କାଶ୍ମୀରରେ ଆତଙ୍କବାଦୀଙ୍କ ଦ୍ୱାରା ପୋଲିସକର୍ମୀଙ୍କ ପରିବାର ସଦସ୍ୟଙ୍କୁ ଅପହରଣ


ଦକ୍ଷୀଣ କାଶ୍ମୀରର ତିନୋଟି ଜିଲ୍ଲା କୁଲଗାଁ, ଅନନ୍ତନାଗ ଏବଂ ପୁଲବାମାରେ ଆତଙ୍କବାଦୀମାନେ ପୋଲିସକର୍ମୀଙ୍କର ୧୧ ଜଣ ପରିବାର ସଦସ୍ୟଙ୍କୁ ଅପହରଣ କରିନେଇଛନ୍ତି । ସେମାନଙ୍କ ମଧ୍ୟରେ ଜଣେ ଡିଏସପି ଏବଂ ଏସଏସଓଙ୍କ ଭାଇ ମଧ୍ୟ ମହଜୁଦ ଅଛନ୍ତି ।
ଗତ ୪୮ ଘଣ୍ଟା ମଧ୍ୟରେ ଆତଙ୍କବାଦୀମାନେ ପୋଲିସକର୍ମୀଙ୍କର ପରିବାର ସଦସ୍ୟଙ୍କୁ ଅପହରଣ କରିବା ପରେ ସମ୍ପୂର୍ଣ୍ଣଭାବେ ଘାଟିରେ ହାଇ ଆଲର୍ଟ ଜାରୀ କରାଇ ଦିଆଯାଇଛି । ଏହି ମାମଲାର ଏବେ ଛାନବିନ ଚାଲିଛି ବୋଲି ଡିଜିପି ଡଃ. ଏସପି ବୈଦ ସୂଚନା ଦେଇଛନ୍ତି ।
ଆତଙ୍କବାଦୀମାନେ ପୂର୍ବରୁ ଧମକ ଦେଇଥିଲେ ଯେ, ଯଦି ତାଙ୍କ ପରିବାର ସଦସ୍ୟଙ୍କୁ ପୋଲିସ କିମ୍ବା ସୁରକ୍ଷକର୍ମୀଙ୍କ ପକ୍ଷରୁ କୌଣସି ନିର୍ଯ୍ୟାତନା ଦିଆଯାଏ, ତେବେ ସେଠାରେ ପୋଲିସ ଏବଂ ସୁରକ୍ଷକର୍ମୀଙ୍କ ପରିବାର ମଧ୍ୟ ସୁରକ୍ଷିତ ରହି ପାରିିବେ ନାହିଁ ।
ଗୁରୁବାର ଆତଙ୍କବାଦୀ ରିୟାଜ ନାୟକୁଙ୍କର ବାପାଙ୍କୁ ପଚରା ଉଚାରା ପାଇଁ ଉଠାଇ ନିଆଯାଇଥିବାବେଳେ ଦୁଇ ଜଣ ଆତଙ୍କବାଦୀଙ୍କ ଘରକୁ ଜଳାଇ ଦିଆଯିବା ଏବଂ ଅନ୍ୟ ଏକ ଆତଙ୍କବାଦୀ ସଲ୍ଲାଉଦିନଙ୍କର ଦ୍ୱିତୀୟ ପୁଅକୁ ଏନଆଇଏ ଗିରଫ କରିବା ପରେ ଏହି ଭଳି ଘଟଣା ସାମନାକୁ ଆସିଛି । ସୁରକ୍ଷାକର୍ମୀମାନଙ୍କ ଦ୍ୱାରା ଆତଙ୍କବାଦୀଙ୍କ ପରିବାର ଉପରେ ହୋଇଥିବା ଏହି ଘଟଣା ଯୋଗୁଁ ସେମାନେ ଏହିଭଳି କାଣ୍ଡ ଘଟାଇଥିବା ସନ୍ଦେହ କରାଯାଉଛି ।
ଗୁରୁବାର ଆତଙ୍କବାଦୀମାନେ ପୋଲିସ କର୍ମୀଙ୍କ ପରିବାରର ତିନି ଜଣ ସଦସ୍ୟଙ୍କୁ ଅପହରଣ କରିଥିବାବେଳେ ରାତି ସୁଧା ଏହାର ସଂଖ୍ୟା ୯ରେ ଆସିକି ପହଞ୍ଚିଯାଇଥିଲା ଏବଂ ଆଜି ମଧ୍ୟ ଆତଙ୍କବାଦୀମାନେ ଆଉ ୨ ଜଣ ପୋଲିସ ପରିବାର ସଦସ୍ୟଙ୍କୁ ଅପହରଣ କରିନେଇଛନ୍ତି ।
ଅପହରଣ ହୋଇଥିବା ସଦସ୍ୟମାନେ ହେଉଛନ୍ତି ଜୁବେର ଅହମ୍ମଦ ଭଟ୍ଟ, ଆରୀଫ ଅହମ୍ମଦ ସଂକାର, ଫୈଜାମ ଅହମ୍ମଦ ମକରୁ, ସୁମର ଅହମ୍ମଦ ରାଥର ଏବଂ ଗୌହର ଅହମ୍ମଦ ମଲ୍ଲିକ ।


Share It

Comments are closed.