ରାଉରକେଲାରେ ଲାଇଭଲିହୁଡ୍ ଇନକୁବେସନ୍ ସେଣ୍ଟର୍ ସ୍ଥାପନ ପାଇଁ ବୁଝାମଣାପତ୍ର ସ୍ୱାକ୍ଷରିତ


ଅନୁସୂଚିତ ଜନଜାତିଙ୍କ ମଧ୍ୟରେ ଉଦ୍ୟମିତାର ପ୍ରସାର କରିବା ନିମନ୍ତେ ରାଉରକେଲା ଠାରେ ଏକ ଜୀବିକା ଇନକୁବେସନ୍ ସେଣ୍ଟର୍ ସ୍ଥାପନ କରିବା ପାଇଁ ଆଜି ତିନୋଟି ସଂସ୍ଥା ଭିତରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ତିନି କେନ୍ଦ୍ର ମନ୍ତ୍ରୀଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ସେମାନେ ହେଉଛନ୍ତି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀଯୁକ୍ତ ଜୁଏଲ୍ ଓରାମ୍, କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ, ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ଏମଏସଏମଇ ରାଷ୍ଟ୍ରମନ୍ତ୍ରୀ ଶ୍ରୀଯୁକ୍ତ ଗିରିରାଜ ସିଂହ ।
ଜାତୀୟ ଏସଟି/ଏସ୍ସି ହବ୍ ସ୍କିମ୍ (ଏନଏସଏସଏଚ୍) ପାଇଁ ଆୟୋଜନ କରାଯାଇଥିବା ରାଜ୍ୟ ସମାବେଶ ଅବସରରେ ନ୍ୟାସନାଲ୍ ସିଡ୍ୟୁଲଡ୍ ଟ୍ରାଇବସ୍ ଫାଇନାନ୍ସ ଆଣ୍ଡ୍ ଡେଭେଲପ୍ମେଂଟ୍ କର୍ପୋରେସନ୍ (ଏନଏସଟିଏଫଡିସି), ଜାତୀୟ କ୍ଷୁଦ୍ର ଶିଳ୍ପ ନିଗମ (ଏନଏସଆଇସି) ଓ ସେଲ୍ ରାଉରକେଲା ଇସ୍ପାତ କାରଖାନା ମଧ୍ୟରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ।
ଏହି ଅବସରରେ ଶ୍ରୀଯୁକ୍ତ ଜୁଏଲ ଓରାମ, ଆଦିବାସୀ ବ୍ୟାପାର ମନ୍ତ୍ରୀ, ଭାରତ ସରକାର କହିଛନ୍ତି ଯେ, “ରାଉରକେଲା ଇନକୁବେସନ୍ ସେଂଟର୍ ପାଇଁ ସେଲ୍ ମାଗଣାରେ ଜମି ଓ କୋଠା ପ୍ରଦାନ କରିବ । ସେଠାରେ ୬୦୦ ପିଲାଙ୍କୁ ତାଲିମ ପ୍ରଦାନ କରାଯିବ । ପ୍ରତି ବ୍ୟାଚ୍ରେ ୨୫ ଜଣ ପିଲା ରହିବେ । ଆଦିବାସୀ ଅଂଚଳର ପ୍ରତି ଗ୍ରାମରୁ ଓ କୋଣ ଅନୁକୋଣରୁ ପିଲାମାନଙ୍କୁ ଚିହ୍ନଟ କରାଯିବ । ତିନି ମାସିଆ ତାଲିମ ଶେଷ ହେବା ପରେ ସେମାନଙ୍କୁ ଭାରତ ସରକାରଙ୍କ ବିଭିନ୍ନ ସ୍କିମ୍ ଜରିଆରେ ପାଣ୍ଠି ସହାୟତା ପ୍ରଦାନ କରାଯିବ ଯଦ୍ୱାରା ସେମାନେ ନିଜର କାରବାର ଆରମ୍ଭ କରିପାରିବେ ।’’
ଏନଏସଆଇସି ପକ୍ଷରୁ ପ୍ରକଳ୍ପ ଭିତିରେ ସେହି କେନ୍ଦ୍ରରେ ତାଲିମ କାର୍ଯ୍ୟକ୍ରମ ପ୍ରଦାନ କରାଯିବ । ଏହା କାରଖାନା, ଯନ୍ତ୍ରାଂଶ, ମାନବ ସମ୍ବଳ ପ୍ରଦାନ କରିବ ଓ ନିତିଦିନିଆ କାମର ଦେଖାଶୁଣା କରିବ । ସୌର ଶକ୍ତି ପ୍ରକଳ୍ପ, ଅଟୋମେଟିକ୍ ସକ୍ସ ନିଟିଂ ପ୍ରୋଜେକ୍ଟ, ବିସ୍କୁଟ/ବ୍ରେଡ୍ ତିଆରି ପ୍ରକଳ୍ପ, ଟଏଲେଟ୍ ପେପର ରୋଲ୍, ପେପର ନାପକିନ୍, ସୋୟା ମିଲ୍କ, ମସଲା, ପୁସ୍ତକ ବନେ୍ଧଇ ଓ ପ୍ରିଂଟିଂ ଆଦି ଉପରେ ତାଲିମ ପ୍ରଦାନ କରାଯିବ । ସ୍ଥାନୀୟ ବଜାରର ଆବଶ୍ୟକତା ଅନୁଯାୟୀ ତାଲିମ କାର୍ଯ୍ୟକ୍ରମ ଚୟନ କରାଯିବ ବୋଲି ସେ କହିଛନ୍ତି ।
ଏହି ଅବସରରେ କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, “ବଡ଼ ଶିଳ୍ପ ସଂସ୍ଥାଗୁଡ଼ିକ ଅର୍ଥନୀତିର ମେରୁଦଣ୍ଡ ନୁହେଁ । ଅର୍ଥନୀତିର ପ୍ରକୃତ ମେରୁଦଣ୍ଡ ହେଉଛି ଲଘୁ, କ୍ଷୁଦ୍ର ଓ ମଧ୍ୟମ ଧରଣର ଶିଳ୍ପ ସଂସ୍ଥା (ଏମ୍ଏସ୍ଏମ୍ଇ) । ଦେଶର ଅର୍ଥନୀତିକୁ ଏମ୍ଏସ୍ଏମ୍ଇ କ୍ଷେତ୍ରର ଅବଦାନ ୮୦-୮୫% ଭଳି ଉଚ୍ଚ ସ୍ତରରେ ରହିଛି । ନିଯୁକ୍ତି ସୃଷ୍ଟିଠାରୁ ଆରମ୍ଭ କରି ରାଜସ୍ୱ ସଂଗ୍ରହ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଏହା ଆଗୁଆ ରହିଛି ।’’
ଏହି ଅବସରରେ ଗିରିରାଜ ସିଂହ, ଏମ୍ଏସ୍ଏମ୍ଇ ରାଷ୍ଟ୍ରମନ୍ତ୍ରୀ, ଭାରତ ସରକାର କହିଛନ୍ତି ଯେ, “ଆମ ବିଭାଗ ବିଗତ ଚାରି ବର୍ଷରେ ୨ କୋଟି ନିଯୁକ୍ତି ସୁଯୋଗ ଓ ୧୮ ଲକ୍ଷ ଉଦ୍ୟୋଗୀ ସୃଷ୍ଟି କରିଛି । ନିଯୁକ୍ତି ସୃଷ୍ଟି କରିବାରେ ଅସୁବିଧା ସାମ୍ନା କରୁଥିବା ଓଡ଼ିଶା ଭଳି ରାଜ୍ୟ କ୍ଷୁଦ୍ର ନିଯୁକ୍ତି ସୃଷ୍ଟି ପ୍ରତି ଅଧିକ ଗୁରୁତ୍ୱ ଦେବା ଦରକାର ବୋଲି ସେ କହିଛନ୍ତି ।


Share It

Comments are closed.