ଖରିଫ ଧାନ ସଂଗ୍ରହ ନିମନ୍ତେ ଚାଷୀ ନାମ ପଂଜୀକରଣକୁ ତ୍ୱରାନ୍ୱିତ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ନିର୍ଦ୍ଦେଶ


ଭୁବନେଶ୍ୱର : ଖରିଫ ୨୦୨୦-୨୧ ଧାନ ସଂଗ୍ରହ ନିମନ୍ତେ ଚାଷୀମାନଙ୍କର ନାମ ପଂଜୀକରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରି ଧାର୍ଯ୍ୟ ସମୟ ମଧ୍ୟରେ ଶେଷ କରିବା ପାଇଁ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଚଳିତ ଅଗଷ୍ଟ ମାସ ୩୧ ତାରିଖ ଧାନ ସଂଗ୍ରହ ନିମନ୍ତେ ଚାଷୀ ନାମ ପଂଜୀକରଣର ଶେଷ ତାରିଖ ହୋଇଥିବାବେଳେ ସମସ୍ତ କ୍ଷେତ୍ରାଧିକାରୀ, ଡିଆରସିଏସ, ଏଆରସିଏସମାନେ ପ୍ୟାକ୍ସ ପରିଦର୍ଶନ କରି ଚାଷୀ ନାମ ପଂଜୀକରଣ କାର୍ଯ୍ୟକୁ ତଦାରଖ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ।
ଆଜି ଲୋକସେବା ଭବନଠାରେ ଆୟୋଜିତ ଭିଡିଓ କନଫରେନ୍ସ ବୈଠକରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଚାଷୀ ନାମ ପଂଜୀକରଣ, ରାସନ କାର୍ଡର ଆଧାର ସଂଯୋଗୀକରଣ ଓ ବୈଧିକରଣ, ସାଧାରଣ ବଣ୍ଟନ ବ୍ୟବସ୍ଥାରେ ରାସନ ସାମଗ୍ରୀ ଯୋଗାଣ, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ରାସନ ସାମାଗ୍ରୀ ବଣ୍ଟନ ଏବଂ ମିଲରମାନଙ୍କ ଦ୍ୱାରା କଷ୍ଟମ ମିଲିଂ ଚାଉଳ ପ୍ରଦାନ ଆଦିର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଥିଲେ ।


ଖରିଫ ଧାନ ସଂଗ୍ରହ ନିମନ୍ତେ ରାଜ୍ୟରେ ଅଦ୍ୟାବିଧି ୭ ଲକ୍ଷ ୯୬ ହଜାର ୫୧୦ ଜଣ ଚାଷୀ ସେମାନଙ୍କର ନାମ ପଂଜୀକରଣ କରିଛନ୍ତି । ଗଜପତି, ସମ୍ବଲପୁର, କନ୍ଧମାଳ, ଯାଜପୁର, କଳାହାଣ୍ଡି, କଟକ ଆଦି ଜିଲ୍ଲାଗୁଡିକରେ ବିଗତବର୍ଷ ତୁଳନାରେ ଚାଷୀ ନାମ ପଂଜୀକରଣ ସନ୍ତୋଷଜନକ ହୋଇଥିବାବେଳେ ଅନ୍ୟ ଜିଲ୍ଲାଗୁଡିକରେ ଧାର୍ଯ୍ୟ ସମୟ ମଧ୍ୟରେ ଚାଷୀ ନାମ ପଂଜୀକରଣ କାର୍ଯ୍ୟ ଶେଷ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନର୍ଦ୍ଦେଶ ଦେଇଥିଲେ । ଚାଷୀ ନାମ ପଂଜୀକରଣ ଓ ନବୀକରଣ ଫର୍ମ ଚାଷୀମାନଙ୍କ ମଧ୍ୟରେ ବଣ୍ଟନ କରି ସେମାନଙ୍କର ନାମ ପଂଜୀକରଣ କାର୍ଯ୍ୟକୁ ତ୍ୱାରନ୍ୱିତ କରିବା ପାଇଁ କହିଥିଲେ । ଏଥି ସହିତ ଚାଷୀମାନଙ୍କର ଜମି କାଗଜପତ୍ର ଯାଞ୍ଚ ସହିତ ବ୍ୟାଙ୍କ ଆକାଉଣ୍ଟ, ବୋରୱେଲ ଏବଂ ଉଠାଜଳସେଚନ ବାବଦରେ ମଧ୍ୟ ଯାଞ୍ଚ କାର୍ଯ୍ୟ ସଂପନ୍ନ କରି ନିର୍ଭୁଲ ଚାଷୀ ପଂଜୀକରଣ ତାଲିକା ପ୍ରସ୍ତୁତ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ ।
ବୈଠକରେ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀମାନଙ୍କର ଆଧାର କାର୍ଡ ସଂଯୋଗ ଓ ଆଧାର ବୈଧିକରଣ କାର୍ଯ୍ୟର ଅଗ୍ରଗତି ସଂପର୍କରେ ସମୀକ୍ଷା କରାଯାଇଛି । ଅଦ୍ୟାବିଧି ୩ କୋଟି ୨୨ ଲକ୍ଷ ୮୬ ହଜାର ୬୯ ଜଣ ହିତାଧିକାରୀଙ୍କ ଆଧାର ସଂଯୋଗୀକରଣ କରାଯାଇଥିବାବେଳେ ତନ୍ମମଧ୍ୟରୁ ୮୮ ପ୍ରତିଶତ ହିତାଧିକାରୀଙ୍କ ଆଧାର ବୈଧିକରଣ କାର୍ଯ୍ୟ ସରିଛି । ଆଧାର ସଂଯୋଗୀକରଣ ହୋଇନଥିବା ହିତାଧିକାରୀ ରାସନ କାର୍ଡ ସହିତ ଆଧାର ସଂଯୋଗ ଓ ଆଧାର ବୈଧିକରଣ କାର୍ଯ୍ୟକୁ ଶୀଘ୍ର ଶେଷ କରିବା ପାଇଁ ସଂପୃକ୍ତ ଅଧିକାରୀଙ୍କୁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିର୍ଦ୍ଦେଶ ଦେଇଥିଲେ ।
ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ହିତାଧିକାରୀମାନଙ୍କୁ ଜୁଲାଇ ଓ ଅଗଷ୍ଟ ମାସର ରାସନ ସାମଗ୍ରୀ ବଣ୍ଟନ କାର୍ଯ୍ୟ ଶେଷ ହୋଇଛି । ଏଥି ସହିତ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ହିତାଧିକାରୀମାନଙ୍କୁ ଜୁଲାଇ ଓ ଅଗଷ୍ଟ ମାସର ରାସନ ସାମଗ୍ରୀ ଯୋଗାଇ ଦିଆଯାଇଛି । ସେପ୍ଟେମ୍ବର ଓ ଅକ୍ଟୋବର ମାସ ନିମନ୍ତେ ରାସନ ସାମାଗ୍ରୀ ଉଠାଣ କାର୍ଯ୍ୟ ଆରମ୍ଭ ହୋଇଛି ।
କଷ୍ଟମ ମିଲିଂ ରାଇସରେ ମିଲରମାନଙ୍କ ଦ୍ୱାରା ଚାଉଳ ପ୍ରଦାନ ସଂପର୍କରେ ସମୀକ୍ଷା କରିବା ଅବସରରେ ଯେଉଁସବୁ ସ୍ଥାନଗୁଡିକରେ ଅଦ୍ୟାବିଧି କମ ଚାଉଳ ସଂଗୃହୀତ ହୋଇଛି ସେଠାରେ ମିଲରମାନଙ୍କ ଠାରୁ ଯାଥାଶୀଘ୍ର ଚାଉଳ ସଂଗ୍ରହ କରି ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଚାଉଳ ଯୋଗାଇଦେବା ନିମନ୍ତେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିର୍ଦ୍ଦେଶ ଦେଇଥିଲେ ।
ଭିଡିଓ କନଫରେନ୍ସ ବୈଠକରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ବୀର ବିକ୍ରମ ଯାଦବ ଓ ଓଡିଶା ଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକଙ୍କ ସମେତ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ଓ ସମବାୟ ବିଭାଗର ବରିଷ୍ଠ ଅଧିକାରୀ ତଥା ସମସ୍ତ ଜିଲ୍ଲାର ମୁଖ୍ୟ ଯୋଗାଣ ଅଧିକାରୀ, ଯୋଗାଣ ଅଧିକାରୀ, ଏଆରସିଏସ ଡିଆରସିଏସ ଓ ଯୋଗାଣ ନିରୀକ୍ଷକମାନେ ଯୋଗ ଦେଇଥିଲେ ।


Share It

Comments are closed.