ଦଳରେ ମାଲିଙ୍ଗାଙ୍କ ଅନୁପସ୍ଥିତିକୁ ନେଇ କିଛି ଏପରି କହିଲେ ରୋହିତ


ବ୍ୟକ୍ତିଗତ କାରଣ ଦର୍ଶାଇ ଶ୍ରୀଲଙ୍କାର ଫାଷ୍ଟବୋଲର ଲାସିଥ୍‍ ମାଲିଙ୍ଗା ଚଳିତବର୍ଷର ଆଇପିଏଲ୍‍ରୁ ଓହରି ଯାଇଛନ୍ତି। ମାଲିଙ୍ଗାଙ୍କ ପରି ମ୍ୟାଚ୍‍ ବିଜେତା ବୋଲରଙ୍କ ଅନୁପସ୍ଥିତି ମୁମ୍ବଇ ଇଣ୍ଡିଆନ୍‍ସ ନିଶ୍ଚୟ ଅନୁଭବ କରିବ ବୋଲି କହିଛନ୍ତି ଏହାର ଅଧିନାୟକ ରୋହିତ ଶର୍ମା। ଗତବର୍ଷ ମୁମ୍ବାଇକୁ ଚମ୍ପିଆନ୍‍ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ମାଲିଙ୍ଗାଙ୍କ ସ୍ଥାନ ଅପୂରଣୀୟ ବୋଲି ରୋହିତ ଅନୁଭବ କରନ୍ତି। କାରଣ ବିଗତ ବର୍ଷମାନଙ୍କରେ ମାଲିଙ୍ଗା କିଛି ଅବିଶ୍ୱସନୀୟ ବୋଲିଂ କରିଛନ୍ତି।
ସୂଚନାଯୋଗ୍ୟ; ୩୭ ବର୍ଷ ବୟସ୍କ ଲାସିଥ୍‍ ମାଲିଙ୍ଗା ୧୭୦ଟି ୱିକେଟ ସହ ଆଇପିଏଲ୍‍ ଇତିହାସରେ ସଫଳତମ ବୋଲର। ମାଲିଙ୍ଗାଙ୍କ ଅନୁପସ୍ଥିତି ବିଷୟରେ ରୋହିତ ଶର୍ମା କହନ୍ତି, ମାଲିଙ୍ଗାଙ୍କ ସ୍ଥାନନେବା କାହାରି ପକ୍ଷେ ସହଜ ନୁହେଁ। ମୁମ୍ବଇ ପାଇଁ ମାଲିଙ୍ଗା ଜଣେ ମ୍ୟାଚ୍‍ ବିଜେତା ରହି ଆସିଛନ୍ତି। ଯେତେବେଳେ ଆମେ ମ୍ୟାଚ୍‍ରେ ଅସୁବିଧାରେ ପଡ଼ିଥାଉ; ମାଲିଙ୍ଗା ହିଁ ଆମକୁ ଏହି ବିପଦରୁ ଉଦ୍ଧାର କରିଥାଆନ୍ତି। ତାଙ୍କ ଅଭିଜ୍ଞତାର ଫାଇଦା ଆମେ ହରାଇବୁ। ମୁମ୍ବାଇ ଇଣ୍ଡିଆନ୍‍ସ ପାଇଁ ମାଲିଙ୍ଗା ଯାହା କରିଛନ୍ତି; ତାହା ଅବିଶ୍ୱସନୀୟ। ଚଳିତବର୍ଷ ସେ ନ ଖେଳିବା ଆମର ଦୁର୍ଭାଗ୍ୟ। ତଥାପି ଆମ ଦଳରେ ଜେମ୍‍ସ ପ୍ୟାଟିନ୍‍ସନ, ଧବଳ କୁଲକର୍ଣ୍ଣୀ ଓ ମୋହ୍‍ସିନ ଖାଁଙ୍କ ପରି ପେସ୍‍ ବୋଲର ଅଛନ୍ତି; ଯାହାଙ୍କ ମଧ୍ୟରୁ କେହି ଜଣେ ମାଲିଙ୍ଗାଙ୍କ ସ୍ଥାନନେବେ। ତେବେ ମାଲିଙ୍ଗା ଅଦ୍ୟାବଧି ମୁମ୍ବଇ ପାଇଁ ଯେପରି ପ୍ରଦର୍ଶନ କରିଛନ୍ତି; ତାହା ଅତୁଳନୀୟ। ନିଜ ବ୍ୟାଟିଂ ବିଷୟରେ ରୋହିତ ଶର୍ମା କହିଛନ୍ତି ଯେ ଚଳିତ ସିଜିନ୍‍ରେ ସମସ୍ତ ମ୍ୟାଚ୍‍ରେ ସେ ଇନିଂସ ଓପନ୍‍ କରିବେ। ଗତବର୍ଷ ସମସ୍ତ ମ୍ୟାଚ୍‍ରେ ଓପନ୍‍କରି ସଫଳ ହୋଇଥିବାରୁ ଏହି ସିଜିନ୍‍ରେ ସେ ଏହା ଜାରିରଖିବେ। ତଥାପି ଦଳର ଆବଶ୍ୟକତା ଅନୁସାରେ ମଧ୍ୟକ୍ରମରେ ବ୍ୟାଟିଂ କରିବାକୁ ସେ ପ୍ରସ୍ତୁତ ଅଛନ୍ତି। ଏହାସହ ରୋହିତ କହିଛନ୍ତି ଯେ ୟୁଏଇର ବାତାବରଣ ସହ ଖାପ୍‍ ଖୁଆଇବା ଦଳକୁ ସଫଳତା ଆଡ଼କୁ ନେଇ ଯାଇପାରେ। ଭାରତ ଓ ୟୁଏଇର ପିଚ୍‍ ଓ ବାତାବରଣ ଭିନ୍ନ।


Share It

Comments are closed.