ସୁଲଭ ମୂଲ୍ୟ ଦୋକାନରେ ଯାଞ୍ଚ ବ୍ୟବସ୍ଥାକୁ କଡାକଡି କରିବା ଉପରେ ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ଗୁରୁତ୍ୱାରୋପ


ସୁଲଭ ମୂଲ୍ୟ ଦୋକାନରେ ଖାଉଟିମାନେ ଯେପରି ଠକାମିର ଶିକାର ନହୁଅନ୍ତି ଏବଂ ସଠିକ ଓଜନର ଦ୍ରବ୍ୟ ପାଆନ୍ତି, ସେଥି ନିମନ୍ତେ ଯାଞ୍ଚ ବ୍ୟବସ୍ଥାକୁ କଡାକଡି କରିବା ପାଇଁ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ନିର୍ଦ୍ଦେଶ ମୁତାବକ ଜିଲ୍ଲା ଗୁଡିକରେ ଯାଞ୍ଚ ବ୍ୟବସ୍ଥାକୁ କଡାକଡି କରାଯାଇ ଖିଲାଫକାରୀଙ୍କଠାରୁ ୪ ଲକ୍ଷ ୯୬ ହଜାର ୮୦୦ ଟଙ୍କା ଜରିମାନା ଆଦାୟ କରାଯାଇଛି ।
ଓଡିଶା ସରକାରଙ୍କ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧିନସ୍ଥ ବୈଧ ମାପ ବିଜ୍ଞାନ ନିର୍ଦ୍ଦେଶାଳୟ ପକ୍ଷରୁ ସୁଲଭ ମୂଲ୍ୟ ଦୋକାନରେ ଦ୍ରବ୍ୟ ଓଜନ ନିମନ୍ତେ ବ୍ୟବହୃତ ହେଉଥିବା ଓଜନ ଯନ୍ତ୍ର ଏବଂ ଉପକରଣଗୁଡିକର ବ୍ୟାପକ ଯାଞ୍ଚ ଞ୍ଚ କରାଯାଇଥିଲା । ଏଥି ନିମନ୍ତେ ନିର୍ଦ୍ଦେଶାଳୟ ପକ୍ଷରୁ ଜିଲ୍ଲା ଓ ଆରଡିସି ଜୋନ ସ୍ତରରେ ସ୍ୱତନ୍ତ୍ର ସ୍କ୍ୱାଡ ଗଠନ କରାଯାଇ ଯାଞ୍ଚ କରାଯାଇଥିଲା । ଯାଞ୍ଚ କାର୍ଯ୍ୟର ତଦାରଖ ନିମନ୍ତେ ବିଭାଗର ବରିଷ୍ଠ ଅଧିକାରୀଙ୍କୁ ନୋଡାଲ ଅଫିସର ଭାବେ ନିୟୋଜିତ କରାଯାଇଥିଲା । ମଇ ମାସରୁ ଆରମ୍ଭ କରାଯାଇଥିବା ଏହି ସ୍ୱତନ୍ତ୍ର ଯାଞ୍ଚବେଳେ ୩୬୦୦ଟି ସୁଲଭ ମୂଲ୍ୟ ଦୋକାନ ଯାଞ୍ଚ କରାଯାଇଥିଲା । ଏହି ସମୟରେ ୨୬୧ଟି ଦୋକାନରେ ଓଜନ ମାପରେ ଅନିୟମିତତା ଜଣାପଡିଥିଲା । ଏବଂ ଆଇନ ଅନୁଯାୟୀ ସେମାନଙ୍କ ଠାରୁ ଜରିମାନା ଅର୍ଥ ଆଦାୟ କରାଯାଇଥିଲା । ସ୍କ୍ୱାଡ ପକ୍ଷରୁ ମାପ ଓଜନ ଯନ୍ତ୍ର ପରୀକ୍ଷା ବାବଦକୁ ୪ ଲକ୍ଷ ୮୬ ହଜାର ୬୧୫ ଟଙ୍କା ଆଦାୟ କରାଯାଇଥିବାବେଳେ ଖିଲାପକାରୀଙ୍କଠାରୁ ଜରିମାନା ବାବଦକୁ କମ୍ପାଉଣ୍ଡିଂ ଫି ଆକାରରେ ୪ ଲକ୍ଷ ୯୬ ହଜାର ୮୦୦ ଟଙ୍କା ଆଦାୟ କରାଯାଇଥିଲା ।
ଯାଞ୍ଚ ସମୟରେ ଅଧିକାରୀମାନେ ଉପସ୍ଥିତ ଥିବା ଖାଉଟିମାନଙ୍କୁ ଓଜନ ଯନ୍ତ୍ରର ସଠିକତା ଓ ଏଥିରେ ସରକାରୀ ମୋହର ଓ ପ୍ରାମାଣିକତା ସଂପର୍କରେ ସଚେତନ କରାଇବା ସହିତ ଗ୍ରାହକମାନେ ସର୍ବଦା ଜିନିଷ କିଣିବା ପୂର୍ବରୁ ଓଜନ ମାପ ଯନ୍ତ୍ରକୁ ଭଲ ଭାବେ ପରୀକ୍ଷା କରାଇବା ଉପରେ ଗୁରୁତ୍ୱ ଦେଇଥିଲେ । ଓଜନ ମାପ ଯାଞ୍ଚ ପ୍ରକ୍ରିୟା ନିୟମିତ ଚାଲୁରହିଛି ବୋଲି ବୈଧ ମାପ ବିଜ୍ଞାନ ନିର୍ଦ୍ଦେଶକ ଶ୍ରୀ ସତ୍ୟନାରାୟଣ ଦାଶ କହିଛନ୍ତି ।


Share It

Comments are closed.