ତାଳଚେର ସାର କାରଖାନା ହେବ ଭାରତର ପ୍ରଥମ କୋଇଲା ଗ୍ୟାସିଫିକେସନ ଆଧାରିତ କାରଖାନା – ଧର୍ମେନ୍ଦ୍ର ପ୍ରଧାନ


ନୂଆଦିଲ୍ଲୀ/ଭୁବନେଶ୍ୱର – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ତାଳଚେର ସାର କାରଖାନା(ଟିଏଫ୍‌ଏଲ୍‌) ଦ୍ୱାରା କାର୍ଯ୍ୟକାରୀ ହେଉଥିବା କୋଇଲା ଗ୍ୟାସିଫିକେସନ ଏବଂ ୟୁରିଆ ଉତ୍ପାଦନ ପ୍ରକଳ୍ପର ଅଗ୍ରଗତି ନେଇ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, କେନ୍ଦ୍ର ସାର ଓ ରସାୟନ ରାଷ୍ଟ୍ରମନ୍ତ୍ରୀ ମନସୁଖଲାଲ ମାଣ୍ଡଭିୟ ଏବଂ ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସହ ସମୀକ୍ଷା କରିଛନ୍ତି ।
ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ତାଳଚେର ସାର କାରଖାନା କାର୍ଯ୍ୟକ୍ଷମ ହେଲେ ଏହା ପେଟକୋକ୍ ବ୍ଲେଣ୍ଡିଂ ସହ ଭାରତର ପ୍ରଥମ କୋଇଲା ଗ୍ୟାସିଫିକେସନ ଆଧାରିତ ସାର କାରଖାନା ହେବ । ଏହାସହ ଏହି କାରଖାନା ଓଡିଶା ଏବଂ ପୂର୍ବ ଭାରତର ବିଭିନ୍ନ ଅଂଚଳରେ ୟୁରିଆ ତଥା ସାରର ସହଜ ଯୋଗାଣ ଉପଲବ୍ଧିକୁ ସୁନିଶ୍ଚିତ କରିବ ।
ଉକ୍ତ ବୈଠକରେ ତାଳଚେର ସାର କାରଖାନା ପାଇଁ ଥିବା ଚ୍ୟାଲେଞ୍ଜ ଏବଂ ପ୍ରକଳ୍ପକୁ ଶୀଘ୍ର କାର୍ଯ୍ୟକାରୀ କରିବା ଉପାୟ ଉପରେ ବିଚାରବିମର୍ଷ କରାଯାଇଛି । ତାଳଚେର ସାର କାରଖାନା ସଫଳତାର ସହ କାର୍ଯ୍ୟକ୍ଷମ ହେବା ପରେ ଏହା ଓଡିଶା ତଥା ଭାରତକୁ ୟୁରିଆ ଉତ୍ପାଦନରେ ଆତ୍ମନିର୍ଭର କରିବ । ଏହାସହ ଓଡିଶାରେ ନିଯୁକ୍ତି ସୁଯୋଗ ପ୍ରଦାନ କରିବା ସଙ୍ଗେସଙ୍ଗେ ରାଜ୍ୟର ବିକାଶରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଉଲ୍ଲେଖନୀୟ ଯେ, ଏହି ବୈଠକରେ କୋଇଲା ମନ୍ତ୍ରଣାଳୟ, ଅର୍ଥ ମନ୍ତ୍ରଣାଳୟ, ବୈଦେଶିକ ମନ୍ତ୍ରଣାଳୟ, ପେଟ୍ରୋଲିୟମ ମନ୍ତ୍ରଣାଳୟ, ସାର ବିଭାଗ ଏବଂ ଏସବିଆଇ ବ୍ୟାଙ୍କର ବରିଷ୍ଠ ଅଫିସରମାନେ ମଧ୍ୟ ସାମିଲ ହୋଇଥିଲେ ।


Share It

Comments are closed.