ଏମ୍‌ଇଏଆଇ ଭୁବନେଶ୍ୱର-ସୁକିନ୍ଦା ଚାପ୍ଟର ପକ୍ଷରୁ ଖଣି କ୍ଷେତ୍ରରେ ପରିବେଶ ଜନିତ ଆହ୍ୱାନ ସମ୍ପର୍କିତ ଅଧିବେଶନ ଆୟୋଜିତ


ଭୁବନେଶ୍ୱର/ ସୁକିନ୍ଦା: ଏମ୍‌ଇଏଆଇ ଭୁବନେଶ୍ୱର-ସୁକିନ୍ଦା ଚାପ୍ଟର ପକ୍ଷରୁ ଟାଟା ଷ୍ଟିଲ୍ ଲିମିଟେଡ୍‌ର ସୁକିନ୍ଦା କ୍ରୋମାଇଟ୍ ମାଇନ୍‌ର ସୁକିନ୍ଦା ଭାଲି କ୍ଲବ୍‌ରେ “ଖଣି କ୍ଷେତ୍ରରେ ପରିବେଶ ଜନିତ ଆହ୍ୱାନ, ଅନୁଶୀଳନ ଓ ତାହାର ସମାଧାନ’ ସମ୍ପର୍କିତ ଏକ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଶେଷଜ୍ଞ, ଅଂଶୀଦାର ଓ ଶିଳ୍ପର ନେତୃବୃନ୍ଦ ଯୋଗ ଦେଇ ଖଣି କ୍ଷେତ୍ର ସାମ୍ନା କରୁଥିବା ପରିବେଶ ଜନିତ ଆହ୍ୱାନ ଓ ତାହାର ସ୍ଥାୟୀ ସମାଧାନ ଉପରେ ଆଲୋକପାତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଂଚଳିକ ଅଧିକାରୀ ଶ୍ରୀ ପ୍ରମୋଦ କୁମାର ବେହେରା ମୁଖ୍ୟ ଅତିଥି ଏବଂ ବରିଷ୍ଠ ପରିବେଶ ଇଞ୍ଜିନିୟର ମଦନ ମୋହନ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସେମାନେ ପରିବେଶ ପରିଚାଳନା ଓ ନିୟମ ଉପରେ ଆଲୋକପାତ କରିବା ସହିତ ଖଣି ସମ୍ପର୍କିତ ପରିବେଶ ଆହ୍ୱାନଗୁଡ଼ିକର ମୁକାବିଲା କରିବା ଲାଗି ପ୍ରତ୍ୟକ୍ଷ ଓ ମିଳିତ ଉଦ୍ୟମର ଗୁରୁତ୍ୱ ବିଷୟରେ ଆଲୋଚନା କରିଥିଲେ।

ଏହି ଅବସରରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଂଚଳିକ ଅଧିକାରୀ ଶ୍ରୀ ପ୍ରମୋଦ କୁମାର ବେହେରା କହିଛନ୍ତି ଯେ ଖଣି କାର୍ଯ୍ୟର ପରିବେଶ ଉପରେ ପ୍ରଭାବ ଏକ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ଯେଉଁଥିପାଇଁ ଅଭିନବ ସମାଧାନର ଆବଶ୍ୟକତା ରହିଛି। ଏଭଳି ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ମୁଁ ଏମଇଏଆଇ ଭୁବନେଶ୍ୱର-ସୁକିନ୍ଦା ଚାପ୍ଟରକୁ ଧନ୍ୟବାଦ ଜଣାଇବାକୁ ଚାହୁଛି ଯେଉଁଠାରେ ଶିଳ୍ପ ଓ ନିୟାମକ ସଂସ୍ଥା ଏକତ୍ରୀତ ହୋଇ ସ୍ଥ୍ରାୟୀ ଖଣି ସମ୍ପର୍କିତ କାର୍ଯ୍ୟକଳାପ ପାଇଁ ଗ୍ରହଣ କରାଯିବାକୁ ଥିବା ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଛନ୍ତି।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ଏମ୍‌ଇଏଆଇ ଭୁବନେଶ୍ୱର-ସୁକିନ୍ଦା ଚାପ୍ଟରର ସମ୍ପାଦକ ଶ୍ରୀ ଶମ୍ଭୁ ନାଥ ଝା ସ୍ୱାଗତ ଭାଷଣ ଦେବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ମୃତିକା କ୍ଷୟ, ବର୍ଜ୍ୟ ପରିଚାଳନା ଓ ଖଣି ଯୋଗୁଁ ସ୍ଥାନୀୟ ପରିବ୍ୟବସ୍ଥା ଉପରେ ପଡ଼ୁଥିବା ପ୍ରଭାବ ଭଳି ପ୍ରମୁଖ ଆହ୍ୱାନଗୁଡ଼ିକ ବିଷୟରେ ବିଶେଷଜ୍ଞମାନେ ଏକ ଅଧିବେଶନରେ ଆଲୋଚନା କରିଥିଲେ। ପରିବେଶ ଉପରେ ପ୍ରଭାବ କମ୍ କରିବା ଏବଂ ସମ୍ବଳ ଦକ୍ଷତାରେ ଉନ୍ନତି ଆଣିବା ଲାଗି ଶ୍ରେଷ୍ଠ କାର୍ଯ୍ୟକଳାପ ଓ ଅତ୍ୟାଧୁନିକ ପ୍ରଯୁକ୍ତି ଗ୍ରହଣ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା।

ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଭୁବନେଶ୍ୱର ସୁକିନ୍ଦା ଚାପ୍ଟରର ଅଧ୍ୟକ୍ଷ ତଥା ଟାଟା ଷ୍ଟିଲ୍ ଏଫ୍‌ଏଏମ୍‌ଡିର ଏକ୍‌ଜିକ୍ୟୁଟିଭ୍ ଇନ୍‌ଚାର୍ଜ ଶ୍ରୀ ପଙ୍କଜ ସତିଜା କହିଛନ୍ତି ଯେ ଦୀର୍ଘସ୍ଥାୟୀ ଖଣି ଏକ ବିକଳ୍ପ ନୁହେଁ ବରଂ ଦାୟିତ୍ୱ ବୋଲି ମୋର ବିଶ୍ୱାସ ରହିଛି। ଏହି କାର୍ଯ୍ୟକ୍ରମ ହେଉଛି ପରିବେଶ ଦାୟିତ୍ୱବୋଧ ପ୍ରତି ଶିଳ୍ପର ପ୍ରତିବଦ୍ଧତା ଓ ଶିଳ୍ପରେ ସକାରାତ୍ମକ ପରିବର୍ତନ ଆଗକୁ ବଢ଼ାଇବା ଲାଗି ଅଂଶୀଦାରମାନଙ୍କ ସହ ଯୋଡ଼ି ହେବାର ନିରନ୍ତର ଉଦ୍ୟମ ପ୍ରତି ଏକ ପ୍ରମାଣ।

୨୦୭୦ ସୁଦ୍ଧା ନେଟ୍ ଜିରୋ ହାସଲ ଲାଗି ଭାରତ ରଖିଥିବା ଲକ୍ଷ୍ୟ ଉପରେ ସେ ଆଲୋକପାତ କରିଥିଲେ ଓ କାର୍ବନ ଫୁଟ୍‌ପ୍ରିଂଟ୍ ହ୍ରାସ କରିବା ଲାଗି ଆବଶ୍ୟକ ପଦକ୍ଷେପ ଓ ଯୋଜନା ଉପରେ ଆଲୋଚନା କରିଥିଲେ। ଖଣି ସମ୍ପର୍କିତ ପରିବେଶ ସମସ୍ୟାକୁ ନେଇ ଲୋକମାନଙ୍କ ମତ କିଭଳି ଆଇନ ଓ ନୀତି ନିର୍ଧାରଣ କ୍ଷେତ୍ର ସହ ଜଡ଼ିତ ଲୋକମାନଙ୍କୁ ସକାରାତ୍ମକ ଓ ନକାରାତ୍ମକ ଭାବେ ପ୍ରଭାବିତ କରିଥାଏ ତାହା ଉପରେ ସେ ଦୃଷ୍ଟି ନିକ୍ଷେପ କରିଥିଲେ। ସାଧାରଣ ଲୋକ ସମେତ ଶିଳ୍ପ ଜଗତ ପାଇଁ ଏଭଳି ଜ୍ଞାନ ବିନିମୟ କଯ୍ୟକ୍ରମ କିଭଳି ମୂଲ୍ୟବାନ ତାହା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ଖଣି ପରିଚାଳନାରେ ଦୀର୍ଘ ସ୍ଥାୟୀ ବିକାଶ ହାସଲ କରିବା ଲାଗି ଖଣି ଶିଳ୍ପ, ନିୟାମକ ସଂସ୍ଥା ଓ ଗୋଷ୍ଠୀ ମଧ୍ୟରେ ରହିଥିବା ସହଯୋଗିତା ଉପରେ ଏହି କାର୍ଯ୍ୟକ୍ରମ ଆଲୋକପାତ କରିଥିଲା।


Share It

Comments are closed.