ମଦମୁକ୍ତି ପାଇଁ ତେଜିଲା ବିଦ୍ରୋହ


ଓଡିଶାର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ୧୧୭ତମ ଜୟନ୍ତୀକୁ ମଦମୁକ୍ତି ଯୁବ ବାହିନୀ ପକ୍ଷରୁ ଏକ ଅଭିନବ ଢଙ୍ଗରେ ପାଳନ କରାଯାଇଛି । ନବକୃଷ୍ଣ ଚୌଧୁରୀ ଓଡିଶାରେ ନିଶା ନିବାରଣ ପାଇଁ ସର୍ବପ୍ରଥମେ ଆଇନ ତିଆରି କରିଥିଲେ । ମଦମୁକ୍ତି ଆନ୍ଦୋଳନରେ ଏହି ଦିନର ତାପ୍ତର୍ଯ୍ୟକୁ ଦୃଷ୍ଟିରେ ରଖି ମଦମୁକ୍ତି ଯୁବ ବାହିନୀ ପକ୍ଷରୁ ଓଡିଶାର ୨୩ରୁ ଉର୍ଦ୍ଧ ବ୍ଲକରେ ଏକ ସାଙ୍ଗରେ ପ୍ରଭାତ ଫେରିର ଆୟୋଜନ କରାଯାଇଥିଲା । ଏଥିରେ ବହୁ ସଂଖ୍ୟାରେ ଯୁବକ ଯୁବତୀ ଏବଂ ଜନ ସାଧାରଣ ଯୋଗ ଦେଇଥିଲେ ।
ମିଳିତ ଓଡିଶା ନିଶା ନିବାରଣ ଅଭିଯାନର ଯୁବ ଶାଖା ଭାବେ ମଦମୁକ୍ତି ଯୁବ ବାହିନୀ ଓଡିଶାରେ ମଦ ବନ୍ଦ ଦାବିରେ ଦୀର୍ଘ ଦିନ ହେବ ଆନ୍ଦୋଳନ କରି ଆସୁଛି । ଏହି ଆନ୍ଦୋଳନରେ ରାଜ୍ୟର ପୁର ପଲ୍ଲୀରେ ରହୁଥିବା ଯୁବକ ଏବଂ ଯୁବତୀ ମାନଙ୍କୁ ଏକଜୁଟ କରିବା ପାଇଁ ଆଜିର ଏହି ପ୍ରଭାତ ଫେରି ଆୟୋଜନ କରାଯାଇଥିଲା । ଆଜିର ଏହି ପ୍ରଭାତ ଫେରି ରାଜଧାନୀ ଭୁବନେଶ୍ୱର ବ୍ୟତିତ ଭଦ୍ରକ, ଭଣ୍ଡାରୀପୋଖରୀ, ଧର୍ମଶାଳା, ଦାନଗଦି, ବରୀ, ଟାଙ୍ଗୀ ଚୌଦ୍ୱାର, ବାରଙ୍ଗ, କଟକ ସଦର, କଂଟା ପଡା, ନିଆଳୀ, ଗୋପ, ପୁରୀ ସଦର, କଣାସ, ବ୍ରହ୍ମଗିରି, ବାଲିଅନ୍ତା, ବୋଲଗଡ, ବେଗୁନିଆ, ଖୋର୍ଦ୍ଧା ଟାଙ୍ଗୀ, ଭରତପୁର, କଳାହାଣ୍ଡିର ରାମପୁର, କଣ୍ଟାମାଳ(ବୌଦ୍ଧ), ବଲାଙ୍ଗୀର, ବାଲେଶ୍ୱର ଏବଂ ବାରିପଦା ଆଦି ସ୍ଥାନରେ ଆୟୋଜିତ ହୋଇଛି ।

ଏହି ଅବସରରେ ଯୁବ ବାହିନୀ ପକ୍ଷରୁ ଶ୍ରୀଯୁକ୍ତ ସତ୍ୟବ୍ରତ ପୃଷ୍ଟି କହିଛନ୍ତି ଯେ, ଏକ ସଭ୍ୟ ସମାଜରେ ମଦ ଭଳି ଅସଭ୍ୟ ବସ୍ତୁକୁ ଆଦୌ ବରଦାସ୍ତ କରାଯାଇପାରିବ ନାହିଁ । ମଦ ଦ୍ୱାରା ରାଜ୍ୟର ଶହ ଶହ ପରିବାର ଉଜୁଡି ଯାଉଥିବାବେଳେ ରାଜ୍ୟରୁ ମଦକୁ ବନ୍ଦ କରିବା ନିମନ୍ତେ ବିଭିନ୍ନ ସ୍ଥାନରେ ମହିଳାମାନଙ୍କ ଦ୍ୱାରା କରାଯାଉଥିବା ନିଷ୍ଠାପର ପ୍ରୟାସ ଯେମିତି ପ୍ରଶଂସନୀୟ ସେହି ଆନ୍ଦୋଳନ ପ୍ରତି ସରକାରଙ୍କ କଠୋର ମନୋଭାବ ସେମିତି ନିନ୍ଦନୀୟ । ତେବେ ମଦମୁକ୍ତି ଯୁବ ବାହିନୀ ମାଧ୍ୟମରେ ରାଜ୍ୟର ପୁର ପଲ୍ଲୀରେ ଥିବା ଯୁବକ ଯୁବତୀ ମାନେ ମଧ୍ୟ ମଦକୁ ବନ୍ଦ ପାଇଁ ଅଂଟା ଭିଡିଛନ୍ତି । ଆଗାମୀ ଦିନରେ ସରକାର ଓଡିଶାରୁ ମଦକୁ ସଂପୂର୍ଣ୍ଣ ବନ୍ଦ ନକଲେ ସଂଗଠନ ପକ୍ଷରୁ ନିର୍ଣ୍ଣାୟକ ଅନ୍ଦୋଳନ କରାଯିବ ।
ଏହି କାର୍ଯ୍ୟକ୍ରମକୁ ସଙ୍ଗଠନ ପକ୍ଷରୁ ଲଲାଟେନ୍ଦୁ ପାତ୍ର, ପ୍ରିୟନାଥ ଆଚାର୍ଯ୍ୟ, ରାଜେଶ କୁମାର ଦେଓ, ପ୍ରିତି ନାୟକ ଏବଂ ଅଭିଜିତ ପାତ୍ର ପ୍ରମୁଖ ସଂଯୋଜନା କରିଥିଲେ ।


Share It

Comments are closed.