ସୀମାରେ ଭାରତ-ଚୀନ ସେନା ପୁଣି ମୁହାଁମୁହିଁ


ଲଦାଖ ସୀମାରେ ଉତ୍ତେଜନା ବଢ଼ିଯାଇଛି । ଭାରତ ଓ ଚୀନ୍‌ ସେନା ଯେପରି ମୁହାଁମୁହିଁ ଅବସ୍ଥାରେ ଅଛନ୍ତି, ତା’ ଯୋଗୁ ସେଠାରେ ଯେକୌଣସି ମୁହୂର୍ତ୍ତରେ ଯୁଦ୍ଧ ଲାଗିଯିବାର ଆଶଙ୍କା ରହିଛି । ଚୀନ୍‌ ସେନା ଲଦାଖରେ ବାରମ୍ବାର ଭାରତୀୟ ସୀମା ଭିତରକୁ ପ୍ରବେଶ କରିବା ପାଇଁ ଉଦ୍ୟମ କରୁଛି କିନ୍ତୁ ଭାରତୀୟ ସେନାର ଜୋରଦାର ବିରୋଧ ଯୋଗୁ ସେଥିରେ ସଫଳ ହୋଇପାରୁନାହିଁ । ସୋମବାର ସିଏ ପ୍ୟାଙ୍ଗଙ୍ଗ ହ୍ରଦର ଦକ୍ଷିଣ ଭାଗରେ ଥିବା ଏକ ପର୍ବତ ଶିଖର ଉପରେ କବ୍‌ଜା କରିବାକୁ ଉଦ୍ୟମ କରି ବିଫଳ ହୋଇଥିଲା । ମଙ୍ଗଳବାର ଦୁଇ ଦେଶର ସେନା ପୁଣି ଥରେ ରେଜାଙ୍ଗ ଲା’ ପାଖରେ ଟକରାଟକରି ହୋଇଛନ୍ତି ।

ରିପୋର୍ଟ ଅନୁଯାୟୀ, ସୋମବାର ସନ୍ଧ୍ୟା ସାଢେ ୫ରୁ ସାଢେ ୬ଟା ଭିତରେ ଚୀନ୍‌ର ୨୫ରୁ ୫୦ ଜଣ ସୈନିକ ପ୍ୟାଙ୍ଗଙ୍ଗ ହ୍ରଦର ଦକ୍ଷିଣ ଭାଗରେ ଥିବା ବ୍ଲାକ୍‌ଟପ୍‌ ଉପରେ କବ୍‌ଜା କରିବାକୁ ଅଗ୍ରସର ହୋଇଥିଲେ । ଗଲୱାନରେ ଭାରତୀୟ ସେନା ଉପରେ ଆକ୍ରମଣ କରିବା ସମୟରେ ସେମାନେ ଯେପରି କଣ୍ଟା ଯୁକ୍ତ ତାର ଗୁଡା ହୋଇଥିବା ବେସବଲ ବ୍ୟାଟ୍‌ ଧରିଥିଲେ, ସେପରି କିଛି ଅସ୍ତ୍ର ସହ ବର୍ଚ୍ଛା, ରଡ୍‌ ଆଦି ଧରି ସେମାନେ ଭାରତୀୟ ସେନାର ପୋଷ୍ଟ ଆଡକୁ ମାଡ଼ି ଚାଲିଥିଲେ । ହେଲେ ସେମାନଙ୍କର ଗତିବିଧି ଲକ୍ଷ୍ୟ କରୁଥିବା ଭାରତୀୟ ସେନା ସେମାନଙ୍କୁ ଚେତାବନୀ ଦେଇଥିଲା । ଏହାପରେ ଚୀନ୍‌ ସେନା ଫାଙ୍କାରେ ଗୁଳି ଚାଳନା କରି ଭାରତୀୟ ସେନାକୁ ଭୟଭୀତ କରିବାକୁ ଉଦ୍ୟମ କରିଥିଲେ । କିନ୍ତୁ ଭାରତୀୟ ସେନା ଏହାଦ୍ୱାରା ଆଦୌ ପ୍ରଭାବିତ ନହୋଇ ସେମାନଙ୍କୁ ପଛକୁ ହଟିଯିବାକୁ ଚେତାବନୀ ଦେଇଥିଲା । ଏହାପରେ ସେମାନେ ପଛକୁ ଫେରିଯାଇଥିଲେ ।

ସୋମବାର ବିଳମ୍ବିତ ରାତ୍ରିରେ ଚୀନ୍‌ ସେନାର ପଶ୍ଚିମ କମାଣ୍ଡ ତରଫରୁ ଏକ ବିବୃତି ଜାରି କରାଯାଇ କୁହାଯାଇଥିଲା କି ଭାରତୀୟ ସେନା ଏଲଏସି ଅତିକ୍ରମ କରିବା ସହିତ ଚୀନ୍‌ ସେନାର ପାଟ୍ରୋଲିଂ ଦଳ ଉପରକୁ ଗୁଳି ମାଡ଼ କରିଥିଲା । ଚୀନ୍‌ ସେନା ଏହାର ଜବାବ ଦେଇଥିଲା ଯାହାପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା । ହେଲେ ଭାରତୀୟ ସେନାର ତରଫରୁ ଆଜି ସ୍ପଷ୍ଟୀକରଣ ଦିଆଯାଇ କୁହାଯାଇଥିଲା କି ଭାରତୀୟ ସେନା ସବୁବେଳେ ସୀମାରେ ସ୍ଥିତାବସ୍ଥା ବଜାୟ ରଖିବାକୁ ଗୁରୁତ୍ୱ ଦେଇଆସିଛି । ସୋମବାରର ଘଟଣାରେ ଭାରତୀୟ ସେନା ଏଲଏସି ଅତିକ୍ରମ କରିନଥିଲା । ବରଂ ଚୀନ୍‌ ସେନା ଭାରତୀୟ ପୋଷ୍ଟ ଆଡକୁ ଅଗ୍ରସର ହେବାର ଦେଖି ଭାରତ ତରଫରୁ ଚେତାବନୀ ଦିଆଯାଇଥିଲା । ଏହାପରେ ଚୀନ୍‌ ସେନା ଫାଙ୍କା ଗୁଳି ଚାଳନା କରିଥିଲା । କିନ୍ତୁ ଭାରତୀୟ ସେନା ସେମାନଙ୍କୁ ଧମକାଇବା ପରେ ସେମାନେ ପଛଘୁଞ୍ଚା ଦେଇଥିଲେ । ଭାରତର ଏହି ବିବୃତି ପରେ ଚୀନ୍‌ ତରଫରୁ ମଙ୍ଗଳବାର ପୁଣି ଥରେ ବୟାନ ଜାରି କରାଯାଇ ଭାରତୀୟ ସେନା ହିଁ ପ୍ରଥମେ ଗୁଳିଚାଳନା କରିଥିବାର ଅଭିଯୋଗ କରାଯାଇଛି ।

ମଙ୍ଗଳବାର ମଧ୍ୟ ପ୍ୟାଙ୍ଗଙ୍ଗ ହ୍ରଦର ଦକ୍ଷିଣରେ ଥିବା ରେଜାଙ୍ଗ ଲା’ ନିକଟରେ ଭାରତ ଓ ଚୀନ୍‌ର ସେନା ମୁହାଁମୁହିଁ ହୋଇଛନ୍ତି । ଚୀନ୍‌ର ୨୫ରୁ ୫୦ ଜଣ ସୈନିକ ଏହି ପର୍ବତ ଶିଖରକୁ ଭାରତ ଦଖଲରୁ ଛଡେଇ ନେବା ପାଇଁ ଅଗ୍ରସର ହେଉଥିବା ଦେଖି ଭାରତୀୟ ସେନା ଏହାକୁ ପ୍ରତିହତ କରିଥିଲା । ଏସବୁ ଘଟଣା ସତ୍ତେ୍ୱ ଦୁଇ ଦେଶର ସେନା ପରସ୍ପର ସହିତ ଯୋଗାଯୋଗରେ ଅଛନ୍ତି ବୋଲି କୁହାଯାଇଛି ।

ଅନ୍ୟପଟରେ, ଏସବୁ ଘଟଣାକୁ ନେଇ ଲଦାଖ ସୀମାରେ ଭାରତ ଓ ଚୀନ୍‌ ମଧ୍ୟରେ ଯେକୌଣସି ମୁହୂର୍ତ୍ତରେ ଯୁଦ୍ଧ ଲାଗିଯାଇପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଛି । ଏହି କାରଣରୁ ରାଜଧାନୀ ଦିଲ୍ଲୀରେ ଘନଘନ ଉଚ୍ଚ ସ୍ତରୀୟ ବୈଠକ ବସୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବି ସେନା ତରଫରୁ ପରିସ୍ଥିତି ସମ୍ପର୍କରେ ଅବଗତ କରାଯାଇଛି । ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରୱଣେ ଆଜି ସକାଳେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ସାକ୍ଷାତ କରି ତାଙ୍କୁ ସେଠାକାର ପରିସ୍ଥିତି ସମ୍ପର୍କରେ ଅବଗତ କରାଇଛନ୍ତି । ରାଜନାଥ ମଧ୍ୟ ଅନ୍ୟ ଏକ ବୈଠକରେ ସେନାବାହିନୀର ତିନି ମୁଖ୍ୟ ଏବଂ ଚିଫ ଅଫ ଡିଫେନ୍ସ ଷ୍ଟାଫଙ୍କ ସହିତ ମିଳିତ ଭାବେ ଏହା ଉପରେ ବିଚାରବିମର୍ଶ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଚୀନ୍‌ ସେନା ଗତ ଏପ୍ରିଲ ମାସରୁ ଲଦାଖ ସୀମାରେ ଭାରତର କିଛି ଅଞ୍ଚଳକୁ ନିଜ ଦଖଲରେ ରଖିଛି। କିନ୍ତୁ ଭାରତୀୟ ସେନା ଅଗଷ୍ଟ ମାସର ଶେଷ ସପ୍ତାହରେ ପ୍ୟାଙ୍ଗଙ୍ଗ ହ୍ରଦର ଦକ୍ଷିଣ ଏବଂ ଉତ୍ତର ଭାଗରେ ଥିବା ୩୦ଟି ପର୍ବତ ଶିଖର ଉପରେ କବ୍‌ଜା କରି ଚୀନ୍‌ର ସବୁ ଖେଳ ବିଗାଡି ଦେଇଛି । ଏସବୁ ପର୍ବତ ଶିଖରରୁ ଚୀନ୍‌ ସେନାର ସବୁ ପୋଷ୍ଟ ଏବଂ ତା’ର ଗତିବିଧି ଦୃଶ୍ୟମାନ ହେଉଛି । ସେହି ପର୍ବତ ଶିଖରଗୁଡିକ ଉପରେ ଭାରତୀୟ ସେନାର କବଜା ଯୋଗୁ ଚୀନ୍‌ର ସାମରିକ ସ୍ଥିତି ଦୁର୍ବଳ ହୋଇଛି । ତେଣୁ ଚୀନ୍‌ ସେନା କୌଣସି ମତେ ସେଇ ଶିଖରଗୁଡିକୁ ଭାରତୀୟ ସେନା କବ୍‌ଜାରୁ ନିଜ ଦଖଲକୁ ନେବା ପାଇଁ ଉଦ୍ୟମ କରୁଛି ।


Share It

Comments are closed.