ରାଜଧାନୀରେ ମଦ ବିରୋଧୀ ଆନ୍ଦୋଳନ ତେଜିଲା


ନିର୍ବାଚନ ପୂର୍ବରୁ ଓଡ଼ିଶାରୁ ମଦ ବନ୍ଦ ଦାବିରେ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନର ସଦସ୍ୟମାନେ ନବୀନ ନିବାସ ଘେରାଉ କରିବା ସହ ୫ନଂ ଜାତୀୟ ରାଜପଥର ସତସଙ୍ଗ ବିହାରଠାରେ ରାସ୍ତା ଅବରୋଧ କରିଥିଲେ । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଅସିଥିବା ଏକ ହଜାରରୁ ଉଦ୍ଧ୍ୱର୍ ମଦ ବିରୋଧୀ କାର୍ଯ୍ୟକର୍ତ୍ତା ଏଥିରେ ଯୋଗ ଦେଇଥିବାବେଳେ ନିର୍ବାଚନ ପୂର୍ବରୁ ‘ମଦ ହଟିବ, ନଚେତ ନବୀନ ହଟିବେ’ର ନାରା ଦେଇଥିଲେ ।
ନିର୍ବାଚନ ପୂର୍ବରୁ ସମସ୍ତ ରାଜନୈତିକ ଦଳ କୃଷକମାନଙ୍କ ସମସ୍ୟା ପ୍ରତି ତତ୍ପର ହୋଇପଡ଼ିଛନ୍ତି ଏବଂ ଏଭଳି ସ୍ଥଳେ ମଦ ସମସ୍ୟାକୁ ସମସ୍ତେ ଭୁଲି ଯାଇଛନ୍ତି । ଯେବେକି ମଦ ଦ୍ୱାରା ଶହ ଶହ ଗାଁ ଉଜୁଡ଼ି ଯାଉଛି । ତେଣୁ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ପକ୍ଷରୁ ନିର୍ବାଚନ ପୂର୍ବରୁ ଓଡ଼ିଶାରୁ ମଦକୁ ସମ୍ପୂର୍ଣ୍ଣ ରୂପେ ହଟାଇବା ନିମନ୍ତେ ‘ଯୁଦ୍ଧଂ ଦେହି’ ଡାକରା ଦିଆଯାଇଛି । ଏହି କ୍ରମରେ ଗତ ୫ ତାରିଖରୁ କଟକରୁ ଏବଂ ୬ ତାରିଖରେ ଡେଲାଙ୍ଗର ବେରବୋଇ ନିକଟରୁ ମଦ ବିରୁଦ୍ଧରେ ଦୁଇଟି ପଦଯାତ୍ରା ବାହାରି ଆଜି ରାଜଧାନୀରେ ପହଞ୍ôଚଥିଲେ । ଏହି ଯାତ୍ରାର ଗୋଟିଏ ଦଳ ସିଧା ନବୀନ ନିବାସ ଯାଇ ମୂଖ୍ୟମନ୍ତ୍ରୀଙ୍କୁ ଦେଖା କରିବା ପାଇଁ ଅଡ଼ି ବସିଥିବାବେଳେ ଅନ୍ୟ ଏକ ଦଳ ସତସଙ୍ଗ ବିହାର ନିକଟରେ ୫ ନଂ ଜାତୀୟ ରାଜପଥକୁ କିଛି ସମୟ ପାଇଁ ଅବରୋଧ କରିଥିଲେ ।

ଏହା ସହ ଆନ୍ଦୋଳନକାରୀମାନେ ୧୯୫୬ ମସିହା ସମ୍ପୂର୍ଣ୍ଣ ନିଶା ନିବାରଣ ଆଇନକୁ ତତ୍କାଳ ଲାଗୁ କରିବା ପାଇଁ ଦାବି କରିଥିଲେ ।
ଏ ସମ୍ପର୍କରେ ସୂଚନା ଦେଇ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନର ସଦସ୍ୟ ଶ୍ରୀ କାହ୍ନୁଚରଣ ବେହୁରା କହିଛନ୍ତି ଯେ, “ମଦ ଯୋଗୁଁ ସାରା ଓଡ଼ିଶାରେ ଲକ୍ଷ ଲକ୍ଷ ପରିବାର ଉଜୁଡ଼ି ଯାଉଥିବାବେଳେ ଓଡ଼ିଶା ସରକାର ଟାର୍ଗେଟ ନେଇ ଗାଁ ଗାଁରେ ମଦ ଦୋକାନ ଖୋଲୁଛନ୍ତି । ଏହା ବିରୁଦ୍ଧରେ ପ୍ରତ୍ୟେକ ଗାଁ’ରୁ ମହିଳାମାନେ ସ୍ୱର ଉଠାଇଲେଣି । ଆମେ ସରକାରଙ୍କୁ ଚେତାଇ ଦେଉଛୁ, ଯଦି ନିର୍ବାଚନ ପୂର୍ବରୁ ମଦ ବନ୍ଦ ନାହିଁ, ତ ଭୋଟ ନାହିଁ ।”
ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀମତୀ ଅପର୍ଣ୍ଣା ନାୟକ, ଇନ୍ଦୁମତୀ ସାହୁ, ମଳୟ ତ୍ରିପାଠୀ, ସତ୍ୟବ୍ରତ ପୃଷ୍ଟି, ରମାକାନ୍ତ ମଣ୍ଡଳ, ତାରାକାନ୍ତ ନାୟକ, ପ୍ରିତି ନାୟକ, ଲଲାଟେନ୍ଦୁ ପାତ୍ର, ଅଦ୍ୱୈତ ପାତ୍ର, ଖଗେଶ୍ୱର ବଳ ପ୍ରମୂଖ ଯୋଗ ଦେଇଥିଲେ ।


Share It

Comments are closed.