ବନ୍ଦ ହେଲା ମେଡ ଇନ୍ ଇଣ୍ଡିଆ Hike ମେସେଜିଂ ଆପ୍ , WhatsAppକୁ ଟକ୍କର ଦେବାପାଇଁ ହୋଇଥିଲା ଲଂଚ


ଯଦିଓ ସୋସିଆଲ ମିଡିଆରେ ଭାରତୀୟ ଉପଭୋକ୍ତାମାନେ ମେଡ ଇନ ଇଣ୍ଡିଆ ସୋସିଆଲ ମିଡିଆ ପାଇଁ ଜୋରଦାର ଦାବି କରନ୍ତି କିନ୍ତୁ ବାସ୍ତବରେ ସେମାନେ ମେଡ୍ ଇନ୍ ଇଣ୍ଡିଆ ଆପ୍ ବ୍ୟବହାର କରିବାକୁ ଚାହାଁନ୍ତି ନାହିଁ | ଏହାର ସର୍ବଶେଷ ପ୍ରମାଣ ହେଉଛି ହାଇକ ଷ୍ଟିକର୍ ଚାଟ୍ ଆପ୍ ଯାହା ମାତ୍ର ଦୁଇ ବର୍ଷ ମଧ୍ୟରେ ବନ୍ଦ ହୋଇଯାଇଛି | ଆପ୍‌ର ସହ-ପ୍ରତିଷ୍ଠାତା ତଥା ସିଇଓ କେଭିନ୍ ଭାରତୀ ମିତ୍ତଲ ଟ୍ୱିଟ୍ କରି ଏହା ନିଶ୍ଚିତ କରିଛନ୍ତି। ହାଇକ ଷ୍ଟିକର୍ ଚାଟ୍ ଆପ୍ ହାଇକ୍ ଆପ୍ ଭାବରେ ମଧ୍ୟ ଜଣାଶୁଣା |

କିଛି ଦିନ ପୂର୍ବେ ମିତ୍ତଲ ତାଙ୍କ ଟ୍ୱିଟରେ କହିଥିଲେ ଯେ ଜାନୁଆରୀ ୨୦୨୧ ରେ ହାଇକ ଆପ୍ ବନ୍ଦ ହୋଇଯିବ, ଯଦିଓ ହାଇକମୋଜି ଏବଂ ହାଇକ୍ ର ଅନ୍ୟାନ୍ୟ ସେବା ଜାରି ରହିବ। ପ୍ରାରମ୍ଭରେ, ହାଇକ୍ ଲକ୍ଷ ଲକ୍ଷ ଲୋକଙ୍କ ଦ୍ବାରା ବ୍ୟବହୃତ ହୋଇଥିଲା ଏବଂ ହାରାହାରି ପ୍ରତ୍ୟେକ ଉପଭୋକ୍ତା ଏହି ଆପକୁ ୩୫ ମିନିଟ୍ ସମୟ ଦେଉଥିଲେ, କିନ୍ତୁ ଆପ୍ କମ୍ପାନୀର ଆଶା ପୁରା କରିବାରେ ବିଫଳ ହୋଇଥିଲା।


ଭାରତୀୟ ମେସେଜିଂ ଆପ୍ ହାଇକକୁ ଆପ୍ ଷ୍ଟୋରରୁ ହଟାଇ ଦିଆଯାଇଛି। ହ୍ବାଟସ୍ ଆପ୍ ସହିତ ଟକ୍କର ଦେବାକୁ ଏହା ଭାରତରେ ଲଞ୍ଚ କରାଯାଇଥିଲା। ଜାପାନର ସଫ୍ଟବ୍ୟାଙ୍କ ଗ୍ରୁପ୍ ଦ୍ୱାରା ମଧ୍ୟ ଫଣ୍ଡିଙ୍ଗ ପ୍ରଦାନ କରାଯାଇଥିଲା। ଏଥିସହ ଚାଇନାର ୱେଚ୍ ଅପରେଟର ଟେନସେଣ୍ଟ ହୋଲଡିଂ ମଧ୍ୟ ହାଇକରେ ଟଙ୍କା ବିନିଯୋଗ କରିଥିଲା। ଭାରତ ଏୟାରଟେଲର ପ୍ରମୋଟର ସୁନୀଲ ଭାରତୀ ମିତ୍ତଲଙ୍କ ପୁଅ କେଭିନ ଭାରତୀ ମିତ୍ତଲଙ୍କ ଦ୍ୱାରା ଏହି ହାଇକ୍ ଆପ୍ ଆରମ୍ଭ ହୋଇଥିଲା।


କମ୍ପାନୀର ଜଣେ ମୁଖପାତ୍ର କହିଛନ୍ତି ଯେ ଆପରେ ବ୍ୟବହାରକାରୀଙ୍କ ତଥ୍ୟ ସୁରକ୍ଷିତ ଅଛି। ସେମାନେ ଚାହିଁଲେ ଡାଉନଲୋଡ୍ କରିପାରିବେ | ସେ ଏହା ମଧ୍ୟ କହିଛନ୍ତି ଯେ ହାଇକମୋଜି ଏହାର ଦୁଇଟି ନୂତନ ଆପ୍ Vibe ଏବଂ Rush ସହିତ ଉପଲବ୍ଧ ହେବ। Rush ହେଉଛି ଏକ ଗେମ୍ ଆପ୍ ଯେଉଁଥିରେ ଅନଲାଇନରେ କ୍ୟାରମ୍ ଏବଂ ଲୁଡୋ ଭଳି ଖେଳ ଖେଳିପାରିବେ |

ହାଇକ ଷ୍ଟିକର୍ ଚାଟ୍ ଆପ୍ କମ୍ପାନୀ ହାଇକ୍ ଦ୍ବାରା ଏପ୍ରିଲ୍ ୨୦୧୯ ରେ ଲଞ୍ଚ କରାଯାଇଥିଲା। ଏହି ହାଇକ ଷ୍ଟିକର ଚାଟ୍ ଆପରେ ୪୦ ଟି ଭାରତୀୟ ଭାଷାରେ ୩୦,୦୦୦ ରୁ ଅଧିକ ଷ୍ଟିକର୍ ରହିଥିଲା। ଡିସେମ୍ବର ୨୦୧୯ ରେ, ଏହି ଆପର ସାପ୍ତାହିକ ସକ୍ରିୟ ବ୍ୟବହାରକାରୀଙ୍କ ସଂଖ୍ୟା ୨୦ ଲକ୍ଷ ଅତିକ୍ରମ କରିଥିଲା ​​|


Share It

Comments are closed.