ଚାଷୀଙ୍କୁ ସରକାରୀ ଯୋଜନା ସମ୍ପର୍କରେ ସଚେତନ କରନ୍ତୁ ପଂଚାୟତ ପ୍ରତିନିଧି: ପ୍ରତାପ ଜେନା


“ଚାଷୀମାନେ ହେଉଛନ୍ତି ଆମର ଶକ୍ତି। ଏଣୁ ଚାଷୀମାନଙ୍କୁ ସଶକ୍ତ କରିବା ପାଇଁ ରାଜ୍ୟ ସରକାର ସବୁବେଳେ ପ୍ରାଧାନ୍ୟ ଦେଇ ଆସୁଛନ୍ତି। ଚାଷୀମାନଙ୍କ ପାଇଁ ସରକାର ଅନେକ ଯୋଜନା କରିଛନ୍ତି। ଏହି ଯୋଜନା ସମ୍ପର୍କରେ ଗାଁ ଗହଳିର ଚାଷୀମାନେ ସଚେତନ ନାହାନ୍ତି। ଏଣୁ ସେମାନଙ୍କୁ ସଚେତନ କରିବାର ଦାୟିତ୍ୱ ପଂଚାୟତ ପ୍ରତିନିଧିମାନେ ନିଅନ୍ତୁ’’, କହିଛନ୍ତି ରାଜ୍ୟ ପଂଚାୟତିରାଜ, ପାନୀୟ ଜଳ, ଆଇନ, ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା। ଭୁବନେଶ୍ୱର ଜନତା ମଇଦାନରେ ଚାଲିଥିବା ‘କୃଷି ଓଡ଼ିଶା-୨୦୨୦’ ର ବୁଧବାର ଥିଲା ତୃତୀୟ ଦିନ। ଆଜି ଥିଲା ପଂଚାୟତିରାଜ ଜନପ୍ରତିନିଧି ଦିବସ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ପଂଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା। ଫିକି ସହଯୋଗରେ କୃଷି ଓ କୃଷି ସଶକ୍ତିକରଣ ବିଭାଗ ପକ୍ଷରୁ ଏହି କୃଷି ମହୋତ୍ସବ ଆୟୋଜନ କରାଯାଉଛି।

“ଗାଁ ଗାଁରେ ଗଠନ ହୋଇଛି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ। ଏମାନଙ୍କୁ ନେଇ ପଂଚାୟତିରାଜ ବିଭାଗ ପକ୍ଷରୁ ଉତ୍ପାଦନ ଗୋଷ୍ଠୀ ଗଠନ କରାଯାଇଛି। ଏହି ଉତ୍ପାଦନ ଗୋଷ୍ଠୀମାନେ ଯେଉଁ ଫସଲ ଉତ୍ପାଦନ କରୁଛନ୍ତି ସେସବୁର ବଜାର ସଂଯୋଗ ଦାୟିତ୍ୱ ପଂଚାୟତିରାଜ ବିଭାଗ ନେଇଛି। ଓର୍‌ମାସ ସହୟତାରେ ଏହି ଉତ୍ପାଦନକୁ ବିକ୍ରି କରାଯାଉଛି’’, କହିଥିଲେ ପଂଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା।

ଶ୍ରୀ ଜେନା ଆହୁରି କହିଥିଲେ ଯେ, ପ୍ରତି ବ୍ଲକରେ କୃଷି ପାଇଁ ସ୍ୱତନ୍ତ୍ର ବୈଠକ ହେବ। ଏହି ବୈଠକରେ କୃଷି ସହ ଜଡ଼ିତ ଅଧିକାରୀମାନେ ସାମିଲ ହୋଇ କୃଷି କ୍ଷେତ୍ରରେ ଯେଉଁ ସମସ୍ୟା ଦେଖାଦେଉଛି ତାର ସମାଧାନ ପାଇଁ ପଦକ୍ଷେପ ନେବେ।

“ରାଜ୍ୟ ସରକାର ଚାଷୀମାନଙ୍କୁ ପ୍ରୋତ୍ସାହନ ଦେଇ ଆସୁଛନ୍ତି। ବିଶେଷକରି ଜଳସେଚନ କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଉଛି। ଚାଷ ଜମିକୁ ସବୁ ସମୟରେ ପାଣି ଯୋଗାଇବା ପାଇଁ ବଡ଼ ବଡ଼ ଡ୍ୟାମମାନ ନିର୍ମାଣ କରାଯାଉଛି। ଏହାସହ ବୋରୱେଲ ଉପରେ ମଧ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ଗତ ପାଂଚ ବର୍ଷ ଭିତରେ ୭୦ ହଜାର ବୋରୱେଲ ନିର୍ମାଣ କରାଯାଇଛି। ଆଗାମୀ ୫ ବର୍ଷ ଭିତରେ ଆହୁରି ୧ ଲକ୍ଷ ବୋରୱେଲ ନିର୍ମାଣ କରିବାର ଲକ୍ଷ୍ୟ ରହିଛି। ଏହାସହ ଚାଷକୁ ଅଧିକ ଲାଭଜନକ କରିବା ଯେଉଁ ପ୍ରୟାସ କରାଯାଉଛି ଚଳିତ ‘କୃଷି ଓଡ଼ିଶା’ ବେଶ୍ ସହାୟକ ହେବ’’, କହିଛନ୍ତି ଉନ୍ନୟନ କମିସନର ସୁରେଶ ଚନ୍ଦ୍ର ମହାପାତ୍ର। ଏହି ଅବସରରେ ସଫଳ ଚାଷୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଅନ୍ୟମାନଙ୍କ ମଧ୍ୟରେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ, ଆପିକଲର ଅଧ୍ୟକ୍ଷ ପ୍ରଭାତ ଆଦିତ୍ୟ ମିଶ୍ର, କାଜୁ ଉନ୍ନୟନ ନିଗମର ଅଧ୍ୟକ୍ଷ ଅମରେନ୍ଦ୍ର ଦାସ, ଉନ୍ନୟନ କମିସନର ସୁରେଶ ଚନ୍ଦ୍ର ମହାପାତ୍ର ଯୋଗ ଦେଇଥିଲେ। କୃଷି ଓ ଖାଦ୍ୟ ଉତ୍ପାଦନ କମିସନର ଏମ୍ ମୁଥୁକୁମାର ସ୍ୱାଗତ ଭାଷଣ ଦେଇଥିବା ବେଳେ ମତ୍ସ୍ୟ ବିଭାଗ ନିର୍ଦ୍ଦେଶକ ଏମ୍ ଥିରୁମାଲା ନାଏକ ଧନ୍ୟବାଦ ଅର୍ପଣ କରିଥିଲେ। ଚାଷୀମାନଙ୍କୁ ବିଭିନ୍ନ ବ୍ୟାଙ୍କରୁ କିପରି ସହଜ ଏବଂ ସୁବିଧାରେ ଋଣ ମିଳି ପାରିବ ସେ ଉପରେ ‘କୃଷି ଓଡ଼ିଶା’ରେ ଆଲୋଚନା ହୋଇଥିଲା। ବିଭିନ୍ନ ରାଷ୍ଟ୍ରାୟାତ ଏବଂ ସମବାୟ ବ୍ୟାଙ୍କର ଅଧିକାରୀମାନଙ୍କ ସହ ରାଜ୍ୟ ସରକାର ଆଲୋଚନା କରିଥିଲେ। ଏହି ଆଲୋଚନାରେ ୫୦୦ରୁ ଅଧିକ ବ୍ୟାଙ୍କ ଅଧିକାରୀ ଯୋଗ ଦେଇଥିଲେ।

ଏହି ଆଲୋଚନାରେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ, ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଭୁବନେଶ୍ୱରର ଜେନେରାଲ ମ୍ୟାନେଜର ସୋନାଲି ଦାସ, ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ ସମିତିର ଆବାହକ ସଂଜୟ କୁମାର, ମତ୍ସ୍ୟ ଓ ପଶୁପାଳନ ବିଭାଗର କମିସନର ତଥା ସଚିବ ରଘୁପ୍ରସାଦ, କୃଷି ଓ ଖାଦ୍ୟ ଉତ୍ପାଦନ କମିସନର ଏମ୍ ମୁଥୁକୁମାର, ନାବାର୍ଡ ବ୍ୟାଙ୍କର ଜେନେରାଲ ମ୍ୟାନେଜର ଯୋଗ ଦେଇଥିଲେ। ସେହିପରି କୃଷି ଓଡିଶାର ତୃତୀୟ ଦିନରେ ତଥା ପାଠଶାଳା ଅନୁଷ୍ଠିତ ହୋଇଥିଲା। ପ୍ରଥମ ଅଧିବେଶନରେ ‘ଅଧିକ ଲାଭ ପାଇଁ କୃଷିଜାତ ଦ୍ରବ୍ୟର ବଜାର ବ୍ୟବସ୍ଥା’ ଶୀର୍ଷକ ଉପରେ ଆଲୋଚନା ହୋଇଥିଲା। ଏଥିରେ ଉତ୍କଳ ବିଶ୍ୱବିଦ୍ୟାଳୟର ଆଗ୍ରୋ ବିଜନେସ୍ ମ୍ୟାନେଜମେଂଟର ପ୍ରଫେସର ସୁକୁମାର ଦାସ ଓ ସମବାୟ ବିଭାଗ ପରିସଂଖ୍ୟାନ ଉପନିର୍ଦ୍ଦେଶିକା ଗାୟତ୍ରୀ ପଟ୍ଟନାୟକ ଯୋଗ ଦେଇଥିଲେ। କୃଷି କ୍ଷେତ୍ରରେ ବଜାର ଗୁରୁତ୍ୱପୂର୍ଣ୍ଣ। ତେଣୁ ଚାଷ ପୂର୍ବରୁ ବଜାର ଅନୁଧ୍ୟାନ କରି କୃଷି କାର୍ଯ୍ୟ କରିବାକୁ ଅତିଥିମାନେ ମତ ଦେଇଥିଲେ।

ପାଠଶାଳାର ଦ୍ୱିତୀୟ ଅଧିବେଶନରେ ଲାଭ ବୃଦ୍ଧି ପାଇଁ ‘ବଜାର ଭିତ୍ତିକ କୃଷି ଉତ୍ପାଦନ ବ୍ୟବସ୍ଥା’ ଶୀର୍ଷକ ଉପରେ ଆଲୋଚନା ହୋଇଥିଲା। ଏଥିରେ ଓୟୁଏଟିର ବୈଜ୍ଞାନିକ ଡକ୍ଟର ମହାମାୟା ପ୍ରସାଦ ନାୟକ, ଡକ୍ଟର ସନତ ମିଶ୍ର ଓ ଭୁବନେଶ୍ୱର ଆଇଆରଆରଆଇର ବୈଜ୍ଞାନିକ କିଶୋର କୁମାର ବେହେରା ପ୍ରମୁଖ ଯୋଗ ଦେଇଥିଲେ। ‘ଭାରତ କ୍ଷୀର, ଡାଲି. ଚା, ପନିପରିବା, ଗହମ ଆଦି ଉତ୍ପାଦନରେ ଓଡ଼ିଶା ସାରା ବିଶ୍ୱରେ ପ୍ରଥମ ସ୍ଥାନ ଅଧିକାର କରିଛି। ଏଣୁ ଉତ୍ପାଦନ ନୁହେଁ ଲାଭ ଉପରେ ଗୁରୁତ୍ୱ ଦିଆଯିବା ଦରକାର। ଅଧିକ ଶୀତଳଭଣ୍ଡାର ନିର୍ମାଣ ଉପରେ ଆଲୋଚନାରେ ମତ ପ୍ରକାଶ ପାଇଥିଲା।


Share It

Comments are closed.