ଆନ୍ତର୍ଜାତିକ ଲୁଣାଜଙ୍ଗଲ ପରିବ୍ୟବସ୍ଥା ସଂରକ୍ଷଣ ଦିବସ: ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଓଡ଼ିଶାରେ ଉପୂକଳ ଅଞ୍ଚଳରେ ଜଳବାୟୁ ସହନଶୀଳତା ନିର୍ମାଣ ପ୍ରୟାସ


ଭୁବନେଶ୍ୱର: ଜଳବାୟୁ ଆପଦର ମୁକାବିଲା ଏବଂ ପରିବେଶ ସୁରକ୍ଷା ନିମନ୍ତେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାର ପଦ୍ମପୁର ଗ୍ରାମର ଅଧିବାସୀମାନେ ଗ୍ରାମର ତଟୀୟ ଅଞ୍ଚଳରେ ଶୁକ୍ରବାର ପ୍ରାୟ ୧୦,୦୦୦ ହେନ୍ତାଳ ଚାରା ରୋପଣ କାର୍ଯ୍ୟ ଆରମ୍ଭ କରିଥିଲେ । ଲୁଣାଜଙ୍ଗଲ ପରିବ୍ୟବସ୍ଥା ସଂରକ୍ଷଣ ନିମନ୍ତେ ଆନ୍ତର୍ଜାତିକ ଦିବସ (ଜୁଲାଇ ୨୬) ପାଳନ ଅବସରରେ ଏହି ଚାରା ରୋପଣକୁ ରିଲାଏନ୍ସ ଫାଉଣ୍ଡେସନ ସୁଗମ କରାଇଛି, ଯାହା ପୂର୍ବରୁ ଗତବର୍ଷ ଓଡ଼ିଶା ଓ ପଶ୍ଚିମବଙ୍ଗରେ ପ୍ରାୟ ୬୦,୦୦୦ ଲୁଣାଜଙ୍ଗଲ ଚାରା ରୋପଣକୁ ସମର୍ଥ କରାଇଥିଲା ।

ରିଲାଏନ୍ସ ଫାଉଣ୍ଡେସନ ତାହାର ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ ଜରିଆରେ ଓଡ଼ିଶାର ବାଲେଶ୍ୱର, ଗଞ୍ଜାମ ଏବଂ ଜଗତସିଂପୁହର ଆଦି ବାତ୍ୟା ଓ ବାତ୍ୟାଜନିତ ଜଳପ୍ଳାବନ ଆପଦ ଥିବା ଅଞ୍ଚଳଗୁଡିକରେ ଲୁଣାଜଙ୍ଗଲ ଚାରା ରୋପଣ ପଦକ୍ଷେପ ତାହାର ପ୍ଲାଣ୍ଟ ଫର ଲାଇଫ ଅଭିଯାନ ଜରିଆରେ ଗତବର୍ଷ ବିଶ୍ୱ ପରିବେଶ ଦିବସରେ ହାତକୁ ନେଇଥିଲା । ୧୯୯୯ର ମହାବାତ୍ୟା, ଫାଇଲିନ ଏବଂ ଅନ୍ୟାନ୍ୟ ଝଡ ଭାରତର ପୂର୍ବ ତଟରେ ପ୍ରବାହିତ ହେବା ସହିତ ନିକଟସ୍ଥ ଗ୍ରାମଗୁଡିକୁ ଧ୍ୱସ୍ତ ବିଧ୍ୱସ୍ତ କରିଛି ଏବଂ ଉକ୍ତ ଗ୍ରାମଗୁଡିକ ଉପକୂଳ ଅଞ୍ଚଳ ଅବକ୍ଷୟ ତଥା ସମୁଦ୍ର ଜଳ ଭୂପୃଷ୍ଠକୁ ମାଡିଆସିବା ଭଳି ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି । ସ୍ଥାନୀୟ ଗୋଷ୍ଠୀ ଓ ସମୁଦାୟ ଗୁଡିକ ଦ୍ୱାରା ପରିଚାଳିତ ରିଲାଏନ୍ସ ଫାଉଣ୍ଡେସନ୍‌‍ର ଲୁଣାଜଙ୍ଗଲ ସଂରକ୍ଷଣ ପ୍ରୟାସ ବିଭିନ୍ନ ଗୋଷ୍ଠୀ, ବିଶେଷକରି ଯୁବବର୍ଗ ଏବଂ ସ୍କଲ ଯାଉଥିବା ପିଲାଙ୍କ ମଧ୍ୟରେ ଲୁଣାଜଙ୍ଗଲର ଉପକାରିତା ସମ୍ପର୍କରେ ସଚେତନତା ବୃଦ୍ଧି କରିବା ଲକ୍ଷ୍ୟ ରଖିଛି ।

ସ୍କୁଲ ପିଲାମାନଙ୍କୁ ସେମାନଙ୍କ ଅଞ୍ଚଳ ସମ୍ମୁଖୀନ ହେଉଥିବା ଜଳବାୟୁ ପରିବର୍ତ୍ତନଜନିତ ଆପଦ ସମ୍ପର୍କରେ ଅବଗତ କରାଇବାକୁ ଜୁଲାଇ ୨୫ ଓ ୨୬ ତାରିଖରେ ଓଡ଼ିଶାର ଭଦ୍ରକ, ବାଲେଶ୍ୱର ଏବଂ ଜଗତସିଂହପୁର ଏବଂ ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲାରେ ଚିତ୍ରାଙ୍କନ ଓ କୁଇଜ ପ୍ରତିଯୋଗିତାମାନ ଆୟୋଜନ କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମରେ ଲୁଣାଜଙ୍ଗଲ କିଭଳି ଏହି ସମସ୍ତ ଆହ୍ୱାନର ମୁକାବିଲା କରିବା ଦିଗରେ ସହାୟକ ହୋଇପାରିବ ତାହା ଉପରେ ଗୁରୁତ୍ୱ ଦେବାସହିତ ଲୁଣାଜଙ୍ଗଲର ସଂରକ୍ଷଣ ଏବଂ ତାହାର ପରିସୀମା ବୃଦ୍ଧିର ଗୁରୁତ୍ୱ ଉପରେ ଜୋ‍ର୍ ଦିଆଯାଇଥିଲା ।

ବାଲେଶ୍ୱରର ଚାରା ରୋପଣ ସ୍ଥଳ ଖରାସାହାପୁରରେ ଜନସାଧାରଣ ସଫଳତାର ସହିତ ଗତବର୍ଷକ ମଧ୍ୟରେ ଏକ ଲୁଣାଜଙ୍ଗଲ ଚାରାର ନର୍ସରୀ ସୃଷ୍ଟି କରିପାରିଛନ୍ତି, ଯାହାଦ୍ୱାରା ଲୁଣାଜଙ୍ଗଲ ଚାରା ବଞ୍ଚିବା ହାର ଏବଂ ଚାରା ରୋପଣ ନିମନ୍ତେ ଆବଶ୍ୟକ ସାମଗ୍ରୀ ନିରନ୍ତର ଭାବରେ ଯୋଗାଣକୁ ସୁନିଶ୍ଚିତ କରାଯାଇପାରିବ । ରିଲାଏନ୍ସ ଫାଉଣ୍ଡେସନ ବୈଜ୍ଞାନିକ ବିଶାରଦମାନଙ୍କ ନିକଟରୁ ଜ୍ଞାନ ସ୍ଥାନାନ୍ତରଣକୁ ସୁଗମ କରିଛି ଏବଂ ତାହାସହିତ ଲୁଣାଜଙ୍ଗଲ ଚାରା ସାମଗ୍ରୀ ଯୋଗାଡ ଠାରୁ ନେଇ ଜନସାଧାରଣଙ୍କୁ ଚାରା ରୋପଣ କାର୍ଯ୍ୟ ପରିଚାଳନାରେ ମାର୍ଗଦର୍ଶନ କରୁଛି ।

ବାଲେଶ୍ୱରର ରେମୁଣାରେ ଦ୍ୱିତୀୟ ଚାରାରୋପଣ ସ୍ଥଳ ତାଳପଦା ବେଳାଭୂମି ନିକଟରେ ଚିହ୍ନଟ କରାଯାଇଛି । ଶୁକ୍ରବାର ଉକ୍ତ ସ୍ଥାନରେ ଗୋଷ୍ଠୀ ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା ପ୍ରାୟ ୧,୦୦୦ ଲୁଣାଜଙ୍ଗଲ ଚାରା ରୋପଣ କରାଯାଇଛି ।

ବିପର୍ଯ୍ୟୟ ଆପଦ ହ୍ରାସ ଏବଂ ଜୀବିକା ଉପାର୍ଜନକୁ ଜଳବାୟୁ ସହନଶୀଳ କରି ଗଢିତୋଳିବା ନିମନ୍ତେ ରିଲାଏନ୍ସ ଫାଉଣ୍ଡେସନ ଆପଦସଙ୍କୁଳ ଉପକୂଳ ଅଧିବାସୀଙ୍କ ସହିତ ମିଶି କାର୍ଯ୍ୟ କରୁଛି । ବିପର୍ଯ୍ୟୟ ସମୟରେ ଆଗୁଆ ସତର୍କ ସୂଚନା ପ୍ରଦାନ କରାଯାଉଛି ଏବଂ ଏଭଳି ପରିସ୍ଥିତିର ମୁକାବିଲା ନିମନ୍ତେ ନିୟମିତ ନିୟୋଜନ ଏବଂ ତାଲିମ ଜରିଆରେ ଜନସାଧାରଣଙ୍କ ସାମର୍ଥ୍ୟ ବୃଦ୍ଧି କରାଯାଉଛି । ରିଲାଏନ୍ସ ଫାଉଣ୍ଡେସନ ଭାରତରେ ଗତ ୧୦ ବର୍ଷ ମଧ୍ୟରେ ବନ୍ୟା, ବାତ୍ୟା, ଭୂସ୍ଖଳନ ଏବଂ ଭୂକମ୍ପ ଭଳି ପ୍ରାୟ ୫୦ରୁ ଅଧିକ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ କାର୍ଯ୍ୟ କରିଛି ଏବଂ ପ୍ରଭାବିତ ଜନସାଧାରଣଙ୍କ ପାଇଁ ଆଶ୍ୱସ୍ତି ଆଣିଦେବା ସହିତ ସେମାନଙ୍କୁ ପରିସ୍ଥିତିରୁ ଉଦ୍ଧାର ପାଇବାରେ ସହାୟତା କରିଛି । ପରିବେଶ କଲ୍ୟାଣକୁ ସୁନିଶ୍ଚିତ କରିବା ଏବଂ ଜନସାଧାରଣଙ୍କୁ ଜଳବାୟୁ ସହନଶୀଳ କରି ଗଢିତୋଳିବା ନିମନ୍ତେ ରିଲାଏନ୍ସ ସମଗ୍ର ଦେଶରେ ୨.୪୪ କୋଟିରୁ ଅଧିକ ଚାରା ରୋପଣକୁ ସୁଗମ କରାଇଛି ।


Share It

Comments are closed.