ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ନିର୍ବାଚନ ପାଇଁ ପ୍ରାର୍ଥୀ ଦେଲା ମହାବିକାଶ ଅଘାଡି


ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ପଦବୀ ପାଇଁ ମହା ବିକାଶ ଅଘାଡି ନିଜ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ବିଜେପି ବିଧାୟକ ରାହୁଲ ନାରଓ୍ୱେକରଙ୍କ ବିରୋଧରେ ଶିବସେନା ବିଧାୟକ ରାଜନୀ ସାଲଭି ମଇଦାନକୁ ଓହ୍ଲାଇଛନ୍ତି । ଉଭୟ ପ୍ରାର୍ଥୀ ନିଜର ନାମାଙ୍କନ ଦାଖଲ କରିଛନ୍ତି । ତେବେ ରବିବାର ଅର୍ଥାତ ଜୁଲାଇ ୩ ତାରିଖରେ ବାଚସ୍ପତି ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ ।

ନିର୍ବାଚନକୁ ନେଇ ମହା ବିକାଶ ଅଘାଡିର ପ୍ରଶ୍ନ

ମହାରାଷ୍ଟ୍ରରେ ବାଚସ୍ପତି ପଦ ଦୁଇ ବର୍ଷ ହେଲା ଖାଲି ଅଛି । ତେବେ ନିର୍ବାଚନକୁ ନେଇ ମହାବିକାଶ ଅଘାଡି ପ୍ରଶ୍ନ ଉଠାଇଛି । ଏମବିଏର କହିବାନୁସାରେ, ମାମଲା ସୁପ୍ରିମକୋର୍ଟରେ ଲମ୍ବିତ ଅଛି । ଏହା ସତ୍ତ୍ୱେ ବାଚସ୍ପତି ନିର୍ବାଚନ ପାଇଁ ପ୍ରକ୍ରିୟା ଜାରି ହୋଇଛି ।

ସୂଚନାଯୋଗ୍ୟ, ପ୍ରାୟ ଦୁଇ ବର୍ଷ ହେଲା ମହାରାଷ୍ଟ୍ରରେ ବାଚସ୍ପତି ପଦବୀ ଖାଲି ଅଛି । ପୂର୍ବରୁ ନାନା ପଟୋଲ ବାଚସ୍ପତି ଥିଲେ । ସେ ଇସ୍ତଫା ଦେଲା ପରେ ଆଉ ପଦବୀ ପୂରଣ ହୋଇନାହିଁ ।

ସିନ୍ଦେଙ୍କୁ ଦଳରୁ ବହିସ୍କାର

ଉଦ୍ଧବଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରି ବିଜେପି ସହ ମିଶି ସରକାର ଗଠନ କରିଥିବା ଏକନାଥ ସିନ୍ଦେଙ୍କୁ ଶିବସେନା ସଦସ୍ୟ ପଦରୁ ବହିସ୍କାର କରିଛନ୍ତି ଉଦ୍ଧବ ଠାକରେ। ଏନେଇ ଦଳୀୟ ଅଫିସ ପକ୍ଷରୁ ଚିଠି ଜାରି କରି କୁହାଯାଇଛି। ଏଥିରେ କୁହାଯାଇଛି ଯେ, ସିନ୍ଦେ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ରହି ସ୍ୱେଚ୍ଛାକୃତ ଭାବେ ଦଳର ସଦସ୍ୟ ପଦରୁ ଓହରିଯାଇଛନ୍ତି। ତେଣୁ ଶିବସେନା ପ୍ରମୁଖ ଭାବରେ ଉଦ୍ଧବ ସିନ୍ଦେଙ୍କୁ ବହିସ୍କାର କରିଛନ୍ତି।

ନିଜକୁ ଶିବସେନା ନେତା ଦାବି କଲେ ସିନ୍ଦେ

ଏପଟେ ସିନ୍ଦେ ନିଜକୁ ଶିବସେନା ନେତା ଦାବି କରିବା ସହ ଉଦ୍ଧବଙ୍କ ପାଖରେ କମ୍ ସମର୍ଥକ ଅଛନ୍ତି ବୋଲି କହିଛନ୍ତି। ତେଣୁ ସେ ନିଜକୁ ପକ୍ଷ ପ୍ରମୁଖ(ଦଳ ମୁଖ୍ୟ) ବୋଲି ଘୋଷଣା କରିପାରିବେ ନାହିଁ । ଶିବସେନା ତାର ନୀତି ଆଦର୍ଶ ସହ ସାଲିସ୍ କରିଛି। ତଣୁ ସେ ବିଜେପି ସହ ମିଶି କିଛି ଭୁଲ୍ କରି ନାହିଁ ବୋଲି ଏକନାଥ କହିଛନ୍ତି।


Share It

Comments are closed.