କଂଗ୍ରେସକୁ ପୁଣି ଝଟକା, ଇସ୍ତଫା ଦେଲେ ୬ ବିଧାୟକ


ମଣିପୁର ରାଜନୀତି ସରଗରମ ହୋଇଛି। ରାଜ୍ୟ କଂଗ୍ରେସକୁ ମଙ୍ଗଳବାର ଆଉ ଏକ ଝଟ୍‌କା ଲାଗିଛି। ଗତ ସୋମବାର ବିଧାନଭାରେ ୮ କଂଗ୍ରେସ ବିଧାୟକ ଅନୁପସ୍ଥିତ ରହିବାରୁ ମୁଖ୍ୟମନ୍ତ୍ରୀ ଏନ. ବୀରେନ ସିଂହଙ୍କ ନେତୃତ୍ଵାଧୀନ ବିଜେପି ସରକାର ଆସ୍ଥାଭୋଟ୍ ଜିତିବାରେ ସଫଳ ହୋଇଥିଲା। ଏହାର ଦିନକ ପରେ ମଙ୍ଗଳବାର କଂଗ୍ରେସର ୬ ବିଧାୟକ ଇସ୍ତଫା ଦେଇଛନ୍ତି। ଗତ ସୋମବାର ଆସ୍ଥା ଭୋଟ ସମୟରେ ବିଧାନସଭାରେ ଅନୁପସ୍ଥିତ ଥିବା ବିଧାୟକଙ୍କ ମଧ୍ୟରେ ଏହି ୬ ବିଧାୟକ ସାମିଲ ଥିଲେ। ଆଜି ସେମାନେ ନିଜର ଇସ୍ତଫା ପତ୍ରକୁ ବାଚସ୍ପତିଙ୍କ ନିକଟକୁ ପଠାଇ ଦେଇଥିବା ବିଧାୟକ ଓ’ ହେନରୀ ସିଂହ କହିଛନ୍ତି। ଇସ୍ତଫା ଦେଇଥିବା ୬ ବିଧାୟକଙ୍କ ମଧ୍ୟରେ ହେନେରୀଙ୍କ ବ୍ୟତୀତ ଓନିୟମ ଲୁଖୋଇ, ମହମ୍ମଦ ଅବଦୁଲ ନାସିର, ପାଓନମ୍ ବ୍ରୋଜେନ, ନଗାମଥାଙ୍ଗ ହାଓକିପ୍ ଏବଂ ଗିନ୍‌ସୁଆନହାଉ ରହିଛନ୍ତି। ରାଜ୍ୟ କଂଗ୍ରେସର ନେତୃତ୍ଵ ନେଇଥିବା ଓ’ ଇବୋବି ସିଂହଙ୍କ କାର‌୍ୟ୍ୟଧାରାରେ ଅସନ୍ତୋଷ ପ୍ରକାଶ କରି ସେମାନେ ଇସ୍ତଫା ଦେଇଥିବା କହିଛନ୍ତି। ରାଜ୍ୟରେ କଂଗ୍ରେସ ସର୍ବାଧିକ ଆସନ ପାଇଥିଲେ ହେଁ ଇବୋବିଙ୍କ ଖରାପ ନେତୃତ୍ଵ​‌ ଯୋଗୁ ଦଳ ରାଜ୍ୟରେ ସରକାର ଗଠନ କରିବାରେ ବିଫଳ ହେଲା ବୋଲି ସେମାନେ ଅଭିଯୋଗ କରିଛନ୍ତି।


Share It

Comments are closed.