ଲିଜେଣ୍ଡ୍‌ସ ଲିଗ୍ କ୍ରିକେଟ୍‌ ଭିଲ୍‌ୱାରା କିଙ୍ଗ୍‌ସର ଦମ୍‌ଦାର ପ୍ରଦର୍ଶନ


ଆଜି କଟକର ବାରବାଟୀ ଷ୍ଟାଡିୟମରେ ସ୍କାଏ୨୪୭ ଡଟ୍ ନେଟ୍ ଲିଜେଣ୍ଡ୍‌ସ ଲିଗ୍ କ୍ରିକେଟ୍ (ଏଲ୍‌ଏଲ୍‌ସି)ର ୯ମ ଗେମ୍‌ରେ ଭିଲ୍‌ୱାରା କିଙ୍ଗସ୍ ଦମ୍‌ଦାର ବ୍ୟାଟିଙ୍ଗ୍ ପ୍ରଦର୍ଶନ କରିଛି । ଆଜିର ମ୍ୟାଚ୍‌ରେ ଗୁଜରାଟ ଜିଆଂଟ୍‌ସର ବୋଲିଂକୁ ପ୍ରଭାବହୀନ କରି ଭିଲ୍‌ୱାରା କିଙ୍ଗ୍‌ସ ୨୦ ଓଭର୍‌ରେ ୨୨୨/୪ ରନ୍ ସଂଗ୍ରହ କରିଥିଲା । ଜିଆଂଟ୍‌ସ କ୍ୟାପ୍ଟେନ୍ ବୀରେନ୍ଦ୍ର ସେହୱାଗ୍ ଟସ୍ ଜିତିବା ସହ ଫିଲ୍ଡିଂ ପାଇଁ ନିଷ୍ପତି ନେଇଥିଲେ କିନ୍ତୁ ଏହାପରେ ସବୁକିଛି ତାଙ୍କ ରଣନୀତି ବିପକ୍ଷରେ ଯାଇଥିଲା । କିଙ୍ଗ୍‌ସ ବ୍ୟାଟସମ୍ୟାନ୍‌ଙ୍କ ବ୍ୟାଟ୍‌ରୁ ଚୌକା, ଛକାର ବର୍ଷା ହୋଇଥିଲା । ଭିଲ୍‌ୱାରା କିଙ୍ଗ୍‌ସର ଓପ୍‌ନର ୱିଲିୟମ ପୋର୍ଟର୍‌ଫିଲ୍ଡ ଓ ମୋର୍‌ନେ ଭାନ୍ ୱିକ୍ ମ୍ୟାଚ୍‌ର ପ୍ରଥମ ଓଭର୍‌ରେ ହିଁ ୧୫ ରନ୍ ସଂଗ୍ରହ କରିଥିଲେ । ଏହି ଧାରା ଆଗକୁ ବଜାୟ ରହିଥିଲା । ଭିଲ୍‌ୱାରା କିଙ୍ଗ୍‌ସ ୬ଟି ପାୱାରପ୍ଲେ ଓଭର୍‌ରୁ ବିନା କୌଣସି ୱିକେଟ୍‌ରେ ୭୬ ରନ୍ କରିଥିଲା ।

ପୋର୍ଟର୍‌ଫିଲ୍ଡ ୩୩ ବଲ୍‌ରେ ୬୪ ରନ୍ କରିବା ସହ ୧୦ଟି ଚୌକା ଓ ୨ଟି ଛକା ମାରିଥିଲେ । ପରେ ବାମହାତି ସ୍ପିନର୍ କେପି ଆପନ୍ନା ପୋର୍ଟରଫିଲ୍ଡଙ୍କ ୱିକେଟ୍ ନେଇଥିବା ବେଳେ ପୂର୍ବତନ ଇଂଲଣ୍ଡ ଷ୍ଟାର୍ ସ୍ପିନର୍ ଗ୍ରାଏମେ ସ୍ୱାନ୍ ଭାନ୍ ୱିକ୍‌ଙ୍କ ୱିକେଟ୍ ନେଇଥିଲେ ଯିଏକି ୨୮ ବଲ୍‌ରେ ୫୦ ରନ୍ କରିଥିଲେ । ଏହି ଦୁଇ ୱିକେଟ୍ ଗୁଜରାଟ ଜିଆଂଟ୍‌ସକୁ ସାମାନ୍ୟ ଆଶ୍ୱସ୍ତି ଦେଇଥିଲେ ମଧ୍ୟ କିଙ୍ଗ୍‌ସ୍ କ୍ୟାପ୍ଟେନ ଇର୍‌ଫାନ୍ ପଠାନ୍ ରନ୍‌ର ବେଗ ଜାରି ରଖିଥିଲେ ଏବଂ ୩ଟି ଛକା ଓ ଗୋଟିଏ ଚୌକା ସହ ୨୩ ବଲ୍‌ରେ ୩୪ ରନ୍ କରିଥିଲେ । ଏହାଛଡା କିଙ୍ଗ୍‌ସ ବ୍ୟାଟ୍‌ସମ୍ୟାନ୍ ଜେସାଲ୍ କାରିଆ ମଧ୍ୟ ୨୯ ବଲ୍‌ରେ ୪୩ ରନ୍ କରି ମୋଟ ସ୍କୋର୍‌କୁ ୨୦୦ ଅତିକ୍ରମ କରାଇଥିଲେ । ଭିଲ୍‌ୱାରା କିଙ୍ଗ୍‌ସ ନିଜ ଇନିଂସ୍‌ର ଶେଷ ଓଭର୍‌ରେ ୨୪ ରନ୍ ସଂଗ୍ରହ କରି ଗୁଜରାଟ ଜିଆଂଟ୍‌ସ ସାମ୍‌ନାରେ ବିଶାଳ ସ୍କୋର ରଖିଥିଲା ।


Share It

Comments are closed.