ଓଡିଶାକୁ ମଦମୁକ୍ତ କରିବାର ବାର୍ତ୍ତା ନେଇ ସାଇକେଲ ଯୋଗେ ଭୁବନେଶ୍ୱର ପହଞ୍ଚିଲେ ସ୍ୱେଚ୍ଛସେବୀ


ଭୁବନେଶ୍ୱର : ଓଡିଶାକୁ ମଦମୁକ୍ତ କରିବାର ବାର୍ତ୍ତା ନେଇ ଭଦ୍ରକର ତିହିଡରୁ ସାଇକେଲ ଯୋଗେ ୧୫୦ରୁ ଅଧିକ କିଲୋମିଟର ଯାତ୍ରା କରି ଭୁବନେଶ୍ୱରରେ ଆସି ପହଞ୍ଚିଛନ୍ତି ସମାଜସେବୀ ଶ୍ରୀ ତ୍ରିଲୋଚନ ସାହୁ । ତାଙ୍କର ଏହି ଯାତ୍ରାରେ ସେ ବିଭିନ୍ନ ଅଞ୍ଚଳରେ ଲୋକଙ୍କୁ ଭେଟିବା ସହ ଓଡିଶାକୁ ମଦମୁକ୍ତ କରିବା ପାଇଁ ଆହ୍ୱାନ ଦେଇଛନ୍ତି । ଏହା ବାଦ ସେ ଭୁବନେଶ୍ୱରରେ ମଦମୁକ୍ତ ଯୁବ ବାହିନୀ ଦ୍ୱାରା ଆୟୋଜିତ ହେଉଥିବା ରାଜ୍ୟସ୍ତରୀୟ ‘ଯୁବ ସମ୍ବାଦ’ କାର୍ଯ୍ୟକ୍ରମରେ ଯୋଗଦେବେ ।
ଭୁବନେଶ୍ୱରରେ ପହଞ୍ଚି ସେ କହିଛନ୍ତି ଯେ, “ଓଡିଶାରେ ମଦ ସମସ୍ୟା ଏକ ଭୟଙ୍କର ରୂପ ଧାରଣ କରି ସାରିଲାଣି । ସରକାରଙ୍କ ଦ୍ୱାରା ଲାଇସେନ୍ସ ଦେଇ ପ୍ରତ୍ୟେକ ଗାଁ ଗଣ୍ଡାରେ ଖୋଲାଯାଉଥିବା ମଦ ଦୋକାନ ଏହି ସମସ୍ୟାକୁ ଆହୁରୀ ଗମ୍ଭୀର କରିଦେଇଛି । ତେଣୁ ମଦକୁ ତତକାଳ ଓଡିଶାରୁ ସଂପୂର୍ଣ୍ଣ ନିଷେଧ କରାଯିବା ଦରକାର । ”
ଏହା ସହ ସେ ଆହୁରୀ ମଧ୍ୟ କହିଛନ୍ତି, “ମଦମୁକ୍ତି ଯୁବ ବାହିନୀ ଏହି ଦିଗରେ ରାଜ୍ୟ ସାରାର ଯୁବ ଏବଂ ଯୁବତୀ ମାନଙ୍କୁ ଏକଜୁଟ କରିବାର ଏକ ପ୍ରକୃଷ୍ଟ ମଞ୍ଚ ପାଲଟିଛି । ମୁଁ ଆସନ୍ତା ରବିବାର ଏହାର ଭୁବନେଶ୍ୱରରେ ହେବାକୁ ‘ଯୁବ ସମ୍ବାଦ’କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଏଠାକୁ ଆସିଛି । ଏବଂ ମଦକୁ ବିରୋଧ କରୁଥିବା ପ୍ରତ୍ୟେକ ଯୁବକ ଯୁବତୀଙ୍କୁ ମଦମୁକ୍ତ ଯୁବ ବାହିନୀରେ ଯୋଗ ଦେବା ପାଇଁ ଅନୁରୋଧ କରିବି । ”


Share It

Comments are closed.