ଆଜି ପଞ୍ଚଭୁତରେ ଲିନ ହେବେ ପାରିକରଙ୍କ ପାର୍ଥିବ ଶରୀର


ଗତ କାଲି ଗୋଆର ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କର ନିଧନ ହୋଇଯାଇଛି । ଆଜି ସନ୍ଧ୍ୟା ୬.୪୦ରେ ତାଙ୍କ ଅନ୍ତିମ ସଂସ୍କାର କରାଯିବ । ମିଳିଥିବା ସୂଚନା ମୁତାବକ ପାରିକରଙ୍କୁ ଅନ୍ତିମ ସଂସ୍କାର କରିବା ପୂର୍ବରୁ ତାଙ୍କର ପାର୍ଥିବ ଶରୀରକୁ ଆଜି ଗୋଆସ୍ଥିତ ବିଜେପି କାର୍ଯ୍ୟଳୟକୁ ନିଆଯିବାର ଯୋଜନା ଥିବାବେଳେ ଏହା ପରେ କଳା ଏକାଡେମିକୁ ମଧ୍ୟ ନିଆଯିବାର ବ୍ୟବସ୍ଥା ରହିଛି ।
ଆଜି ସନ୍ଧ୍ୟାରେ ଚାମ୍ପାଲ ସ୍ଥିତ ଏସଏଜି ପଡିଆରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ । ପ୍ରକାଶ ଥାଉକି ପାରିକର ଦୀର୍ଘଦିନ ହେବ ଗୁରୁତର ରୋଗରେ ପୀଡିତ ଥିଲେ । ପାରିକରଙ୍କୁ ସମବେଦନା ଜଣାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, “ପାରିକର ଆଧୁନିକ ଗୋଆର ନିର୍ମାତା ଥିଲେ ଏବଂ ତାଙ୍କର ନିଷ୍ପତି ଦ୍ୱାରା ଭାରତ ପ୍ରତିରକ୍ଷା ଦିଗରେ ସଶକ୍ତ ହୋଇପାରିଥିଲା । ”
ପାରିକର ୧୩ ଡିସେମ୍ବର ୧୯୫୫ ମସିହାରେ ଗୋଆର ‘ମାପୁସା’ରେ ଜନ୍ମଗ୍ରହଣ କରିଥିଲେ । ପାରିକର ଭାରତରେ ଜଣେ ଏଭଳି ମୁଖ୍ୟମନ୍ତ୍ରୀ ଥିଲେ ଯିଏକି ଆଇଆଇଟିରୁ ପାସ ଆଉଟ ହୋଇଥିଲେ । ସେ ଚାରି ଥର ଗୋଆର ମୁଖ୍ୟମନ୍ତ୍ରୀ ହୋଇ ସାରିଛନ୍ତି । ୨୦୧୪ରେ ଯେତେବେଳେ ବିଜେପି ଭାରତରେ ନିଜ ସରକାର ଗଢିଥିଲା ସେତେବେଳେ ମୋଦି ତାଙ୍କୁ ଗୋଆ ଛାଡି କେନ୍ଦ୍ରୀୟ ରାଜନୀତିରେ ଯୋଗଦେବା ପାଇଁ ଆହ୍ୱାନ ଦେଇଥିଲେ । ସେ ମୋଦି ସରକାରଙ୍କ ପ୍ରଥମ ପ୍ରତିରକ୍ଷା ମନ୍ତ୍ରୀ ରୂପେ ଦାୟିତ୍ୱ ନେଇଥିଲେ ।
ପାରିକରଙ୍କ ସ୍ତ୍ରୀ ମେଧା ମଧ୍ୟ ୨୦୦୧ରେ କ୍ୟାନସରରେ ପୀଡିତ ହୋଇ ମୃତ୍ୟୁବରଣ କରିଥିଲେ । ପାରିକରଙ୍କର ଦୁଇଟି ପୁତ୍ର ଅଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ଆମେରିକାରେ ରହି ପାଠ ପଢୁଥିବାବେଳେ ଆଉ ଜଣେ ବ୍ୟବସାୟୀ ଅଟନ୍ତି ।


Share It

Comments are closed.