ପ୍ରବାସୀ ଶ୍ରମିକଙ୍କ ପାଇଁ କମ୍ ମୂଲ୍ୟର ଘର ନିର୍ମାଣରେ ଭାରତ ସରକାରଙ୍କ ସହଯୋଗୀ ହୁଅନ୍ତୁ ଇସ୍ପାତ ଶିଳ୍ପର ପ୍ରମୁଖ – ଧର୍ମେନ୍ଦ୍ର ପ୍ରଧାନ


ନୂଆଦିଲ୍ଲୀ/ଭୁବନେଶ୍ୱର, ଅଗଷ୍ଟ ୧୮ – ପ୍ରବାସୀ ଶ୍ରମିକଙ୍କ ଘର ସମସ୍ୟାର ସମାଧାନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ଗୃହ ନିର୍ମାଣ ଓ ସହରାଚଂଳ ବ୍ୟାପାର ମନ୍ତ୍ରଣାଳୟ ଅଭିନବ ପଦକ୍ଷେପ ନେଇଛନ୍ତି । ଇସ୍ପାତ୍ କ୍ଷେତ୍ରର ନେତୃତ୍ୱମାନେ ଭାରତ ସରକାରଙ୍କ ସହ ହାତ ମିଳାଇ ପ୍ରବାସୀ ଶ୍ରମିକଙ୍କୁ କମ୍ ମୂଲ୍ୟରେ ଘର ଯୋଗାଇବା କାମରେ ସହଯୋଗୀ ହେବା ପାଇଁ ଆହ୍ୱାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଇସ୍ପାତ୍ ମନ୍ତ୍ରଣାଳୟ ଏବଂ ସିଆଇଆଇ ପକ୍ଷରୁ ଆୟୋଜିତ ‘ଆତ୍ମନିର୍ଭର ଭାରତ: ଗୃହ ଓ ନିର୍ମାଣ, ବିମାନ ଚଳାଚଳ କ୍ଷେତ୍ରରେ ଇସ୍ପାତ ବ୍ୟବହାରକୁ ବଢ଼ାଇବା’ ୱେବିନାର୍‌ରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶ୍ରୀ ପ୍ରଧାନ ଗୃହ ଓ ସହରାଚଂଳ ବ୍ୟାପାର ମନ୍ତ୍ରଣାଳୟର ଯୋଜନା ସମ୍ପର୍କରେ ଅବଗତ କରିବା ସହ ଏହି ପ୍ରକଳ୍ପ ଗୁଡିକରେ ଭାରତ ସରକାରଙ୍କ ସହ ସହଯୋଗୀ ହେବାକୁ କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏବଂ ଇସ୍ପାତ୍ ଶିଳ୍ପର ନେତୃତ୍ୱ ମାନଙ୍କୁ ଆହ୍ୱାନ କରିଥିଲେ । ସେ କହିଛନ୍ତି କେନ୍ଦ୍ର ସରକାର ପ୍ରବାସୀ ଶ୍ରମିକଙ୍କୁ ଘର ପ୍ରଦାନ କରିବାର ଲକ୍ଷ୍ୟ ରଖିଛନ୍ତି । ମାତ୍ର ଇସ୍ପାତ୍ ଶିଳ୍ପ ଏଥିରେ ସହଯୋଗୀ ହୋଇ ଅନେକ ଇସ୍ପାତ୍ ଉପକରଣ ତିଆରି ଉପରେ ଜୋର୍ ଦେବା ସହ ସ୍ୱଳ୍ପ ମୂଲ୍ୟର ଘର ନିର୍ମାଣ କରିବା ଉଚିତ୍ । ଯାହା ଅନ୍ୟ ମାନଙ୍କ ପାଇଁ ମଡେଲ ମଧ୍ୟ ତିଆରି କରିପାରିବ । ଆତ୍ମନିର୍ଭର ଭାରତ ଦେଶର ପ୍ରତ୍ୟେକ ଜନସାଧାରଣଙ୍କୁ ଆତ୍ମସମ୍ମାନ ଦେବା ପାଇଁ ପ୍ରଚେଷ୍ଟା କରୁଥିବା ବେଳେ ସରକାରଙ୍କ ଏପରି କଲ୍ୟାଣକାରୀ ପଦକ୍ଷେପ ଗୁଡ଼ିକରେ ଇସ୍ପାତ୍ ଶିଳ୍ପର ଭାଗିଦାରୀ ରହିବା ଦରକାର ।
ଗୃହ ଏବଂ ସହରାଂଚଳ ବ୍ୟାପାର ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ଏହି ବୃହତ୍ ପ୍ରକଳ୍ପ ଗୁଡିକରେ ଇସ୍ପାତ ଶିଳ୍ପ ସହଯୋଗ କରିବାର ଆବଶ୍ୟକତା ରହିଛି । ଦେଶରେ ଇସ୍ପାତର ବ୍ୟବହାରକୁ ବଢ଼ାଇବା ପାଇଁ ଅନେକ ସମ୍ଭାବନା ରହିଛି । ଅପରପକ୍ଷରେ କରୋନା ସଂକଟ ସମୟରେ ଭାରତୀୟ ଶିଳ୍ପର ପ୍ରୋତ୍ସାହନ କାରଣରୁ ବହୁସଂଖ୍ୟାରେ ପିପିଇ କିଟ୍‌, ମାସ୍କ ଓ ଭେଣ୍ଟିଲେଟର ଉତ୍ପାଦନରେ ବୃଦ୍ଧି ଘଟିଛି । ଭାରତୀୟ ଔଷଧ କମ୍ପାନୀ ୧୫୦ଟି ଦେଶକୁ ମେଡିସିନ୍ ଯୋଗାଇଛି । ଦେଶର ଦ୍ୱିତୀୟ ଇସ୍ପାତ୍ ଉତ୍ପାଦନକାରୀ ରାଷ୍ଟ୍ର ଭାରତ ବିଶ୍ୱରେ ଇସ୍ପାତର ଆବଶ୍ୟକତାକୁ ପୂରଣ କରିବାର ଉତ୍ପତିସ୍ଥଳ ହେଉ ।
ଉଲ୍ଲେଖନୀୟ ଯେ, ଏହି ୱେବିନାରରେ କେନ୍ଦ୍ର ଗୃହ ଓ ସହରାଂଚଳ ଏବଂ ବେସାମରିକ ବିମାନ ଚଳାଚଳ ରାଷ୍ଟ୍ର ମନ୍ତ୍ରୀ ହରଦୀପ ସିଂ ପୁରୀ, କେନ୍ଦ୍ର ଇସ୍ପାତ୍ ରାଷ୍ଟ୍ର ମନ୍ତ୍ରୀ ଫଗନ ସିଂ କୁଲସ୍ତେ, ଇସ୍ପାତ୍ ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ତଥା କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗର ଅଧିକାରୀମାନେ ଉପସ୍ଥିତ ଥିଲେ ।


Share It

Comments are closed.