ୱେଷ୍ଟଇଣ୍ଡିଜ ଏବଂ ଅଷ୍ଟ୍ରେଲିଆ ବିପକ୍ଷରେ ହେବାକୁ ଥିବା ଟି-୨୦ ସିରିଜରୁ ବିଦା ହେଲେ ଧୋନି


ଟିମ ଇଣ୍ଡିଆର ପୂର୍ବତ୍ତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯିବାକୁ ଥିବା ଟି-୨୦ ମ୍ୟାଚ ଖେଳିବାରୁ ବାଦ ପଡିଛନ୍ତି । ଏହା ସହ ଧୋନିଙ୍କୁ ମଧ୍ୟ ଆଗକୁ ଅଷ୍ଟ୍ରେଲିଆ ଗସ୍ତରେ ଖେଳାଯିବାକୁ ଥିବା ଟି-୨୦ ଟିମରେ ସାମିଲ କରାଯାଇ ନାହିଁ । ବର୍ତ୍ତମାନ ଏହି ଘଟଣା ନେଇ କ୍ରିକେଟ ବିଶ୍ଳେଷଣକାରୀ ମାନେ ଅନେକ ଗୁଡିଏ କାରଣ ମଧ୍ୟ ରଖିଛନ୍ତି ।
ବିଶ୍ଳେଷଣକାରୀଙ୍କ କହିବା ମୁତାବକ ଧୋନି ଗତ ୧ ବର୍ଷ ହେବ ଜମାରୁ ବି ଫର୍ମରେ ନାହାନ୍ତି । ସେଥିପାଇଁ ଦୀର୍ଘ ୧ ବର୍ଷ ହେବ ତାଙ୍କ ପ୍ରଦର୍ଶନକୁ ନେଇ ଅନେକ ପ୍ରଶ୍ନ ମଧ୍ୟ ଉଠୁଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଯେ, ଧୋନିଙ୍କର ଏହି ବର୍ଷ ଷ୍ଟ୍ରାଇକରେଟ ୭୦.୭୪ ରହିଛି । ଏହି କ୍ୟାଲେଣ୍ଡର ବର୍ଷରେ ତାଙ୍କ ଜୀବନର ସବୁଠାରୁ ଖରାପ ପ୍ରଦର୍ଶନ ରହିଛି ।
ଦ୍ୱିତୀୟ କାରଣ ହେଲା, ୱେଷ୍ଟଇଣ୍ଡିଜ ଏବଂ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଦିନିକିଆ ସିରିଜରେ ଧୋନି କିଛି ଖାସ ପ୍ରଦର୍ଶନ କରିପାରି ନାହାନ୍ତି । ତାଙ୍କ ବ୍ୟାଟରୁ ରନ ବାହାରିବା ଅସମ୍ଭବ ପାଲଟିଲାଣି । ଇଂଲଣ୍ଡ ଗସ୍ତରେ ସେ ଦୁଇଟି ଇଂନିସ ଖେଳିଥିଲେ, ଯେଉଁଥିରେ ତାଙ୍କ ଷ୍ଟ୍ରାଇକରେଟ ୬୩.୨୦ ରହିଥିଲା । ଇଂଲଣ୍ଡ ଗସ୍ତରେ ତାଙ୍କ ବ୍ୟାଟରୁ ବେଶ କିଛି ଛକା ଚୌକା ମଧ୍ୟ ଦେଖିବାକୁ ମିଳିନଥିଲା । ଯେଉଁଥିପାଇଁ ଚୟନକର୍ତ୍ତମାନେ ଏଭଳି ନିଷ୍ପତି ନେଇଥିବାର ଜଣାପଡୁଛି ।
ଏହି ସିରିଜରେ ତାଙ୍କୁ ଡ୍ରପ କରାଯିବାର ତୃତୀୟ ବଡ କାରଣ ହେଲା ରିସବ ପନ୍ଥଙ୍କ ଫର୍ମ । ବିଶ୍ଳେଷଣକାରୀଙ୍କ କହିବା ମୁତାବକ ରିସବ ପନଙ୍କୁ ଧୋନିଙ୍କ ବିକଳ୍ପ ବୋଲି ମାନାଯାଉଛି । ଇଂଲଣ୍ଡ ଗସ୍ତରେ ରିସବ ପନ୍ଥ ସୁନ୍ଦର ପ୍ରଦର୍ଶନ ମଧ୍ୟ କରିଥିଲେ । ଏହା ସହିତ ଚୟନକର୍ତ୍ତା ତାଙ୍କୁ ଦିନିକିଆ ପାଇଁ ଚୟନ କରିବାର ଯୋଜନା ମଧ୍ୟ କରୁଛନ୍ତି । ସେଥିପାଇଁ ତାଙ୍କୁ ବର୍ତ୍ତମାନ ଟି-୨୦ ଫର୍ମାଟରେ ସୁଯୋଗ ଦିଆଯାଇଛି । ରିସବ ପନ୍ଥ ଜଣେ ଯୁବ କ୍ରିକେଟର ଅଟନ୍ତି । ଚୟନକର୍ତ୍ତା ବର୍ତ୍ତମାନ ଆଗକୁ ହେବାକୁ ଥିବା ବିଶ୍ୱ କପ ଉପରେ ନଜର ରଖିଛନ୍ତି । ଏହା ସହ ଧୋନିଙ୍କର ଦିନିକିଆ କ୍ୟାରିୟର ଉପରେ ମଧ୍ୟ ପ୍ରଶ୍ନ ଉଠିଲାଣି ।


Share It

Comments are closed.