ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ଖାଆନ୍ତୁ ଏହି ବିସ୍କୁଟ


ଲୁଧିଆନାର ଗୁରୁ ଅଙ୍ଗଦ ଦେବ ଭେଟେରିନାରୀ ଆଣ୍ଡ ଆନିମଲ ସାଇନ୍ସେସ୍‌ ୟୁନିଭର୍ସିଟିର କଲେଜ ଅଫ୍‌ ଫିସ୍ରିଜ୍‌ ରୋଗ ପ୍ରତିରୋଧ ଶକ୍ତି ବଢ଼ାଇବା ପାଇଁ ଫିସ୍ ବିସ୍କୁଟ ପ୍ରସ୍ତୁତ କରିଛି । ଏଥିରେ ଥିବା ପୋଷକ ତତ୍ତ୍ୱ ଇମ୍ୟୁନିଟି ବଢ଼ାଏ ଏବଂ ଅନେକ ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରେ । ମାଛ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭକର । ଏଥିରେ ଥିବା ପୋଷକ ତତ୍ତ୍ୱ ଶରୀରକୁ ଅନେକ ରୋଗରୁ ରକ୍ଷା କରିବାରେ ସହାୟକ ହୋଇଥାଏ । ଉକ୍ତ ପ୍ରତିଷ୍ଠାନର ବୈଜ୍ଞାନିକ ଡା. ଅଜିତ ସିଂହ ଏହି ମାଛ ବିସ୍କୁଟ ପ୍ରସ୍ତୁତ କରିଛନ୍ତି । ଏହା ସାଧାରଣ ବିସ୍କୁଟ ତୁଳନାରେ ଖୁବ୍‌ ଅଧିକ ମହଙ୍ଗା । ଏହା ଔଷଧ ଭଳି କାମ କରିବ । ଅଜିତ ସିଂହଙ୍କ ଦାବି ଯେ ରୋଗ ବିରୋଧରେ ଲଢ଼ିବାର କ୍ଷମତା ବୃଦ୍ଧି କରିବାରେ ମାଛ ବିସ୍କୁଟ ବେଶ ଉପଯୋଗୀ ହେବ । ବଜାରରେ ଉପଲବ୍ଧ ସାଧାରଣ ବିସ୍କୁଟ କାର୍ବୋହାଇଡ୍ରେଟ୍‌ ଯୁକ୍ତ । ଏଥିରେ ୭୫ ପ୍ରତିଶତରୁ ଅଧିକ କାର୍ବୋହାଇଡ୍ରେଟ୍‌ ରହିଛି ।

ସେହିପରି ଫାଇବର ଓ ପ୍ରୋଟିନ୍‌ ଏଥିରେ କମ୍‌ । ପ୍ରୋଟିନ୍‌ କେବଳ ୫ ପ୍ରତିଶତ ଏବଂ ଫାଇବର ମାତ୍ର ୧ ପ୍ରତିଶତ ଥାଏ । ସେଥିପାଇଁ ଏଗୁଡ଼ିକ ସ୍ୱାସ୍ଥ୍ୟକର ନୁହେଁ ଏବଂ ପୋଷଣ ଅଭାବ ପୂରଣ କରେ ନାହିଁ । ତେବେ କାର୍ପ ମାଛର ମାଂସରୁ ପ୍ରସ୍ତୁତ ଏହି ଫିସ୍ ବିସ୍କୁଟ ପ୍ରୋଟିନ୍‌ ଓ ଫାଇବରଯୁକ୍ତ । ବିସ୍କୁଟରେ ଫାଇବର ସାମିଲ କରିବା ପାଇଁ ଅଜିତ ସିଂହ ଏଥିରେ ରାଗୀ ଓ ଓଟ୍‌ସ ପ୍ରୟୋଗ କରିଛନ୍ତି । ସାଧାରଣ ବିସ୍କୁଟ୍‌ଗୁଡ଼ିକର ସବୁ ଗୁଣ ଉଚ୍ଚ ପ୍ରୋଟିନ୍‌ଯୁକ୍ତ ଏହି ବିସ୍କୁଟରେ ରହିଛି । ଖାସ୍‌ କଥା ହେଉଛି ଆମିଷ ଗନ୍ଧ ଏଥିରେ ନାହିଁ । ତେଣୁ ପିଲାମାନେ ଏହାକୁ ଆନନ୍ଦରେ ଖାଇପାରିବେ ।

ମାଛ ବିସ୍କୁଟରେ କାର୍ବୋହାଇଡ୍ରେଟ୍‌ ମାତ୍ର ୫୦ ପ୍ରତିଶତ ଏବଂ ପ୍ରୋଟିନ୍‌ ପ୍ରାୟ ୧୭ ପ୍ରତିଶତ ରହିଛି । ରାଗୀରେ ୫ ପ୍ରତିଶତରୁ ଅଧିକ ଏବଂ ଓଟ୍‌ସରେ ୨ରୁ ୩ ପ୍ରତିଶତ ଫାଇବର ଅଛି । ସେହି ଦୃଷ୍ଟିରୁ ପୋଷଣ ମାମଲାରେ ମାଛ ବିସ୍କୁଟର ଅନେକ ଫାଇଦା ରହିଛି । ଘର ତାପମାତ୍ରାରେ ଏହାକୁ ୨ ମାସ ରଖାଯାଇପାରେ । ଫିଶ୍‌ ପ୍ରୋସେସିଙ୍ଗ ଟେକ୍ନୋଲୋଜି ଡିପାର୍ଟମେଣ୍ଟରେ ଏହା ପୂର୍ବରୁ ଫିଶ୍‌ ଫିଙ୍ଗର, ଫିଶ୍‌ ବଲ୍‌, ଫିଶ୍‌ ନଗେଟ୍‌ସ, ଫିଶ୍‌ କଟ୍‌ଲେଟ, ଫିଶ୍‌ ପାମ୍ପଡ଼, ଫିଶ୍‌ ୱେଫର୍ସ, ଫିଶ୍‌ ସସ୍‌, ଫିଶ୍‌ ଆଚାର ଭଳି ଉତ୍ପାଦ ପ୍ରସ୍ତୁତ ହୋଇଛି । ଏଗୁଡ଼ିକର ବ୍ୟବହାର ସମୟ ସୀମା ୬ ମାସରୁ ଅଧିକ ।


Share It

Comments are closed.