କରୋନାରେ ଆକ୍ରାନ୍ତ ହେଲେ ଅଭିନେତ୍ରୀ ମାହିରା ଖାନ


ଶାହରୁଖ ଖାନଙ୍କ ଫିଲ୍ମ ‘ରଇସ’ରେ ତାଙ୍କ କୋ-ଷ୍ଟାର ଥିବା ପାକିସ୍ତାନୀ ଅଭିନେତ୍ରୀ ମାହିରା ଖାନ୍ କରୋନାରେ ସଂକ୍ରମିତ ହୋଇଛନ୍ତି। ଏବିଷୟରେ ମାହିରା ନିଜେ ସୋସିଆଲ୍ ମିଡିଆରେ ଏକ ପୋଷ୍ଟ ସେୟାର କରି ସୂଚନା ଦେଇଛନ୍ତି। ମାହିରା ଖାନ୍ ୨୦୧୭ମସିହାରେ ରିଲିଜ ହୋଇଥିବା ‘ରଇସ’ରୁ ବଲିଉଡରେ ଡେବ୍ୟୁ କରିଥିଲେ। ମାହିରା ପୋଷ୍ଟ ସେୟାର କରି ଲେଖିଥିଲେ ଯେ,‘ ତାଙ୍କ କୋଭିଡ-୧୯ ଟେଷ୍ଟ୍ ରିପୋର୍ଟ ପଜିଟିଭ ଆସିଛି। ସେ ଆଇସୋଲେଟ୍ ହୋଇ ଯାଇଛନ୍ତି। କିଛି ଦିନ ତଳେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ସେ ଏବିଷୟରେ ସୂଚନା ଦେଇଛନ୍ତି। ଏହା ତାଙ୍କ ପାଇଁ ଅତ୍ୟନ୍ତ କଠିନ ସମୟ,କିନ୍ତୁ ସେ ଖୁବ୍ ଶୀଘ୍ର ଫେରିବେ,ଇନଶା ଅଲ୍ଲାହ। ପ୍ଲିଜ ନିଜ ପାଇଁ ଏବଂ ଅନ୍ୟମାନଙ୍କ ପାଇଁ ମାସ୍କ ନିଶ୍ଚୟ ପିନ୍ଧନ୍ତୁ ଏବଂ ସମସ୍ତ ସାବଧାନତା ଅବଲମ୍ବନ କରନ୍ତୁ। ତାଙ୍କ ପାଇଁ ପ୍ରାର୍ଥନା କରନ୍ତୁ ଏବଂ ଫିଲ୍ମର ଅଫରର ମଧ୍ୟ ସ୍ବାଗତ କରୁଛନ୍ତି।’ ମାହିରା ସୋସିଆଲ୍ ମିଡିଆରେ ସବୁବେଳେ ଆକ୍ଟିଭ ରହିଥାନ୍ତି। ସେ ପାକିସ୍ତାନର ଜଣାଶୁଣା ଅଭିନେତ୍ରୀ। ସେ ୧୯୮୪ମସିହା ଡିସେମ୍ବର ୨୧ତାରିଖରେ ପାକିସ୍ତାନର କରାଚୀରେ ଜନ୍ମ ହୋଇଥିଲେ। ମାହିରା ଫିଲ୍ମ ବ୍ୟତୀତ ଅନେକ ଲୋକପ୍ରିୟ ଟିଭି ଶୋ ମଧ୍ୟ କରି ସାରିଛନ୍ତି। ସେ ଭିଜେ ଭାବେ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ମାହିରା ୨୦୧୧ମସିହାରେ ପାକିସ୍ତାନୀ ଫିଲ୍ମ ‘ବୋଲ’ରେ କାମ କରିଥିଲେ। ଏହା ତାଙ୍କ ପାକିସ୍ତାନ ଫିଲ୍ମ ଇଣ୍ଡଷ୍ଟ୍ରିରେ ଡେବ୍ୟୁ ଫିଲ୍ମ ଥିଲା। ଏହା ପରେ ମାହିରା ପାକିସ୍ତାନର ଅନେକ ଟିଭି ଶୋରେ କାମ କରିଥିଲେ। ସେ ଫୱାଦ ଖାନଙ୍କ ସହ ଟିଭି ଶୋ ‘ହମସଫର’ରେ ମଧ୍ୟ କାମ କରିଥିଲେ। ସେ ଖୁବ୍ ଶୀଘ୍ର ଫଓ୍ବାଦ ଖାନଙ୍କ ସହ ଫିଲ୍ମ ‘ଦ ଲିଜେଣ୍ଡ ଅଫ୍ ମୌଲା ଜାଟ’ରେ ମଧ୍ୟ ନଜର ଆସିବେ।


Share It

Comments are closed.