ଆଜି ମୁମ୍ବାଇ ଠାରୁ ପ୍ରତିଶୋଧ ନେବାର ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇବ କୋଲକତା


ଆଜି ଆଇପିଏଲ୍‌ର ଦ୍ୱିତୀୟ ପର୍ଯ୍ୟାୟର ଏକ ଗୁରୁତ୍ୱପୂର୍ଣ୍ଣ ଲିଗ୍‌ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ୍‌ ରାଇଡର୍ସ ପରସ୍ପରକୁ ଭେଟିବାକୁ ଯାଉଛନ୍ତି । କ୍ରମାନ୍ୱୟରେ ୪ଟି ମ୍ୟାଚ୍‌ରେ ଅପରାଜେୟ ଥିବା ଡିଫେଣ୍ଡିଂ ଚାମ୍ପିଅନ୍‌ ମୁମ୍ବାଇର ମନୋବଳ ଦ୍ୱିଗୁଣିତ ରହିଛି । ଅନ୍ୟ ପଟରେ କୋଲକାତା ପୂର୍ବ ମ୍ୟାଚ୍‌ରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ନିକଟରୁ ପରାସ୍ତ ହୋଇଥିଲା । ତେଣୁ ଆଜିର ମ୍ୟାଚ୍‌ ଜରିଆରେ ବିଜୟଧାରାକୁ ଫେରିବା କୋଲକାତାର ଲକ୍ଷ୍ୟ ହେବ ।

ଆବୁଧାବିରେ ହୋଇଥିବା ପ୍ରଥମ ଭେଟରେ କୋଲକାତାକୁ ୪୯ରନ୍‌ରେ ହରାଇଥିଲା ମୁମ୍ବାଇ । ଅଧିନାୟକ ରୋହିତ ଶର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଓ ବୋଲରମାନଙ୍କ ଶୃଙ୍ଖଳିତ ବୋଲିଂ ଦଳ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲା । ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ୫/୧୯୫ରନ୍‌ କରିଥିବାବେଳେ କୋଲକାତା ୯/୧୪୯ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଦ୍ୱିତୀୟଥର ଆବୁଧାବିରେ ଉଭୟ ଦଳ ସାମ୍ନାସାମ୍ନି ହେବେ । ରେକର୍ଡ଼ ଓ ବର୍ତ୍ତମାନର ପ୍ରଦର୍ଶନ ମୁମ୍ବାଇକୁ ବିଜୟ ଦାବିଦାର ରଖିଛି । କୋଲକାତା ବିପକ୍ଷରେ ମୁମ୍ବାଇର ରେକର୍ଡ଼ ୨୦-୬ ରହିଛି । ରୋହିତଙ୍କ ମୁମ୍ବାଇ ଦଳ ୭ ମ୍ୟାଚ୍‌ରୁ ୫ଟିରେ ବିଜୟୀ ହୋଇଛି । ଦଳର ବ୍ୟାଟିଂ ଓ ବୋଲିଂ ବିଭାଗ ସବୁଠୁ ଶକ୍ତିଶାଳୀ । ସମସ୍ତ ବ୍ୟାଟ୍ସମ୍ୟାନ୍‌ ଭିନ୍ନ ଭିନ୍ନ ମ୍ୟାଚ୍‌ରେ ଶ୍ରେଷ୍ଠ ପ୍ରଦର୍ଶନ ଦେଇଛନ୍ତି । ବୋଲରମାନେ ମଧ୍ୟ ଅନୁରୂପ ପ୍ରଦର୍ଶନ କରିଛନ୍ତି । ପ୍ରାୟ ସମସ୍ତ ଖେଳାଳି ଫର୍ମରେ ରହିଛନ୍ତି। ଆବୁଧାବି ଗ୍ରାଉଣ୍ଡରେ ରୋହିତ ୨ଟି ଯାକ ଅର୍ଦ୍ଧଶତକ ହାସଲ କରିଛନ୍ତି ।

ସେହିପରି ସୂର୍ଯ୍ୟକୁମାର ଯାଦବ, ଈଶାନ୍‌ କିଷନ, ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରିଛନ୍ତି । ରୋହିତ ପୂର୍ବଭଳି ଆସନ୍ତାକାଲି ୩ଜଣ ପେସ୍‌ ବୋଲର ଟ୍ରେଣ୍ଟ ବୋଲ୍ଟ, ଯଶପ୍ରୀତ୍‌ ବୁମ୍‌ରା ଓ ଜେମ୍ସ ପାଟିନସନ୍‌ଙ୍କ ନେଇ ଆକ୍ସନକୁ ଓହ୍ଲାଇବେ । ଏହି ୩ଜଣ ବୋଲର ୩୧ଟି ୱିକେଟ୍‌ ଅକ୍ତିଆର କରିସାରିଛନ୍ତି । ଆଜି ରୋହିତ ଓ କୋଲକାତା ବୋଲିଂ ବିଭାଗ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ ।

କୋଲକାତା ୭ଟି ମ୍ୟାଚ୍‌ରୁ ୪ଟିରେ ବିଜୟୀ ହୋଇଛି । ଦଳ ପୂର୍ବ ମ୍ୟାଚ୍‌ରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ନିକଟରୁ ବୃହତ ୮୨ରନ୍‌ ବ୍ୟବଧାନରେ ପରାଜିତ ହୋଇଥିଲା । ସନ୍ଦେହଜନକ ବୋଲିଂ ଆକ୍ସନ ପାଇଁ ସ୍ପିନର ସୁନିଲ ନାରାଏନ୍‌ ଏହି ମ୍ୟାଚ୍‌ ଖେଳିନଥିଲେ । ଆଜିର ମ୍ୟାଚ୍‌ରେ ତାଙ୍କ ଖେଳିବା ନେଇ ସନ୍ଦେହ ରହିଛି । ପୂର୍ବ ମ୍ୟାଚ୍‌ରେ ଓପନିଂ ସୁଯୋଗ ପାଇଥିବା ଟମ୍‌ ବାଣ୍ଟନ ନିରାଶ କରିଥିଲେ । ତେଣୁ ଅଧିନାୟକ ଦିନେଶ କାର୍ତ୍ତିକ ପୂର୍ବ ଓପନିଂ ଯୋଡ଼ି ଶୁବମନ ଗିଲ୍‌ ଓ ରାହୁଲ ତ୍ରିପାଠୀଙ୍କୁ ନେଇ ରଣନୀତି କରିପାରନ୍ତି । ବାଣ୍ଟନଙ୍କ ସ୍ଥାନରେ ଅଲରାଉଣ୍ଡର ଲୋକି ଫର୍ଗୁସନ୍‌ଙ୍କୁ ସୁଯୋଗ ମିଳିବା ସମ୍ଭାବନା ରହିଛି । ସେ ଡେଥ୍‌ ବୋଲିଂ ସମସ୍ୟା ଦୂର କରିପାରିବେ । ଯଦି ଫର୍ଗୁସନଙ୍କୁ ସୁଯୋଗ ମିଳେ, ତା’ହେଲେ ଦଳ କମଳେଶ ନାଗରକୋଟିଙ୍କ ସ୍ଥାନରେ ଦ୍ୱିତୀୟ ସ୍ପିନର ଭାବେ କୁଲଦୀପ ଯାଦବଙ୍କୁ ଖେଳାଇପାରେ । ଦୁର୍ଦ୍ଦର୍ଷ ଆନ୍ଦ୍ରେ ରସେଲଙ୍କ ଫର୍ମ ଚିନ୍ତାଜନକ ରହିଛି । ସେ ୭ଟି ମ୍ୟାଚ୍‌ରୁ ମାତ୍ର ୭୧ରନ୍‌ କରିଛନ୍ତି ।


Share It

Comments are closed.