ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ଓ ଇରେଡା ପକ୍ଷରୁ ଭୁବନେଶ୍ୱରରେ ଆୟୋଜିତ ସମ୍ମିଳନୀରେ ଓଡ଼ିଶାର ସବୁଜ ଶକ୍ତି ସମ୍ଭାବନା ଉପରେ ଆଲୋକପାତ


ଭୁବନେଶ୍ୱର: ନୂତନ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ (ଏମ୍‌ଏନ୍‌ଆରଇ) ପକ୍ଷରୁ ଇଣ୍ଡିଆନ୍ ରିନ୍ୟୁଏବଲ୍ ଏନର୍ଜି ଡେଭଲପମେଂଟ୍ ଏଜେନ୍ସି ଲିମିଟେଡ୍ (ଆଇଆରଇଡିଏ) ସହଯୋଗରେ ଭୁବନେଶ୍ୱରର ୱେଲ୍‌କମ୍ ହୋଟେଲରେ ବିଶ୍ୱ ପବନ ଶକ୍ତି ଦିବସ ପାଇଁ ଏକ ପ୍ରି-ଇଭେଂଟ୍ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।
ଯୁଗ୍ମ ସଚିବ (ଏମ୍‌ଏନ୍‌ଆରଇ) ଲଳିତ ବୋହରାଙ୍କ ଭାଷଣ ପାଠ କରି ଇରେଡାର ନିର୍ଦେଶକ (ଅର୍ଥ) ଡ. ବି.କେ ମହାନ୍ତି ଯୋଗଦେଇ ସମଗ୍ର ଭାରତରେ ଅକ୍ଷୟ ଶକ୍ତିର ଦ୍ରୁତ ବିକାଶ ଉପରେ ଗୁରୁତ୍ୱାରୋପ କରିବା ସହ ଓଡ଼ିଶା ସମେତ ଭାରତ ସରକାରଙ୍କ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ । ଅନିବାର୍ଯ୍ୟ କାରଣରୁ ଶ୍ରୀ ବୋହରା ବ୍ୟକ୍ତିଗତ ଭାବେ ସମ୍ମିଳନୀରେ ଯୋଗ ଦେଇପାରିନଥିଲେ । ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ୱିଣ୍ଡ ଏନର୍ଜି (ଏନ୍‌ଆଇଡବ୍ଲୁଇ) ଅନୁଯାୟୀ, ଭାରତର ତଟବର୍ତୀ ପବନର କ୍ଷମତା ଭୂପୃଷ୍ଠଠାରୁ ୧୫୦ ମିଟର ଉଚ୍ଚତାରେ ୧୧୬୪ ଗିଗାୱାଟ୍ ହେବ ବୋଲି ଆକଳନ କରାଯାଇଛି । ଓଡ଼ିଶାର ସେହି କ୍ଷମତା ୧୨ ଗିଗାୱାଟ୍ ଆକଳନ କରାଯାଇଛି ।
ମୁଖ୍ୟବକ୍ତା ଭାବେ ଇରେଡାର ସିଏମ୍‌ଡି ପ୍ରଦୀପ କୁମାର ଦାସ ଓଡ଼ିଶାର ଉଲ୍ଲେଖନୀୟ ସବୁଜ ଶକ୍ତି ସମ୍ଭାବନା ଓ ରାଜ୍ୟ ଭିତରେ ଆଶାଜନକ ସୁଯୋଗ ସମ୍ପର୍କରେ ଆଲୋକପାତ କରିଥିଲେ । ଗ୍ରିନ୍ ହାଇଡ୍ରୋଜେନ ପ୍ରକଳ୍ପରେ ଓଡ଼ିଶାର ନେତୃତ୍ୱ ନେବାର ସମ୍ଭାବନା ଉପରେ ଆଲୋକପାତ କରିବା ସହ ସ୍ଥାୟୀ ଶକ୍ତି କାର୍ଯ୍ୟକ୍ରମକୁ ଆଗେଇ ନେବାରେ ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ୩୧ ମାର୍ଚ୍ଚ ୨୦୨୪ ସୁଦ୍ଧା, ଇରେଡା ଅକ୍ଷୟ ଶକ୍ତି କ୍ଷେତ୍ରରେ ଦେଶବ୍ୟାପୀ ପ୍ରକଳ୍ପ ପାଇଁ ସମୁଦାୟ ୧,୨୫,୯୧୭ କୋଟି ଟଙ୍କାର ଋଣ ବଂଟନ କରିଛି, ଯେଉଁଥିରେ ପବନ ଶକ୍ତି ପାଇଁ ୨୬,୯୧୩ କୋଟି ଟଙ୍କା ବଂଟନ କରାଯାଇଛି । ବିଶେଷ କରି ଓଡ଼ିଶାରେ ଅକ୍ଷୟ ଶକ୍ତି ପ୍ରକଳ୍ପ ପାଇଁ ଇରେଡା ପକ୍ଷରୁ ୧,୬୩୭ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଛି ।
ଶ୍ରୀ ଦାସ ଓଡ଼ିଶାର ଅକ୍ଷୟ ଶକ୍ତି ନୀତି ୨୦୨୨ ଉପରେ ଆଲୋକପାତ କରିଥିଲେ, ଯେଉଁଥିରେ ସ୍ୱଚ୍ଛ ଶକ୍ତି କ୍ଷେତ୍ରରେ ପୁଞ୍ଜିନିବେଶକୁ ପ୍ରୋତ୍ସାହିତ କରିବାର ଲକ୍ଷ୍ୟ ରଖାଯାଇଛି ଏବଂ ଗ୍ରିନ୍ ହାଇଡ୍ରୋଜେନ, ଗ୍ରିନ୍ ଆମୋନିଆ ଏବଂ ଭାସମାନ ସୋଲାର ଭଳି ଅକ୍ଷୟ ଶକ୍ତି ଉତ୍ପାଦନ ଏବଂ ଉଦୀୟମାନ ଜ୍ଞାନକୌଶଳ ଉପରେ ବିଶେଷ ଧ୍ୟାନ ଦିଆଯାଇଛି । ନିରନ୍ତର ଜାତୀୟ ବିକାଶ ପାଇଁ ଅକ୍ଷୟ ଶକ୍ତିର ଉପଯୋଗ ଉପରେ ଗୁରୁତ୍ୱାରୋପ କରିବା ସହ ଓଡ଼ିଶା ଓ ଅନ୍ୟ ରାଜ୍ୟରେ ବିସ୍ତାରିତ ସୁଯୋଗର ଫାଇଦା ଉଠାଇବା ପାଇଁ ଅକ୍ଷୟ ଶକ୍ତି ବିକାଶକାରୀମାନଙ୍କୁ ପ୍ରୋତ୍ସାହିତ କରିଥିଲେ ।


Share It

Comments are closed.