ଖରିଫ ଧାନ ସଂଗ୍ରହ ତ୍ୱରାନ୍ୱିତ କରିବା ପାଇଁ ମନ୍ତ୍ରୀ ଶ୍ରୀ ରାଜା ସ୍ୱାଇଁଙ୍କ ନିର୍ଦ୍ଦେଶ


ନଭେମ୍ବର ପ୍ରଥମ ସପ୍ତାହରୁ ରାଜ୍ୟରେ ଖରିଫ ଧାନସଂଗ୍ରହ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ଆଜି ସୁଦ୍ଧା ରାଜ୍ୟରେ ୧୧ଟି ଜିଲ୍ଲାରେ ମୋଟ ୨,୩୮,୪୫୨ ମେଟ୍ରିକ ଟନ ଧାନସଂଗ୍ରହ କରାଯାଇଛି, ଯାହାକି ଗତ ବର୍ଷ ଆଜିର ଦିନ ସୁଦ୍ଧା ଖରିଫ ଧାନସଂଗ୍ରହଠାରୁ ୮୫ ପ୍ରତିଶତ ଅଧିକ ବୋଲି ଜଣାପଡିଛି । ଗତବର୍ଷ ଆଜିର ତାରିଖ ସୁଦ୍ଧା ୧ ଲକ୍ଷ ୨୯ ହଜାର ୫୨ ମେଟ୍ରିକ ଟନ ଧାନ ସଂଗ୍ରହ ହୋଇଥିଲା ।
୍‌ଅଧିକ ଧାନସଂଗ୍ରହ ହୋଇଥିବା ଜିଲ୍ଲା ମଧ୍ୟରୁ ବରଗଡ ଜିଲ୍ଲାରେ ସର୍ବାଧିକ ୧,୪୨,୧୨୨ ମେଟ୍ରିକ ଟନ ଧାନ ସଂଗ୍ରହ ହୋଇଛି । ବରଗଡରେ ଗତବର୍ଷ ଆଜି ତାରିଖରେ ୬୯,୩୮୦ ମେଟ୍ରିକ ଟନ ଧାନ ସଂଗ୍ରହ ହୋଇଥିବାବେଳେ ଚଳିତ ବର୍ଷ ଆଜି ସୁଦ୍ଧା ୧୦୫ ପ୍ରତିଶତ ଅଧିକ ଧାନ ସଂଗ୍ରହ ହୋଇଛି । ସେହିପରି କଳାହାଣ୍ଡିରେ ଗତବର୍ଷ ଆଜି ସୁଦ୍ଧା ୧୩,୧୨୭ ଟନ ଧାନ ସଂଗ୍ରହ ହୋଇଥିବାବେଳେ ଚଳିତ ବର୍ଷ ଆଜି ସୁଦ୍ଧା ୨୮,୮୧୩ ଟନ ଧାନ ସଂଗ୍ରହ ହୋଇଛି ଯାହାକି ଗତବର୍ଷ ତୁଳନାରେ ୧୧୯ ପ୍ରତିଶତ ଅଧିକ । ସେହିପରି ନୂଆପଡା ଜିଲ୍ଲାରେ ଗତବର୍ଷ ତୁଳନାରେ ୧୫୪ ପ୍ରତିଶତ ଅଧିକ ଧାନସଂଗ୍ରହ ହୋଇଛି । ଗତବର୍ଷ ଆଜି ତାରିଖରେ ୩୭୩୯ ଟନ ଧାନ ସଂଗ୍ରହ ହୋଇଥିବାବେଳେ ଚଳିତ ବର୍ଷ ୯୫୦୫ ମେଟ୍ରିକ ଟନ ଧାନ ସଂଗ୍ରହ ହୋଇଛି । ସମ୍ବଲପୁରରେ ଗତବର୍ଷ ଆଜି ସୁଦ୍ଧା ୧୭,୫୦୧ ଟନ ଧାନ ସଂଗ୍ରହ ହୋଇଥିବାବେଳେ ଚଳିତ ବର୍ଷ ଆଜି ସୁଦ୍ଧା ଧାନ ସଂଗ୍ରହରେ ୧୦୧ ପ୍ରତିଶତ ବୃଦ୍ଧି ପାଇ ୩୫,୧୦୩ ଟନରେ ପହଞ୍ଚିଛି । ଏଥି ସହିତ ସୁବର୍ଣ୍ଣପୁରରେ ୯୬୨୮ ମେଟ୍ରିକ ଟନ, ବଲାଙ୍ଗୀରରେ ୭୭୧୯ ମେଟ୍ରିକ ଟନ, କୋରପୁଟରେ ୩୭୩୦ ମେଟ୍ରିକ ଟନ ଏବଂ ସୁନ୍ଦରଗଡରେ ୧୧୬୫ ଟନ ଧାନ ସଂଗ୍ରହ କରାଯାଇଛି । ଆଜି ସୁଦ୍ଧା ରାଜ୍ୟର ୧୧ଟି ଜିଲ୍ଲାର ୩୫,୭୮୯ ଜଣ ଚାଷୀ ସେମାନଙ୍କ ଧାନ ବିକ୍ରି କରିଛନ୍ତି ।
ନାମ ପଞ୍ଜୀକୃତ ହୋଇଥିବା ଚାଷୀଙ୍କଠାରୁ ପିପାସ ଓ ଆଗୁଆ ଟୋକେନ ମାଧ୍ୟମରେ ଏହି ଖରିଫ ଧାନ ସଂଗ୍ରହ କରାଯାଇଛି । ଧାନସଂଗ୍ରହ କାର୍ଯ୍ୟରେ ସଂପୂର୍ଣ୍ଣ ସ୍ୱଚ୍ଛତା ଅବଲମ୍ବନ ଓ ବ୍ୟବସ୍ଥିତ ଭାବରେ ତ୍ୱରାନ୍ୱିତ କରିବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହିତ ମଣ୍ଡିରେ ସାମାଜିକ ଦୂରତ୍ୱ ଓ ସମସ୍ତ କୋଭିଡ-୧୯ ମାର୍ଗଦର୍ଶିକା ଅନୁପାଳନ କରି ଚାଷୀମାନଙ୍କଠାରୁ ଧାନସଂଗ୍ରହ କରିବା ପାଇଁ କହିଛନ୍ତି ।


Share It

Comments are closed.