କରୋନା ଯୋଗୁଁ ବିଶ୍ୱରେ ଉପୁଜିଥିବା ଗମ୍ଭୀର ଆର୍ଥିକ ସମସ୍ୟାକୁ ନେଇ ଚିନ୍ତା ପ୍ରକଟ କଲେ ‘ବିଲ ଗେଟ୍‌ସ’


କରୋନା ମହାମାରୀର ପ୍ରକୋପ ଧୀମା ହେବା ପୂର୍ବରୁ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟି ସାରିଥିବ। ଏହି ମୃତ୍ୟୁ କେବଳ କରୋନା ନୁହେଁ ବରଂ ଅନ୍ୟ କେତେକ କାରଣ ଯୋଗୁଁ ହେବ। ନିମ୍ନମାନର ସ୍ୱାସ୍ଥ୍ୟ ସେବା ଏବଂ ଅର୍ଥବ୍ୟବସ୍ଥାଗୁଡିକ ଉପରେ ଅତ୍ୟଧିକ ବୋଝ ଯୋଗୁ ଅନେକ ବିଶ୍ୱବାସୀଙ୍କ ମୃତ୍ୟୁ ଘଟିବ। ଆର୍ଥିକ ଅନଟନ ମଧ୍ୟରେ ଅନେକେ ଜୀବନ ହାରିବେ। ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ୍‌ ଗେଟ୍‌ସ । ଏକ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତ୍‌କାରରେ ବିଲ୍‌ ଗେଟ୍‌ସ କହିଛନ୍ତି ଯେ ଦୁଃଖର ବିଷୟ ହେଉଛି, ଗରିବ ରାଷ୍ଟ୍ରଗୁଡିକରେ କରୋନା ଯୋଗୁଁ ହୋଇଥିବା କ୍ଷତିର ସଠିକ ଅନୁମାନ ଲଗାଇବା ବି କଷ୍ଟକର ହେଉଛି।

ମାଇକ୍ରୋସଫ୍ଟ ସହ-ପ୍ରତିଷ୍ଠାତାଙ୍କ ଅନୁମାନ ଅନୁସାରେ, ପ୍ରଭାବଶୀଳ ଟିକାର ଅଧିକ ଉତ୍ପାଦନ ୨୦୨୧ ଶେଷ ବେଳକୁ ହିଁ ସମ୍ଭବପର ହୋଇପାରିବ। ଉକ୍ତ ସମୟ ସୁଦ୍ଧା କରୋନା ରୋଗୀଙ୍କ ସଂଖ୍ୟାରେ ହ୍ରାସ ଘଟିପାରେ । ବିଲ୍‌ ଗେଟ୍‌ସ କହିଛନ୍ତି ଯେ ୯୦%ରୁ ଊଦ୍ଧ୍ୱର୍ ମୃତ୍ୟୁ କରୋନା ନୁହେଁ ବରଂ ଅନ୍ୟ ରୋଗ ଦ୍ୱାରା ହେବ। ଲକ୍‌ଡାଉନ୍‌ ଯୋଗୁ ଅନ୍ୟ ରୋଗଗୁଡିକ ପାଇଁ ଔଷଧ ମିଳିବା କଷ୍ଟକର ହେବ। ମ୍ୟାଲେରିଆ ଏବଂ ଏଚ୍‌ଆଇଭି ରୋଗୀଙ୍କ ମୃତ୍ୟୁସଂଖ୍ୟା ବହୁ ମାତ୍ରାରେ ବଢ଼ିଯିବ।

ଗେଟ୍‌ସଙ୍କ କହିବାନୁଯାୟୀ, ବିଲ୍‌ ଗେଟ୍‌ସ ଫାଉଣ୍ଡେସନ୍‌ ମହାମାରୀ ସମୟରେ ପ୍ରାୟ ୩୫ କୋଟି ଡଲାରରୁ ଊଦ୍ଧ୍ୱର୍ ଆର୍ଥିକ ସହାୟତା ଯୋଗାଇଛି। କିନ୍ତୁ ଏହା ପର୍ଯ୍ୟାପ୍ତ ନୁହେଁ । କରୋନା ମୁକାବିଲା ପାଇଁ ବହୁ ମାତ୍ରାରେ ପାଣ୍ଠିର ଆବଶ୍ୟକତା ରହିଛି। ଆର୍ଥିକ କ୍ଷତିକୁ ରୋକିବା ପାଇଁ କୋଭିଡ୍‌-୧୯ ଟିକା ବନାଇବା ନିମନ୍ତେ କୋଟି କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଏଥିପାଇଁ ସବୁ ରାଷ୍ଟ୍ର ଏବଂ ସଂସ୍ଥାଗୁଡିକର ସହଯୋଗର ହାତ ବଢ଼ାଇବା ଦରକାର ବୋଲି ଗେଟ୍‌ସ କହିଛନ୍ତି। ଅଗଷ୍ଟ ୧୭ ସୁଦ୍ଧା ଆଫ୍ରିକାରେ ଏ ମହାମାରୀ ଯୋଗୁ ୨୫,୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି । ଭାରତରେ ମହାମାରୀରେ ୫୨,୦୦୦ରୁ ଊଦ୍ଧ୍ୱର୍ ଲୋକଙ୍କ ମୃତ୍ୟୁବରଣ ହୋଇଛି । ବିଶ୍ୱର ୩୦ରୁ ୬୦% ଲୋକଙ୍କୁ ମହାମାରୀରୁ ବଞ୍ଚାଇବା ପାଇଁ ଟିକାର ଆବଶ୍ୟକତା ରହିଛି ବୋଲି ଗେଟ୍‌ସ ସୂଚନା ଦେଇଛନ୍ତି ।


Share It

Comments are closed.