଷରୁ ବିଧାନସଭା ଆଗରେ ବିକ୍ଷୋଭ


ଭୁବନେଶ୍ୱର, ତା ୨୬.୯.୨୦୨୩ : ସ୍ଥାନୀୟ ଲୋହିଆ ଏକାଡେମୀରେ ମିଳିତ ଓଡିଶା ନିଶା ନିବାରଣ ଅଭିଯାନର ଏକ ରାଜ୍ୟ ସ୍ତରୀୟ ବୈଠକ ଶ୍ରୀ ପଦ୍ମଚରଣ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପ୍ରତିନିଧି ଯୋଗଦେଇ ମଦ ଜନିତ ବିଭିନ୍ନ ସାମାଜିକ ସମସ୍ୟା, ଆଇନଶୃଙ୍ଖଳା ପରିସ୍ଥିତି ଓ ଅର୍ଥନୈତିକ ଅଧୋଗତି ଉପରେ ଆଲୋଚନା କରିଥିଲେ । ବିଭିନ୍ନ ରାଜନୈତିକ ଦଳକୁ ଏକ ପତ୍ର ଓ ପ୍ରତିନିଧି ମଣ୍ଡଳ ଜରିଆରେ ଆଗାମୀ ନିର୍ବାଚନରେ ନିଜ ନିଜର ନିର୍ବାଚନୀ ଇସ୍ତାହାରରେ ରାଜ୍ୟକୁ ମଦମୁକ୍ତ କରି ସାମାଜିକ, ଅର୍ଥନୈତିକ ଓ ଆଇନ ଶଙ୍ଖଳାକୁ ଅଧୋଗତିରୁ ରକ୍ଷା କରିବା ନିମନ୍ତେ ନିବେଦନ କରିବା ପାଇଁ ସର୍ବସମ୍ମତି ନିଷ୍ପତି ଗ୍ରହଣ କରାଗଲା ।

ବିଧାନସଭା ସମ୍ମୁଖରେ ଏକ ବିକ୍ଷୋଭ କାର୍ଯ୍ୟକ୍ରମ ଜରିଆରେ ସରକାରଙ୍କୁ ନିଶାନିବାରଣ ଆଇନ-୧୯୫୬କୁ ତରନ୍ତ ଲାଗୁ କରିବା ନିମନ୍ତେ ଦାବୀ ଜଣାଇବା ନିଷ୍ପତି ନିଆଯିବା ସହ ଆସନ୍ତା ଅକ୍ଟୋବର ୨ ଓ ନଭେମ୍ବର ୨୩ର ଯଥାକ୍ରମେ ଜିଲ୍ଲାସ୍ତରରେ ଆନ୍ଦୋଳନ ଓ କେନ୍ଦ୍ରୀୟ ସମାବେଶକୁ ସଫଳ କରିବାପାଇଁ ନିଷ୍ପତି ଗ୍ରହଣ କରାଗଲା । ରାଜ୍ୟକୁ ନିଶାମୁକ୍ତ ନକଲେ ଆଗାମୀ ନିର୍ବାଚନରେ ସରକାରୀ ଦଳକୁ ଜନସାଧାରଣ ଉଚିତ ଜବାବ୍ ଦେବେ ବୋଲି ମତ ପ୍ରକାଶ ପାଇଥିଲା । ଏହି ସଭାକାର୍ଯ୍ୟକୁ ସର୍ବଶ୍ରୀ ରମାକାନ୍ତ ମଣ୍ଡଳ, ବିଜୟ ସ୍ୱାଇଁ, ଅର୍ଜୁନ ସାମନ୍ତରାୟ, ଖଗେଶ୍ୱର ବଳ, ମଳୟ ତ୍ରିପାଠୀ, ନିରଞ୍ଜନ ପଣ୍ଡା, ଶୁଭେନ୍ଦୁ ରାଉତରାୟ, ଶଚୀକାନ୍ତ ପଣ୍ଡା, ଶ୍ରୀମତୀ କବିତାରାଣୀ ପରିଡା, ଅପର୍ଣ୍ଣା ନାୟକ, ବଦୁଲତା ଆଚାର୍ଯ୍ୟ, ଇନ୍ଦୁମତୀ ସାହୁ, ବିଜୟଲକ୍ଷ୍ମୀ ମହାପାତ୍ର ପ୍ରମୁଖ ପରିଚାଳନା କରିଥିଲେ ।


Share It

Comments are closed.