ଆନ୍ଧ୍ର ଉପକୂଳରେ ଲଘୁଚାପ, ୩ ଦିନ ବର୍ଷା


ପୂରା ଓଡ଼ିଶାରେ ପ୍ରବଳ ବର୍ଷା ହେବାର ଆଶଙ୍କା ଧୀରେ ଧୀରେ ଟଳୁଛି । କିନ୍ତୁ ଉପକୂଳରେ ନବମୀ ଓ ଦଶମୀରେ ବର୍ଷିବ ବୋଲି ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ । ୪ଟି ଜିଲ୍ଲାରେ ପ୍ରବଳ ବର୍ଷିପାରେ । ପୁରୀ, ଖୋର୍ଦ୍ଧା, ନୟାଗଡ଼, କଟକ ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଏଭଳି ପୂର୍ବାନୁମାନ କରିଛନ୍ତି । ପଶ୍ଚିମ କେନ୍ଦ୍ରୀୟ ପାର୍ଶ୍ବବର୍ତ୍ତୀ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଓ ଏହାର ସଂଲଗ୍ନ ଅଞ୍ଚଳରେ ଲଘୁଚାପ ସୃଷ୍ଟି ହୋଇଛି ।

ଏହାର ପ୍ରଭାବରେ ଗଞ୍ଜାମରୁ ବାଲେଶ୍ୱର ଯାଏଁ ପୂରା ଉପକୂଳରେ ମଧ୍ୟମ ପରିମାଣର ବର୍ଷା ହୋଇପାରେ । ନବମୀ ଓ ଦଶମୀରେ ୪୦ରୁ ୫୦ମିମି ଯାଏ ବର୍ଷା ହେବାର ସମ୍ଭାବନା ଅଛି । ପୁରୀ, ଖୋର୍ଦ୍ଧା, ନୟାଗଡ଼, କଟକ ଓ ଗଞ୍ଜାମ ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ଉପକୂଳ ସଂଲଗ୍ନ ଜିଲ୍ଲାରେ ଦୁଇ ଦିନ ସ୍ୱଳ୍ପରୁ ମଧ୍ୟମ ପରିମାଣର ବର୍ଷା ହେବାର ପୂର୍ବାନୁମାନ କରିଛନ୍ତି । ଚଳିତ ମାସରେ ଆହୁରି ଦୁଇଟି ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ ବୋଲି ଡ. ପଶୁପାଳକ କହିଛନ୍ତି ।

୭ ତାରିଖରେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହା ୨୪ ଘଣ୍ଟା ଭିତରେ ଲଘୁଚାପରେ ପରିଣତ ହୋଇପାରେ । ଧୀରେ ଧୀରେ ଏହା ଦକ୍ଷିଣ ଆନ୍ଧ୍ରପ୍ରଦେଶ ଓ ସଂଲଗ୍ନ ତାମିଲନାଡୁ ଆଡ଼କୁ ମୁହାଁଇବ । ଏହାର ପ୍ରଭାବରେ ଜଗତସିଂହପୁର, କଟକ, ପୁରୀ, ନୟାଗଡ଼ ଓ ଗଞ୍ଜାମ ଜିଲ୍ଲାରେ ୮ ଓ ୯ ତାରିଖ ଦୁଇ ଦିନ ମଧ୍ୟମ ଧରଣର ବର୍ଷା ହୋଇପାରେ । ଖୋର୍ଦ୍ଧା ଓ ଆଭ୍ୟନ୍ତରୀଣ ଦକ୍ଷିଣରେ ୨୦ରୁ ୩୦ମିମି ବର୍ଷା ହେବ । ୧୦ରୁ ୧୨ ତାରିଖ ରାଜ୍ୟରେ ବିକ୍ଷିପ୍ତ ବର୍ଷା ହେବ । କୁମାର ପୂର୍ଣ୍ଣିମାରେ ଆଂଶିକ ମେଘୁଆ ପାଗ ସହ ସ୍ଥାନେ ସ୍ଥାନେ ହାଲୁକା ବର୍ଷା ହୋଇପାରେ । ୧୩ରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଦକ୍ଷିଣ ବଙ୍ଗୋପସାଗରରେ ତୃତୀୟ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସଙ୍କେତ ମିଳୁଛି ।


Share It

Comments are closed.